ଜୟପାଟଣା: ଜୟପାଟଣା ଓ କୋକସରା ବ୍ଲକକୁ ସଂଯୋଗ କରୁଥିବା ବାନେର-ଲଡୁଗାଁ ମୁଖ୍ୟ ରାସ୍ତା ବର୍ଷ ବର୍ଷ ଧରି ଅବହେଳିତ ଭାବରେ ପଡ଼ି ରହିଥିବାରୁ ଯାତାୟତରେ ଅନେକ ଅସୁବିଧା ସୃଷ୍ଟି ହେଉଥିଲେ ମଧ୍ୟ ତାହାର ନିରାକରଣ ବ୍ୟବସ୍ଥା ହେଉ ନ ଥିବା ହେତୁ ଉତ୍ତ୍ୟକ୍ତ ଜନତାଙ୍କୁ ଶେଷରେ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ପଡ଼ିଛି। ଏହି ରାସ୍ତାରୋକ ଆନ୍ଦୋଳନରେ ଜୟପାଟଣା ବ୍ଲକର ଛଅଟି ପଞ୍ଚାୟତ ସହ କୋକସରା ବ୍ଲକର ପ୍ରଭାବିତ ଅଞ୍ଚଳ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁଥିବା ସୂଚନା ମିଳିଛି।
ସ୍ଵାଧୀନତା ପରବର୍ତ୍ତୀ ସମୟରୁ ବାନେର- ଲଡୁ ଗାଁ ଚଉଦ କିଲୋମିଟର ସଡ଼କ ଏବେ ମରଣଜନ୍ତା ପାଲଟିଥିବା ବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ଓ ସାମାଜିକ ଗଣ ମାଧ୍ୟମ ବିଭିନ୍ନ ପ୍ରତିକ୍ରିୟା ସତ୍ତ୍ବେ କେହି କର୍ଣ୍ଣପାତ କରି ନ ଥିବା ହେତୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ି ଚାଲିଛି। ଏହି ରାସ୍ତା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରି ଓ ଧର୍ମଗଡ ବିଧାୟକ ମୌଶୋଧି ବାଗଙ୍କ ନିର୍ବାଚନ ମଣ୍ଡଳୀକୁ ସଂଯୋଗ କରିବା ସହ ଏନ୍ ଏଚ ସଂଯୋଗ କରୁଥିବାରୁ ଏହି ରାସ୍ତା ଲୋକଙ୍କ ଦ୍ୱାରା ସର୍ବାଧିକ ବ୍ୟବହୃତ ହୋଇଥାଏ। ଏହା ଏକ ମୁଖ୍ୟ ରାସ୍ତା ହୋଇଥିବା ସତ୍ତ୍ଵେ ସଡ଼କ କାମ କରିବା ପରିବର୍ତ୍ତେ ପୂର୍ତ୍ତ ବିଭାଗ ସମସ୍ୟାର ସ୍ଥାୟୀ ସମାଧାନ ପରିବର୍ତ୍ତେ ବର୍ଷ ବର୍ଷ ଧରି ଛେରା ପହଁରା କରି ଠିକାଦାର ପୋଷା ଚାଲିଥିବା ଲୋକେ ଅଭିଯୋଗ କରୁଛନ୍ତି।
/sambad/media/post_attachments/wp-content/uploads/2024/02/84fac443-a828-4e71-93fc-4e48f33fd35b.jpeg)
ସୂଚନାରୁ ପ୍ରକାଶ ଯେ , ଗତବର୍ଷ ଏହି ସଡ଼କ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୧୭ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରାଯାଇଥିଲା। ଗତବର୍ଷ ଜାନୁଆରୀ ମାସରେ ଲାଞ୍ଜିଗଡ ବିଧାୟକ ତରବରିଆ ଭୂମି ପୂଜନ ମଧ୍ୟ ସାରିଥିଲେ। ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ନ ହୋଇ ସେମିତି ପଡ଼ିରହି ଥିବା ଲୋକେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଏହି ସଡ଼କ ପାଇଁ କେହି ଜଣେ ଠିକାଦାର ମାନ୍ୟବର ହାଇକୋର୍ଟ ଙ୍କ ଠାରେ ଅଭିଯୋଗ କରିଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି ବୋଲି ପ୍ରକାଶ କରିଥିଲେ। ଆଜି ବନ୍ଦ ପାଳନ ଚାଲିଥିବା ବେଳେ ଜୟପାଟଣା ବ୍ଲକର ବାନେର ସମେତ ଭଇଁରିପାଲି, ରେଙ୍ଗଲ ପାଲି, ଉଛୁଳା, ବଡ଼ ପୁଝାରୀଗୁଡା ପଞ୍ଚାୟତର ସହ ଲଡୁ ଗାଁ ଆଦି ଗ୍ରାମର ଶହ ଶହ ଜନତା ଆନ୍ଦୋଳନରେ ସାମିଲ ହୋଇଥିବା ଜଣା ପଡିଛି।ଏତଦ୍ ବ୍ୟତୀତ ସଂପୃକ୍ତ ଅଞ୍ଚଳର ସରପଞ୍ଚ ଓ ପୂର୍ବ ଅଧ୍ୟକ୍ଷମାନେ ମଧ୍ୟ ସମର୍ଥନ କରିଥିବା ବେଳେ କଳାହାଣ୍ଡି ସେନା ଓ ଆଦିବାସୀ ସଂଘ ମଧ୍ୟ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/84a1cec2-2893-49d0-ab58-2b05022e808e.jpeg)