ନ୍ୟାୟ ପାଇଁ ଓଡ଼ିଶା ଛାଡ଼ି ଦିଲ୍ଲୀରେ ରୁକ୍ସାନା ବାନୋ: ୨ ବର୍ଷର ହୋଇଥିଲେ ବାପା ଚାଲିଗଲେ, ୨୦ ବର୍ଷ ହେଲା ଚାଲିଛି ସଂଘର୍ଷ

ସ୍ୱତନ୍ତ୍ର ରିପୋର୍ଟ/ବନ୍ଦନା ମିଶ୍ର

ଭବାନୀପାଟଣା: ୧୯୯୯ ମସିହାରୁ ୨୦୧୯ ମସିହା। ଇତି ମଧ୍ୟରେ ୨୦ ବର୍ଷ ବିତିଗଲାଣି। ହେଲେ ବାପାଙ୍କ ହତ୍ୟାକାରୀଙ୍କୁ ମିଳିନାହିଁ ଉପଯୁକ୍ତ ଶାସ୍ତି। ପୁଲିସ୍‌ ଷ୍ଟେସନ୍‌ରୁ କଲେକ୍ଟର ଅଫିସ୍‌ ତ କଲେକ୍ଟର ଅଫିସ୍‌ରୁ ନୋଇଡ଼ା। ହେଲେ ବି ବାପାଙ୍କ ଦୋଷୀକୁ ଦଣ୍ଡ ଦେବାରେ ଏବେ ବି ଅସମର୍ଥ ଝିଅ ରୁକ୍ସାନା ବାନୁ। ଦୀର୍ଘ ୨୦ ବର୍ଷ ହେଲା ବାପାଙ୍କ ହତ୍ୟାକାରୀଙ୍କୁ ଶାସ୍ତି ଦେବା ପାଇଁ ସଂକଳ୍ପବଦ୍ଧ ଏହି ପରିବାର। ହେଲେ କେହି ଏଠି କଥା ଶୁଣିଲେ ତ! ତଥାପି ବି ହାରି ଯାଇନାହାନ୍ତି ସେ। ସୋସିଆଲ୍‌ ମିଡିଆର ସାହାରା ନେଇ ନିଜର ଦଃଖ ଲୋକଙ୍କ ସହ ବାଣ୍ଟି ଚାଲିଛନ୍ତି। କେବେ ହୁଏତ ତାଙ୍କର ଦୁଃଖ କାହା କାନରେ ପଡ଼ିବ, କେବେ ନା କେବେ ମିଳିଯିବ ମୃତ ବାପା ଅବ୍‌ଦୁଲ୍‌ ହବିବ୍‌ଙ୍କୁ ନ୍ୟାୟ। ରୁକ୍ସାନାଙ୍କ ତାଙ୍କ ମାଆ ଥିଲେ ଆଦିବାସୀ ଓ ବାପା ଜଣେ ମୁସ୍‌ଲମାନ। ସେମାନଙ୍କର ପ୍ରେମ ବିବାହ ହୋଇଥିଲା। ହେଲେ ମାତ୍ର କେଇ ବର୍ଷରେ ଭାଗ୍ୟ ଦାଉ ସାଧିଲା। ସ୍ୱଳ୍ପ ବୟସରେ ସ୍ୱାମୀଙ୍କୁ ହରାଇ ବିଧବା ହେଲେ ରୁକ୍ସାନାଙ୍କ ମାଆ।

ଫେସ୍‌ବୁକ୍‌, ଟ୍ଵିଟର୍‌ ଓ ୟୁଟ୍ୟୁବ୍‌ ଆଦି ସବୁଠି ସକ୍ରିୟ ଥିବା ରୁକ୍ସାନା ବାନୋ ନିଜ ବାପାଙ୍କ ପାଇଁ ସଂଘର୍ଷ କରି ଚାଲିଛନ୍ତି। ସେ ଏବେ କିଛି ଦିନ ହେବ ତାଙ୍କ ବେକରେ ଏକ ପୋଷ୍ଟର୍‌ ଝୁଲାଇ ବୁଲୁଥିବାର ନୋଇଡ଼ାରେ ନଜର ଆସିଛନ୍ତି। ପୋଷ୍ଟର୍‌ରେ ଲେଖାଯାଇଛି ‘୨୦ ବର୍ଷ ହେଲା ଲଗାତର ନ୍ୟାୟ ପାଇଁ ଗୁହାରୀ କରିଆସୁଛି। କେବେ ମିଳିବ ମୋ ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ?’ଓଡ଼ିଶାରେ ବାପାଙ୍କୁ ନ୍ୟାୟ ନମିଳିବାରୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବାକୁ ଗତ ୮ ମାସ ହେବ ଦିଲ୍ଲୀ ଯାଇ ବିଭିନ୍ନ ସ୍ଥାନରେ ଧାରଣ ଦେଉଛନ୍ତି ରୁକ୍ସାନା ଓ ତାଙ୍କ ମାଆ। ଇତି ମଧ୍ୟରେ ସେ ଯନ୍ତରମନ୍ତର, ଲକ୍ଷ୍ମୀନଗର, ଦିଲ୍ଳୀ ଆଦି ସ୍ଥାନ ପରିବର୍ତ୍ତନ କରି ଧାରଣା ଦେଇ ଚାଲିଛନ୍ତି। ଟ୍ଵିଟ୍‌ରେ ସଞ୍ଜୟ ଝା ନାମକ ଜଣେ ବ୍ୟବହାରକାରୀଙ୍କ ପୋଷ୍ଟ୍‍ ଦେଖିବା ପରେ ସେଠାରୁ ଫୋନ୍‌ ନମ୍ବର ସଂଗ୍ରହ କରି ‘ସମ୍ବାଦ୍‌.ଇନ୍‌’ର ପ୍ରତିନିଧି ରୁକ୍ସାନା ଓ ତାଙ୍କ ମାଆଙ୍କ ସହ ଯୋଗାଯୋଗ କରିଥଲେ।

ରୁକ୍ସାନା କୁହନ୍ତି, ‘ଜମିବାଡ଼ି କଳହ ନେଇ ମୋ ବାପାଙ୍କୁ ମୋର ବଡ଼ବାପାମାନେ ୧୯୯୯ ମସିହାରେ ବିଷ ଦେଇ ହତ୍ୟା କରିଛନ୍ତି। ଏ ନେଇ ମାଆ ଅଭଯୋଗ ଆଣିଥିଲେ। ବାପାଙ୍କ ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ବିଷ(ସ୍ଲୋ ପଏଜନ୍‌) ବାହାରିଥିଲା। ସେ ସମୟରେ ସେମାନେ ମୋ ମାଆକୁ ଧମକ ଦେଇ ତୋର ଆଉ ତୋ ଛୁଆପିଲାଙ୍କର ବି ହତ୍ୟା କରିଦେବୁ କହି ଭୟଭୀତ କରାଇ ଦେଲେ। ସେ ସମୟରେ ମୋ ବଡ଼ ଭୁଉଣୀକୁ ୩ ବର୍ଷ, ମୋତେ ଦେଢ଼ ବର୍ଷ ଓ ମୋର ସାନ ଭାଇକୁ ମାତ୍ର ୨ ମାସ ହୋଇଥାଏ। ମାଆ ଲଗାତର ୩ ଥର ମାମଲା ରୁଜ୍ଜୁ କଲେ। ସେମାନେ ଜାଣିବା ପରେ ମୋ ମାଆକୁ ଧମକ ଦେବାରେ ଲାଗିଲେ। ୨୦୧୨ରୁ ୨୦୧୯ ମଧ୍ୟରେ ଆମେ କଲେକ୍ଟର, ଏସ୍‌ପି, ଡିଏସ୍‌ପି, ଆଇଆଇସି ଯେତେ ବି ବଦଳିଛନ୍ତି ସମସ୍ତଙ୍କ ପାଖକୁ ଯାଇଛୁ। କେହି ବି ଆମ କଥା ଶୁଣିଲେ ନାହିଁ। କଲେକ୍ଟର ଏସ୍‌ପିଙ୍କୁ ନର୍ଦ୍ଦେଶ ଦେଲେ। ଏସ୍‌ପି ମାମଲାର ପୁର୍ନବିଚାର କରି ୩୦୨, ୫୦୬, ୩୪ ଦଫା ଲଗାଇଲେ। ହେଲେ ମୋ ବଡ଼ବାପାମାନଙ୍କୁ ପୁଲିସ୍‌ ଡାକିଲା ନାହିଁ କି ପଚରାଉଚରା କଲା ନାହିଁ। ଓଡ଼ିଶାରେ ନ୍ୟାୟ ମିଳିଲାନି ବୋଲି ଆମକୁ ଦିଲ୍ଲୀ ଆସିବାକୁ ପଡ଼ିଲା। ଦିଲ୍ଲୀରେ ୬୨ ଦିନ ଧାରଣାରେ ବସିଲା ପରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ତରଫରୁ ଆସିଲା ସିବିଆଇ ଯାଞ୍ଚ୍‌ର ପତ୍ର। ସିବିଆଇ ଯାଞ୍ଚ୍‌ର ପତ୍ରକୁ ବି ଓଡ଼ିଶାରେ ଦବା ଗଲା। ଭବାନୀପାଟଣାର ଏସ୍‌ପି ଗଙ୍ଗାଧର ସାହେବ ମାମଲାକୁ ବନ୍ଦ କରି ସିବିଆଇକୁ ପଠାଇ ଦେଲେ। ୫-୬ ମାସ ହେଲା ଦିଲ୍ଲୀର ସବୁ ଜାଗା ବୁଲି ନ୍ୟାୟ ପାଇଁ ଭିକ୍ଷା ମାଗୁଛୁ।’

 

ଭାଇଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବା କାରଣରୁ ରୁକ୍ସାନାଙ୍କ ବଡ଼ ଉଉଣୀ କଳାହାଣ୍ଡିର ଭବାନୀପାଟଣାରେ ରହି ଭାଇଙ୍କ ଦେଖାଶୁଣା କରନ୍ତି। ବାପାଙ୍କର କୌଣସି ବି ଜମିବାଡ଼ି ତାଙ୍କୁ ମିଳିନାହିଁ ବୋଲି ଅଭିଯୋଗ ଆଣି ରୁକ୍ସାନା କୁହନ୍ତି ଓଡ଼ିଶାରେ ସରକାରୀ ଜାଗାରେ ତାଙ୍କ ମାଆ କିଛି ଘର କରି ଭଡ଼ା ଦେଇଛନ୍ତି ଓ ସେହି ଘରଭଡ଼ା ଟଙ୍କାରେ ତାଙ୍କ ଘର ଚଳେ। କେବଳ ବାପାଙ୍କ ପାଇଁ ନ୍ୟାୟ ପାଇଁ ୮ ମାସ ହେଲା ନିଜ ମାଆଙ୍କୁ ଧରି ଜାତୀୟ ରାଜଧାନୀରେ ସଂଘର୍ଷ କରୁଛନ୍ତି ରୁକ୍ସାନା। ସେ କହିଛନ୍ତି କି ଦିଲ୍ଲୀର ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଖାଇବାରୁ ନେଇ ଅନ୍ୟାନ୍ୟ ସୁବିଧା ମିଳୁଛି।

ସମ୍ବନ୍ଧିତ ଖବର