ମୌସୁମୀ ଆସିଲା, କଳାହାଣ୍ଡିରେ ଧାନ ବିହନର ଅଭାବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମୌସୁମୀ ବର୍ଷା ଆସିବା ପରେ ଚାଷୀମାନଙ୍କ ମଧ୍ୟରେ ଚାଷ କାର୍ଯ୍ୟ ପାଇଁ ଉତ୍ସାହ ଦେଖାଦେଇଛି । ଚାଷୀଙ୍କ ପାଇଁ ଉପଯୁକ୍ତ ଧାନ ବିହନ ମିଳୁନଥିବା ଯୋଗୁଁ ଚାଷୀଙ୍କ ଚାଷ କାର୍ଯ୍ୟରେ ବର୍ତ୍ତମାନ ବିଳମ୍ବ ଦେଖାଦେଇଛି । କଳାହାଣ୍ଡି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୪ ହଜାର ୪୭୦ କୁଇଣ୍ଟାଲ ଧାନ ବିହନ ଆସିଛି । ସେଥି ମଧ୍ୟରୁ ୧୮୦୦ କୁଇଣ୍ଟାଲ ଧାନ ବିହନ ବିକ୍ରି ନ ହୋଇ ପଡିରହିଥିବା କୃଷି ବିଭାଗ ସୂତ୍ରରୁ ପ୍ରକାଶ । କଳାହାଣ୍ଡି ଜିଲ୍ଲାରେ ୧୧୪ ଟି ପ୍ରାଇଭେଟ ଡିଲର ମାଧ୍ୟମରେ ୧୫ ହଜାର ୨୧୪ କୁଇଣ୍ଟାଲ ଧାନ ବିହନ ବିକ୍ରୟ ହୋଇଛି । ସେହିଭଳି ଜିଲ୍ଲାର ୭୦ଟି ପ୍ୟାକ୍ସ ଜରିଆରେ ୮ ହଜାର ୧୭୦ କୁଇଣ୍ଟାଲ ଧାନ ବିହନ ବିକ୍ରି ହୋଇଛି ।

ଗତ ୭ ଦିନ ଧରି ପ୍ୟାକ୍ସ ପକ୍ଷରୁ ଧାନ ବିହନ ବିକ୍ରି ପାଇଁ କୌଣସି ଚାଲାନ ଡିପୋଜିଟ କରାଯାଇ ନାହିଁ । ପ୍ୟାକ୍ସ ପକ୍ଷରୁ ଚାଷୀଙ୍କୁ ବିହନ ବିକ୍ରି କରାଯାଉନଥିବା ଯୋଗୁଁ ଚାଷୀମାନେ ଚଢ଼ା ଦରରେ ପ୍ରାଇଭେଟ ଡିଲରମାନଙ୍କ ପାଖରୁ ଧାନ ବିହନ କିଣୁଛନ୍ତି । ପ୍ୟାକ୍ସ କର୍ମଚାରୀ ମାନେ ମଣ୍ଡିରେ ଧାନ କିଣିବା ପାଇଁ ବ୍ୟସ୍ତ ରହୁଥିବାଯୋଗୁଁ ଚାଷୀମାନେ ଧାନ ବିହନ ପାଇଁ ପ୍ୟାକ୍ସ କାର୍ଯ୍ୟାଳୟ କୁ ବାରମ୍ବାର ଦଉଡି ହଇରାଣ ହରକତ ହେଉଛନ୍ତି ।

ଚାଷୀଙ୍କ ପସନ୍ଦ ମୁତାବକ ଧାନ ବିହନ ପ୍ୟାକ୍ସ କିମ୍ବା ପ୍ରାଇଭେଟ ଡିଲର ପାଖରେ ଉପଲବ୍ଧ ହେଉନଥିବା ଯୋଗୁଁ ଚାଷ କାର୍ଯ୍ୟରେ ବିଳମ୍ବ ଦେଖା ଦେଇଛି । ଗୋଟିଏ ପଟେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ମଣ୍ଡିରେ ପଡି ରହୁଥିବା ବେଳେ ଅନ୍ୟ ପଟେ ଧାନ ବିହନ ପାଇଁ ହତାଶ ହେବାକୁ ପଡୁଛି । ଚାଷୀଙ୍କ ପସନ୍ଦ ମୁତାବକ ଧାନ ବିହନକୁ ପ୍ରାଇଭେଟ ଡିଲର ମାନେ ଆଗୁଆ ନେଇ ଚଢ଼ା ଦରରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଧାନ ବିହନ ଚିନ୍ତା ଓ ଚାଷ ବିଳମ୍ବ ଆଗାମୀ ଖରିଫ ଚାଷକୁ ବହୁଳ ଭାବରେ ପ୍ରଭାବିତ କରିବ ବୋଲି ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର