ଧର୍ମଗଡ : ନଭେମ୍ବର ଶେଷ ହେବାକୁ ବସିଥିବା ବେଳେ ହାତଗଣତି ୩ ରୁ ୪ଟି ମଣ୍ଡିକୁ ବାଦ୍ଦେଲେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ କୌଣସି ମଣ୍ଡି ଏପର୍ଯ୍ୟନ୍ତ ଖୋଲିପାରିନାହିଁ। ଫଳରେ ଚାଷୀ ବର୍ତ୍ତମାନ ଦଲାଲକୁ କମ୍ ଦାମ୍ରେ ଧାନ ବିକ୍ରି କରିବା ଆରମ୍ଭ କଲେଣି। କୁଇଣ୍ଟାଲ ପିଛା ୯୫୦ ଟଙ୍କା ଦରରେ ଧାନ କିଣି ଦଲାଲ ଛତିଶଗଡ଼କୁ ଚୋରାଚାଲାଣ କରୁଥିବା ବେଳେ ଏଥିପ୍ରତି ନା ପ୍ରଶାସନ ନା ନିୟନ୍ତ୍ରିତ ବଜାର କମିଟିର ଦୃଷ୍ଟି ପଡ଼ିଛି। ଫ​ଳରେ ବ୍ରାହ୍ମଣ ଛେଣ୍ଡିଆ, ପର୍ଲା, ପାଇକପଡ଼ା ଆର୍ଏମ୍ସି ଗେଟ୍ ଦେଇ ଛତିଶଗଡ଼କୁ ଧାନ ଚାଲାଣ ହେଉଛି। ଯଦିଓ ସୀମାନ୍ତ ଅଞ୍ଚଳବର୍ତ୍ତୀ ଏହି ଗେଟ୍ ଗୁଡ଼ିକରେ ଜଣେଜଣେ ଡିଏଲ୍ଆର୍ ମାନଙ୍କୁ ନିଯୁକ୍ତି କରାଯାଇ ଧାନ ଚୋରା ଚାଲାଣ ରୋକାଯିବାକୁ ପଦକ୍ଷେପ ନିଆଯାଇଛି। କିନ୍ତୁ ସେମାନେ ଦଲାଲ ଠାରୁ ଧାନ ଗାଡ଼ି ପିଛା ୩୦୦ ରୁ ୫୦୦ ଟଙ୍କା ନେଇ ଧାନ ଚାଲାଣରେ ସହଯୋଗ କରୁଛନ୍ତି। ବିଗତ ଦିନ ମାନଙ୍କରେ ଧର୍ମଗଡ଼ ଉପଖଣ୍ଡର ଚାଷୀକୁଳ ଗଜା ମରୁଡ଼ିର ଶିକାର ହୋଇ ଠିକ୍ ଭାବେ ଅମଳ କରିପାରିନଥିଲେ। ଚଳିତ ବର୍ଷ ଲେଡ଼ା ପୋକ ଦାଉରୁ ଧାନକୁ ରକ୍ଷା କରି ଧାନ ଅମଳ କରିଥିଲେ। ଏହାପରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଇବାକୁ ଚାହିଁଥିଲା। ହେଲେ ପ୍ରଶାସନର ମଣ୍ଡି ଖୋଲା ଓ ଧାନ କିଣାରେ ବିଳମ୍ବ ଯୋଗୁଁ ନିଜର ଉର୍ପାଜିତ ଫସଲକୁ ବାଧ୍ୟ ହୋଇ ଦଲାଲ୍ ହାତରେ ଟେକି ଦେଉଛି।
ଧର୍ମଗଡ଼ ଉପଖଣ୍ଡର କୋକସରା, ଗୋଲାମୁଣ୍ଡା, ଜୁନାଗଡ଼, କଲମପୁର ଓ ଧର୍ମଗଡ଼ ଅଞ୍ଚଳରେ ଚାଷର ୬୦ ପ୍ରତିଶତ ଧାନ ଚାଷୀ ଅମଳ କଲେଣି। କିନ୍ତୁ ଏହି ଧାନ ସବୁ ମଣ୍ଡିରେ ବିକ୍ରି ନହୋଇ ଦଲାଲ ହାତରେ ଓ ଛତିଶଗଡ଼କୁ ଚୋରା ଚାଲାଣ ହେଉଛି। ଦଲାଲ ଚାଷୀଙ୍କ ଠାରୁ ୯୫୦ ଟଙ୍କାରେ କିଣି ୧୧୫୦ ଟଙ୍କାରେ ଛତିଶଗଡ଼ରେ ବିକ୍ରି କରି ମାଲାମାଲ୍ ହେଉଛି। ଓଡ଼ିଶା ରାଜ୍ୟ ସମବାୟ ବିଭାଗ ଅଧୀନରେ ବିଭିନ୍ନ ସବ୍ଡିଭିଜନ, ବ୍ଲକ୍, ପଞ୍ଚାୟତ ସ୍ତରରେ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କାମ କରୁଥିବା ନିୟନ୍ତ୍ରିତ ବଜାର କମିଟି ଜରିଆରେ ୩୨ ଗୋଟି ମଣ୍ଡି କରାଯାଇ ଧାନ ମଣ୍ଡି ଖୋଲାଯାଇଥିଲା। କୃଷକର କୃଷି ଜାତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରୁ ଶେଷ ପ୍ରକ୍ରିୟା ଦ୍ରବ୍ୟ ସଂରକ୍ଷଣ ପର୍ଯ୍ୟନ୍ତ ନିୟନ୍ତ୍ରିତ ବଜାର କମିଟିର ଭୂମିକା ଗୌଣ କରାଯାଇ ପାରିବ ନାହିଁ। ଓପିଏମ୍ ଧାରା ୧୯୫୮ ଓ ୪୮ ଧାରା ଅନୁଯାୟୀ ନିୟନ୍ତ୍ରିତ ବଜାର କମିଟି ବିଭିନ୍ନ ଅଞ୍ଚଳରେ ତନଖୀ ଫାଟକରେ କୃଷିଜାତ ଦ୍ରବ୍ୟର ବିକ୍ରି ମୂଲ୍ୟ ଉପରେ ଶତକଡା ୧ ଭାଗ ଟିକସ ଆଦାୟ କରି ଏହି ଟିକସ ଅର୍ଥକୁ ସମ୍ପୃକ୍ତ ଅଞ୍ଚଳରେ ଚାଷୀଙ୍କ ସ୍ୱାର୍ଥ ଓ ସୁରକ୍ଷା ଲାଗି ଖର୍ଚ୍ଚ କରିବା କଥା। ହେଲେ ନିୟନ୍ତ୍ରିତ ବଜାର କମିଟିର ଡିଏଲ୍ଆର୍ ମାନେ ଏକ ପ୍ରତିଶତ ଅର୍ଥ ଆଦାୟ ନକରି ବରଂ ଦଲାଲଙ୍କୁ ସାହାଯ୍ୟ କରୁଛନ୍ତି।
ଗତ ବର୍ଷ ପ୍ରଶାସନ ମଣ୍ଡି ଜରିଆରେ ଧାନ କିଣି ସାରା ରାଜ୍ୟରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଥିବା ବେଳେ ଏଯାଏଁ ମଣ୍ଡି ଖୋଲିପାରିନାହିଁ। ଅନ୍ୟପଟେ ପ୍ରଶାସନ କହୁଛି ଯେ ୧୫ ତାରିଖ ଠାରୁ ମଣ୍ଡି ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ଚାଷୀଙ୍କ ପଞ୍ଜୀକରଣ କରାଯାଉଛି ଏବଂ ପରେ ଟୋକନ ଦେଇ ଧାନ ସଂଗ୍ରହ କରାଯିବ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୪ ଗୋଟି ମଣ୍ଡି ଅଧିକ ଖୋଲାଯାଇଛ, ଚାଷୀଙ୍କ ସୁବିଧା ପାଇଁ ପାନୀୟ ଜଳ, ଆଲୁଅ ବ୍ୟବସ୍ଥା ହୋଇଛି ବୋଲି ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ କହୁଛନ୍ତି। କିନ୍ତୁ ବିଗତ ବର୍ଷ ଖୋଲାଯାଇଥିବା ଖଇରପଦର, ଧର୍ମଗଡ଼, ପର୍ଲା, ନନ୍ଦଗା. ତରାପୁର, ଗୋଲାମୁଣ୍ଡା ବ୍ଲକ୍ର ଦଶପୁର, ଚପ୍ରିଆ, ଫରଙ୍ଗ କୋକସରା ବ୍ଲକ୍ର କୋକସରା, ଆମପାଣି, ଆଦି ମଣ୍ଡି ଗୁଡ଼ିକରେ କୌଣସି ପ୍ରକାର ସୁବିଧା ହୋଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଚାଷୀଙ୍କୁ ମଣ୍ଡିରେ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସାମାଜିକ କର୍ମୀ ବଜରଙ୍ଗ ଅଗ୍ରୱାଲ ଉପଜିଲ୍ଲାପାଳ ଧର୍ମଗଡ଼ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/paddy-new-indian-express.jpg)