ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ବେତରାଜପାଲି ଘଟୁଆଲ ଜଙ୍ଗଲ ନିକଟରୁ ସକାଳେ ପୁଲିସ ଜଣେ ବୃଦ୍ଧଙ୍କ ଶବ ଉଦ୍ଧାର କରିଛି। ବୃଦ୍ଧ ଜଣକ ହେଉଛନ୍ତି ବେତରାଜପାଲି ଗ୍ରାମର ପରମେଶ୍ୱର ଧାରୁଆ (୬୦)।
ସୂଚନାନୁସାରେ ପରମେଶ୍ବର ସକାଳେ ଘଟୁଆଲ ଜଙ୍ଗଲ ନିକଟରେ ଥିବା ନିଜ ଜମିକୁ ଆସିଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ପୁଅ ସରିନ୍ଦ୍ର ଧରୁଆ ଜମିକୁ ଖୋଜିବାକୁ ଆସିଥିବା ବେଳେ ଜମିରେ ପରମେଶ୍ବର ପଡ଼ିଥିବା ଦେଖି କେଗାଁ ଥାନାକୁ ଜଣାଇଥିଲେ। କେଗାଁ ଆଇଆଇସି ମୁକୁନ୍ଦ ନାଏକ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାରମ୍ଭିକ ତଦନ୍ତ ପରେ ପାରିପାର୍ଶ୍ବିକ ଅବସ୍ଥା ଦେଖି ସାଇଣ୍ଟିଫିକ ଟିମର ସାହାଯ୍ୟ ନିଆଯାଇଥିଲା। ପରେ ଘଟଣାସ୍ଥଳରେ ଏସ୍ଡିପିଓ ସୁନାରାମ ହେମ୍ବ୍ରମ୍ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିଥିଲେ। ପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନାକୁ ପଠାଇଥିଲେ।
ଅପରପକ୍ଷରେ ଲିଖିତ ଅଭିଯୋଗକୁ ଭିତ୍ତି କରି କେଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରି ସନ୍ଦେହରେ ଗ୍ରାମର ତିନି ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।