ନେଟ୍‌ ବ୍ୟାଙ୍କିଙ୍ଗ୍‌ରେ ଲକ୍ଷ ଲକ୍ଷ ଟଙ୍କା ଘୋଟାଲା:୪ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ସଂପର୍କୀୟଙ୍କ ଆକାଉଣ୍ଟରେ ଜମା ହୋଇଛି ଟଙ୍କା

ଜୟପାଟଣା: ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନେଟ୍‌ ବ୍ୟାଙ୍କିଙ୍ଗ୍‌ ନାଁରେ ଏକ କୋଟିରୁ ଅଧିକ ଅର୍ଥ ଅନିୟମିତତାକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଗୁରୁବାର କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ୪ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ତଲବ କରାଯାଇଛି। ବିଇଓ ଅଫିସ୍‌ର ଆକାଉଣ୍ଟାଣ୍ଟ ଓଟିପି ଚଞ୍ଚକତା ସହ ନିଜ ବ୍ୟକ୍ତିଗତ ମୋବାଇଲ ଯୋଗେ ନିଜସ୍ୱ, ନିଜ ପରିବାର ଓ ସମ୍ପର୍କୀୟଙ୍କ ବ୍ୟକ୍ତିଗତ ଜମା ଖାତାରେ ଟଙ୍କା ପୈଠ କରିଥିବା ଘଟଣାକୁ ନେଇ ଜୟପାଟଣା ପୁଲିସରେ ଏତଲା ପରେ ପରେ ଭିଜିଲାନ୍ସ ତଦନ୍ତକୁ ନେଇ ବିଭାଗୀୟ ତତ୍ପରତା ସାଙ୍ଗକୁ ଲୋକଙ୍କ ଉତ୍କଣ୍ଠା ମଧ୍ୟ ବଢ଼ିବାରେ ଲାଗିଛି। ଜୟପାଟଣା ବିଇଓଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଇ ବ୍ୟାଙ୍କିଙ୍ଗ୍‌ ମାଧ୍ୟମରେ ଟଙ୍କା ଏକାଉଣ୍ଟାଣ୍ଟ୍‌ ଦେବୀ ପ୍ରସାଦ ପଟ୍ଟନାୟକ ବିଭିନ୍ନ ସମୟରେ ନିଜର ବ୍ୟକ୍ତିଗତ ଜମା ଖାତା, ପରିବାର ଲୋକ ଏବଂ ଡ୍ରାଇଭର ସାଙ୍ଗଙ୍କ ଜମା ଖାତାରେ ୯୦ ଲକ୍ଷ ୧୪ ହଜାର ଟଙ୍କା ବିଭିନ୍ନ ସମୟରେ ବିଇଓଙ୍କ ଆକାଉଣ୍ଟରୁ ଜମା କରିଥିବା ତଥ୍ୟ ଆମର ହସ୍ତଗତ ହୋଇଛି।

ତନ୍ମଧ୍ୟରୁ ପ୍ରଥମେ ୧୮.୩.୨୦୧୭ ତାରିଖରୁ ଏକାଉଣ୍ଟାଣ୍ଟ୍‌ ଦେବୀ ପ୍ରସାଦ ପଟ୍ଟନାୟକ ନିଜର ବ୍ୟକ୍ତିଗତ ଆକାଉଣ୍ଟରେ ୫୦ ହଜାର ଟଙ୍କା ପୈଠ କରିଥିବା ବେଳେ ସେହି ଆକାଉଣ୍ଟରେ ମୋଟ ୨୪ ଲକ୍ଷ ୪୨ ହଜାର ଟଙ୍କା ଜମା କରିଥିବା ସୂଚନା ମିଳିଛି। ସେହିପରି ଦେବୀଙ୍କ ମା’ ଶାନ୍ତିଲତା ପଟ୍ଟନାୟକଙ୍କ ଜମା ଖାତାରେ ୧୭ ଲକ୍ଷ ୭୭ ହଜାର, କାର୍ଯ୍ୟରତ ସହକାରୀ ଆକାଉଣ୍ଟାଣ୍ଟ ସୁଧାଂଶୁ ସାହୁଙ୍କ ବ୍ୟକ୍ତିଗତ ଜମା ଖାତାରେ ୧୦ ଲକ୍ଷ, ଦେବୀ ପ୍ରସାଦଙ୍କ ଡ୍ରାଇଭର ସେଖ୍‌ ରିହାଜ୍‌ଙ୍କ ବ୍ୟକ୍ତିଗତ ଜମା ଖାତାରେ ୫ ଲକ୍ଷ, ଡ୍ରାଇଭର ମଳୟ ରାଉତଙ୍କ ଜମା ଖାତାରେ ୫ ଲକ୍ଷ, ଅନ୍ୟ ଏକ ଡ୍ରାଇଭର ଶଙ୍କର ପ୍ରସାଦ ସାହୁଙ୍କ ଜମା ଖାତାରେ ୧୦ ଲକ୍ଷ ୬୦ ହଜାର, ପ୍ରଶାନ୍ତ ସାହୁଙ୍କ ଜମା ଖାତାରେ ୭ ଲକ୍ଷ ୯୦ ହଜାର, ବଡ଼ପୂଝାରୀଗୁଡ଼ାର ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସାଙ୍ଗ ରଞ୍ଜନ ସାହୁଙ୍କ ଡ୍ରଇଭର କୁନୁ ମାଝୀଙ୍କ ବ୍ୟକ୍ତିଗତ ଜମା ଖାତାରେ ୯ ଲକ୍ଷ ୩୯ ହଜାର ଟଙ୍କା ଜମା ହୋଇଥିବା ସୂଚନା ମିଳିଛି। ଏହି ଜମା ୧୮.୩.୨୦୧୭ରୁ ଆରମ୍ଭ ହୋଇ ଠିକ୍‌ ଏକ ବର୍ଷ ପୂର୍ତ୍ତି ୧୭.୩.୨୦୧୮ରେ ଅନ୍ତିମ ଉଠାଣ ହୋଇଥିବା ସୂଚନାରୁ ଜଣାଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି ଯେ, ଜୟପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ୨୦୧୬-୧୭ ଆର୍ଥିକ ବର୍ଷର ଅଡ଼ିଟ୍‌ ରିପୋର୍ଟରେ ଅନେକ ତୃଟି ଥିବା ଜଣାଯାଇଥିବା ବେଳେ ବିଭାଗୀୟ ଅଧିକାରୀ ଏପରି କି ଆର୍ଥିକ କୋଡ଼ିନେଟର ଚୁପ୍‌ ରହିଥିବା ଘଟଣା ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜୟପାଟଣା ବିଇଓ, ଏବିଇଓ ରାଧାମୋହନ ପାଢ଼ୀ, ଏକାଉଣ୍ଟାଣ୍ଟ ଦେବୀ ପ୍ରସାଦ ପଟ୍ଟନାୟକ, ଆସିଷ୍ଟାଣ୍ଟ ସୁଧାଂଶୁ ସାହୁଙ୍କୁ ଏହି ଆର୍ଥିକ ଅନିୟମିତତା ସମ୍ପର୍କରେ କାରଣ ଦର୍ଶାଅ ନୋଟିସ ତଲବ କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଦେବୀ ପ୍ରସାଦ ବିଗତ ଦିନରେ ଜୟପାଟଣା ସମବାୟ ବ୍ୟାଙ୍କରେ କିଛିଦିନ ଅସ୍ଥାୟୀ ଭାବେ ଡାଟା ଏଣ୍ଟ୍ରି ଅପେରେଟର ଭାବେ କାର୍ଯ୍ୟ କରୁଥିଲେ। ସେ ପ୍ରାୟ ୨୦ ଲକ୍ଷ ଟଙ୍କା ଘୋଟାଲା କଲା ପରେ ତାଙ୍କୁ ବ୍ୟାଙ୍କରୁ କାଢ଼ି ଦିଆଯାଇଥିଲା। ସେହି ବ୍ୟକ୍ତି ଜଣକ ପରବର୍ତ୍ତି ସମୟରେ ବିଇଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ପରେ କିପରି ଏଭଳି ବ୍ୟକ୍ତି ଉପରେ ବିଭାଗ ବିଶ୍ୱାସ ଭାଜନ ହେଲା ଏବଂ ବିଇଓ ତାଙ୍କୁ ପାସ୍‌ୱାର୍ଡ଼ ଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଘୋଟାଲା ପାଇଁ ଦେବୀ ପ୍ରସାଦ ସୁଯୋଗ ପାଇଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଆକାଉଣ୍ଟାଣ୍ଟ୍‌ ଏକ ମାସ ଛୁଟିରେ ରହି ଖବର ପ୍ରକାଶ ହେବା ପରେ ଅନ୍ୟତ୍ର ଫେରାର ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର