ଗୋଆରେ ଓଡ଼ିଆ ଦାଦନ ନିଖୋଜ

ଛୋରିଆଗଡ଼: ଗୋଆକୁ କାମ କରିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପୂଝାରୀପଡ଼ାର ସଦାଶିବ ମହାଲିକ(୩୭)। ସଦାଶିବ ଗତ ଜୁଲାି ମାସରେ ଅଞ୍ଚଳର କିଛି ଯୁବକଙ୍କ ସହ ଗୋଆକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଏକ କୋଠା କାମରେ ଶ୍ରମିକ ଭାବରେ ନିୟୋଜିତ ଥିଲେ। ସଦାଶିବ ପରିବାର ଲୋକଙ୍କ ସହ ଫୋନରେ ଯୋଗାଯୋଗ ରଖୁଥିବା ବେଳେ ନୂଆଁଖାଇରେ କିଛି ଟଙ୍କା ମଧ୍ୟ ଘରକୁ ପଠାଇଥିଲେ। ତେବେ ଅକ୍ଟୋବର ମାସରୁ ଆଉ ଯୋଗାଯୋଗ କରି ନଥିଲେ। ପରିବାର ଲୋକେ ମଧ୍ୟ ସଦାଶିବଙ୍କ ଫୋନକୁ ଯେତେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଲାଗି ନ ଥିଲା। ସଦାଶିବଙ୍କ ସହ ଯାଇଥିବା ତାଙ୍କ କିଛି ସଂପର୍କିୟ ମଧ୍ୟ କୌଣସି ସଠିକ୍‌ ତଥ୍ୟ ଦେଇ ପାରିନଥିଲେ। ଫଳରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

ସ୍ତ୍ରୀ ରୀନା(୩୨), ଝିଅ ନନ୍ଦିନୀ(୧୪), ଲିପସ୍‌ା(୧୨), ପୁଅ ଲିପୁନ(୭) ଓ ବୃଦ୍ଧା ମା’ ସେବନି (୬୪) ସଦାଶିବଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। ଘରେ ଏବେ ଆଉ କେହି ରୋଜଗାରକ୍ଷମ ବ୍ୟକ୍ତି ନଥିବାରୁ ରନୀ କୁଲିମଜୁରି କରି ଅତି କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ପରିବାରର ଏପରି ସ୍ଥିତିରେ ୨ ଝିଅଙ୍କ ପାଠପଢ଼ାରେ ଡୋରି ବନ୍ଧାପଡ଼ିଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ମିଳୁଥିବା ବେଳେ ଆଜି ଯାଏଁ ସେମାନଙ୍କୁ ଘରଟିଏ ମିଳି ପାରି ନାହିଁ। ଫଳରେ ଏକ ଝୁପୁଡି ଘରେ ଅତିକଷ୍ଟରେ ସେମାନେ ଜୀବନ ଯାପନ କରୁଛନ୍ତି। ସଦାଶିବଙ୍କୁ ଖୋଜିବା ଓ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର