କେସିଙ୍ଗାରେ ଏମ୍ଏସଏମ୍ଇ ପାର୍କ ହେବ: ଫୁଡ଼ ପାର୍କ ପାଇଁ ୪୦ କୋଟି ଖର୍ଚ୍ଚ ହେବ, ଏମ୍ଏସଏମ୍ଇ ପାର୍କ ପାଇଁ ୬୦ କୋଟି

୧୨୬ ଏକର ଜମି ଚିହ୍ନଟ ହୋଇଥିବା ବେଳେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଠାରେ ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ୧୦୦ କୋଟି ବିନିଯୋଗ ରେ ଏମ୍ଏସଏମ୍ଇ ପାର୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଫୁଡ଼ପାର୍କ ପାଇଁ ୪୦ କୋଟି ଟଙ୍କା ଓ ଏମ୍ଏସଏମ୍ଇ ପାର୍କ ପାଇଁ ୬୦ କୋଟି ଟଙ୍କା ବିନି ଯୋଗର ପ୍ରସ୍ତାବ ରହିଛି।ନ ୨୦୧୯- ୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ କେସିଙ୍ଗାଠାରେ ସରକାର ୧୨୬ ଏକର ଜମି ମଧ୍ୟ ଚିହ୍ନଟ କରିସାରିଛନ୍ତି। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାରେ ଟେକ୍ସଟାଇଲ ପାର୍କ ସ୍ଥାପନ ନିମନ୍ତେ ପ୍ରସ୍ତାବ ବିଚାରଧୀନ ଅଛି ବୋଲି ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ଅଧୀନ ଜାତୀୟ ରିସର୍ଚ୍ଚ ଓ ଡେଭେଲପ୍‌ମେଣ୍ଟ କର୍ପୋରେସନ୍ (ଏନ୍‌ଆର୍‌ଡିସି) ସହଯୋଗରେ ସମାଚାର ଜଷ୍ଟ କ୍ଲିକ୍‌ ପକ୍ଷରୁ ଆୟୋଜିତ ‘ଏମ୍‌ଏସ୍‌ଏମ୍‌ଇ ଏବଂ ଶିଳ୍ପ ପାଇଁ ଉତ୍ପାଦକତା, ଅଭିନବତା ଏବଂ ସୁଯୋଗ: ପୋଷ୍ଟ ଲକଡାଉନ୍ ୪.୦’ ଶୀର୍ଷକ ଏକ ୱେବିନାରକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ମିଶ୍ର ଏହି ସୂଚନା ଦେଇଛନ୍ତି। ପ୍ରବାସୀଙ୍କ ପରିଚାଳନାରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଓ ଓଡ଼ିଶା ଆଇପିଆର୍‌ ୨.୦ରେ ଲୋକଙ୍କ ଜୀବିକା ନିର୍ବାହ ଉପରେ ଆଲୋଚନା କରିଥିଲେ।

କୋଭିଡ୍‌-୧୯ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ବାରା ଖୁବ୍‌ ପ୍ରଶଂସା ସାଉଁଟିଛି। ସେହିପରି ରାଜ୍ୟ ସରକାରଙ୍କ ଦୃଢ଼ ତଥା ପ୍ରଭାବଶାଳୀ ଶିଳ୍ପନୀତି ଓଡ଼ିଶାର ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇକୁ ଭଲ ରୂପ ଦେଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ। ଏନଆର୍‌ଡ଼଼ିର ବିଶାଖାପାଟଣା ରିଜିଓନାଲ ମ୍ୟାନେଜର ଡ଼ଃ. ବିଜୟ ସାହୁ ସ୍ବାଗତ ଭାଷଣ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟର ପୂର୍ବ ଅତିରିକ୍ତ ଉନ୍ନୟନ କମିସନର ସମରେନ୍ଦ୍ର ସାହୁ, ନୂଆଦିଲ୍ଲୀର ସିଡବି ମହାପ୍ରବନ୍ଧକ ତଥା ଆଞ୍ଚଳିକ ମୁଖ୍ୟ ଡ଼ଃ. ଏସ୍‌.ଏସ୍‌ ଆଚାର୍ଯ୍ୟ, ଲେବାନନ ସ୍ଥିତ ଆମେରିକାନ୍ ବିଶ୍ବବିଦ୍ୟାଳୟ, ବେରୁଟର ପ୍ରଫେସର ଦିଗାମ୍ବର ପାତ୍ର, ଅହମ୍ମଦାବାଦ ଏଣ୍ଟରପ୍ରିନରସିପ୍ ଡେଭେଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ସହଯୋଗୀ ପ୍ରଫେସର୍‌ ଡ଼ଃ. ସତ୍ୟ ଆଚାର୍ଯ୍ୟ, ଏନ୍‌ଆରଡିସିର ରିଜିଓନାଲ ମ୍ୟାନେଜର ଡ଼ଃ. ବିଜୟ ସାହୁ, କଟକ ସ୍ଥିତ ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ଲଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜ୍‌ର ସାଧାରଣ ସମ୍ପାଦକ ଇଂ ସ୍ବସ୍ତିକ ସ୍ବାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଓମାନ ଉଚ୍ଚ ଶିକ୍ଷା ବିଭାଗ ସାମ୍ବାଦିକ ଓ ଯୋଗାଯୋଗ ବିଭାଗର ମୁଖ୍ୟ ଡ଼ଃ ଜାହାଙ୍ଗୀର ଖାନ୍‌ ଏହାକୁ ପରିଚାଳନା କରିଥିଲେ। ଆଇଆଇଟି ଭୁବନେଶ୍ବରର ଡ଼ଃ. ବିଭୁତି ପ୍ରସାଦ ସାହୁ ଓ ଡ଼ଃ. ନିରଞ୍ଜନ ମହାପାତ୍ର ବୈଷୟିକ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର