ଧାନ ଦଲାଲଙ୍କ ଗୋଦାମରେ ଚଢ଼ଉ: ୧୫୪ ବସ୍ତା ଧାନ, ୧୬ କୁଇଣ୍ଟାଲ ପିଡିଏସ ଚାଉଳ, ୨୭ କୁଇଣ୍ଟାଲ ସାର ଜବତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡୋବ୍ରାର ଜଣେ ଧାନ ଦଲାଲଙ୍କ ଗୋଦାମରେ ପ୍ରଶାସନ ପକ୍ଷରୁ ସୋମବାର ଚଢ଼ଉ କରାଯାଇଥିଲା। ‌ସେଠାରୁ ୧୫୪ ବସ୍ତା ଧାନ, ୧୬ କୁଇଣ୍ଟାଲ ପିଡିଏସ ଚାଉଳ ଏବଂ ୨୭ କୁଇଣ୍ଟାଲ ସାର ଜବତ କରାଯାଇଥିଲା। ପ୍ରକାଶ ଯେ, ଜୋରାଡୋବ୍ରା ପଞ୍ଚାୟତସ୍ଥିତ ବନ୍ଦିତା ଏଣ୍ଟରପ୍ରାଇଜେସର ମାଲିକ ଯୁବରାଜ ରଣାଙ୍କ ଗାଡ଼ିରେ ଧାନ ବୋଝେଇ ହୋଇଥିବା ଖବର ପ୍ରଶାସନକୁ ମିଳିଥିଲା। ଏନେଇ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀଙ୍କ ନେତୃତ୍ବରେ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାସ, ଦୁର୍ଗାଚନ୍ଦ୍ର ବେଶ୍ରା, ଧୁମାରାମ ମୁର୍ମୁ, ବ୍ଲକ ଯୋଗାଣ ଅଧିକାରୀ ଶାନ୍ତାକାର ପ୍ରଧାନ ପ୍ରମୁଖ ଚଢ଼ଉ କରିଥିଲେ। ବନ୍ଦିତା ଏଣ୍ଟରପ୍ରାଇଜେସ ସମ୍ମୁଖରେ ଥିବା ୪୦୭ ଗାଡିରେ ଶହେ ବସ୍ତା ଧାନ ଲୋଡ଼ ହୋଇଥିବା ବେଳେ ଏହି ଧାନ  ପାଇକ ସଢେଲର ହରିପ୍ରିୟା ଏଗ୍ରୋକୁ ମଣ୍ଡିଠାରୁ ଯାଉଥିବାର ଏକ ହାତଲେଖା ଚାଲାଣ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡକୁ ଦେଖାଇଥିଲେ।

ମଦନପୁର ରାମପୁର ପଟେ ଯାଉଥିବା ଧାନ ବୋଝେଇ ଗାଡି ବିପରୀତ ଦିଗରେ କର୍ଲାମୁଣ୍ଡା ପଟେ ମୁହଁ କରିଥିଲା। ତଦନ୍ତ ପରେ ବନ୍ଦିତା ଏଣ୍ଟରପ୍ରାଇଜେସର ଗୋଦାମ ଗୃହରୁ ୧୫୪ ବସ୍ତା ଧାନ, ୧୬କୁଇଣ୍ଟାଲ ଚୋରା ପିଡିଏସ ଚାଉଳ ଓ ୫୪ ବସ୍ତା (୨୭ କୁଇଣ୍ଟାଲ) ୟୁରିଆ ଓ ପଟାସ ସାର ଏବଂ କୀଟନାଶକ ସାମଗ୍ରୀ ଜବତ କରିଥିଲେ। ଜବତ ଗାଡିକୁ ଥାନାକୁ ନିଆଯାଇ ତଦନ୍ତ ଜାରିରହିଛି। ଗୋଦାମକୁ ମଧ୍ୟ ସିଲ କରାଯାଇଥିବା ଜଣାପଡିଛି। ବନ୍ଦିତା ଏଣ୍ଟରପ୍ରାଇଜେସର ମାଲିକଙ୍କ ଭାଇ ଶାସକ ଦଳର ଖାସ ଲୋକ ହୋଇଥିବାରୁ ଅନେକ କଳା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ଓ ସରକାର ଏହାର ଉପଯୁକ୍ତ ତଦନ୍ତ କରି କଳା ବେପାରୀଙ୍କୁ ଉପଯୁକ୍ତ ଶାସ୍ତି ଦେଲେ ଜନସାଧାରଣ ମୌଳିକ ସୁବିଧାର ଲାଭ ଉଠାଇ ପାରିବେ ଓ କଳା କାରନାମାର ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର