ଆରମ୍ଭ ହେଲା କଳାହାଣ୍ତି ଡାଇଲଗ୍‌:ମରୁଡ଼ି ଅଞ୍ଚଳରୁ ଜିଲ୍ଲା ଏବେ ଓଡ଼ିଶାର ଶସ୍ୟଡାଲା ପାଲଟିଛି: ମୁଖ୍ୟମନ୍ତ୍ରୀ

କୃଷି ମହାବିଦ୍ୟାଳୟରେ ୫ ସ୍ନାତକୋତ୍ତର ପାଠ୍ୟକ୍ରମର ଶୁଭାରମ୍ଭ

କପା ଓ ବାସ୍ନାଧାନର ଉତ୍କର୍ଷ ଗବେଷଣା କେନ୍ଦ୍ର ଉଦ୍‌ଘାଟିତ
ଭବାନୀପାଟଣା: ଗତ କିଛି ବର୍ଷ ମଧ୍ୟରେ କଳାହାଣ୍ତି ପୁନଃଜାଗରଣ ଓ ବିକାଶର କାହାଣୀ ଲେଖିବାରେ ସମର୍ଥ ହୋଇଛି। ଜିଲ୍ଲାରେ ଆଖିଦୃଶିଆ ପରିବର୍ତନ ହୋଇଛି। ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳରୁ ଏହା ଓଡ଼ିଶାର ‘ଶସ୍ୟଡାଲା’ରେ ପରିଣତ ହୋଇଛି। ଏସବୁ କେବଳ ଜିଲ୍ଲାବାସୀଙ୍କ ପ୍ରୟାସ ଫଳରେ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଭବାନୀପାଟଣା କୃଷି ମହାବିଦ୍ୟାଳୟ ପରିସରରେ ତିନିଦିନିଆ ‘କଳାହାଣ୍ତି ଡାଇଲଗ୍‌’ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଜିଲ୍ଲାରେ ବ୍ୟାପକ ଢାଞ୍ଚାଗତ ବିକାଶ ହୋଇଛି। ଚାଷଜମିକୁ ଜଳସେଚନ ୧୧୫ ପ୍ରତିଶତ ବଢ଼ିଛି। ଏକ ନୂଆ ସରକାରୀ ମେଡିକାଲ କଲେଜ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଶିଳ୍ପ ବିପ୍ଳବରେ ବି ଜିଲ୍ଲା ସହଭାଗୀ ହେବାକୁ ଯାଉଛି। ସଂଯୁକ୍ତ ବିକାଶ ଉପରେ ମୋ ସରକାରର ଲକ୍ଷ୍ୟ ଥିବା ବେଳେ କଳାହାଣ୍ଡି ଏହାର ପ୍ରକୃଷ୍ଟ ଉଦାହରଣ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅସୁସ୍ଥତା କାରଣରୁ ‌େସ ବ୍ୟକ୍ତିଗତ ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ପାରିନଥିବା ଦର୍ଶାଇଥିଲେ। ତେବେ କାର୍ଯ୍ୟକ୍ରମ ଆୟୋଜକମାନଙ୍କୁ ସାଧୁବାଦ ଜଣାଇବା ସହ କଳାହାଣ୍ଡି ଘୋଷଣାପତ୍ର ପ୍ରତି ତାଙ୍କ ସମର୍ଥନ ଜଣାଇଥିଲେ। ଏହା ଜିଲ୍ଲାକୁ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ବାଟ କଢ଼ାଇ ନେବ ବୋଲି କାମନା କରିଥିଲେ। ଏ ଅବସରରେ ଭବାନୀପାଟଣା କୃଷି ମହାବିଦ୍ୟାଳୟରେ ୫ଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମର ଶୁଭାରମ୍ଭ ଏବଂ ଆର୍ଆର୍ ଟିଟିଏସ୍ କୁ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରିଥିଲେ। ଏ ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଉପସ୍ଥିତ ଥିଲେ।
ଏହି ଅବସରରେ ପଦ୍ମଭୂଷଣ ଡ.ଶାମ୍ ପିଟ୍ରୋଡା ଭିଡିଓ କନଫରେନ୍ସ ମାଧ୍ୟମରେ ନିଜର ସନ୍ଦର୍ଭ ଉପସ୍ଥାପନ କରି କଳାହାଣ୍ତିରେ ବିକାଶ ଓ ସମ୍ଭାବନା ନେଇ ସେ ଖୁବ୍‌ ଉତ୍ସାହିତ ବୋଲି କହିଥିଲେ। ରାଜ୍ୟ ଯୋଜନା ବୋର୍ଡର ସ୍ବତନ୍ତ୍ର ସଚିବ ତଥା କଳାହାଣ୍ତି ଡାଇଲଗର ଅଧ୍ୟକ୍ଷ ସୁଜିତ କୁମାର ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଉ୍‌ଦଘାଟନ ଉତ୍ସବରେ ଜଳସେଚନ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ପୂର୍ବତନ ରାଜ୍ୟସଭା ସଦସ୍ୟ ଏ.ଭି. ସ୍ବାମୀ, ବିଶିଷ୍ଟ ଶିକ୍ଷାବିତ୍‌ ପ୍ର. ଗୋପବନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ରୁଆଣ୍ତାର ହାଇକମିଶନର ଆର୍ନେ‌ଷ୍ଟ ଵାମୁସିଓ ଯୋଗ ଦେଇ ଆଫ୍ରିକା ଓ ଏସିଆରେ ତାଙ୍କର ଅଭିଜ୍ଞତା ଉପସ୍ଥାପନ କରିବା ସହିତ କଳାହାଣ୍ତିର ଏକ ସକାରାତ୍ମକ ପରିବର୍ତ୍ତନ ଏବ˚ ଏକ ବିକାଶ ମଡେଲ ପାଇଁ ରାସ୍ତା ଉନ୍ମକ୍ତ ହେବ ବୋଲି କହିଥିଲେ ।
ସେହିଭଳି ପଦ୍ମଶ୍ରୀ ତୁଳସୀ ମୁଣ୍ତା, ଇଣ୍ତିଆ ସେଣ୍ଟର ଫାଉଣ୍ତେସନର ଅଧ୍ୟକ୍ଷ ବୈଭବ କାନ୍ତ ଉପାଧ୍ୟୟ, ପୂର୍ବ ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ସତ୍ୟ ନାରାୟଣ ସାହୁ, ରିଲାଏନ୍ସ ଇଣ୍ତଷ୍ଟ୍ରିର ଗ୍ରୁପ ପ୍ରେସିଡେଣ୍ଟ ବିଜୟ ସାହୁ, ଓୟୁଏଟିର ଉପକୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । କଳାହାଣ୍ତି ଜିଲ୍ଲାପାଳ ଡ.ଗାଭାଲି ପରାଗ ହର୍ଷଦ ଜିଲ୍ଲାର ବିକାଶ ଉପରେ ଏକ ତଥ୍ୟଭିତ୍ତିକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ସନ୍ଧ୍ୟାରେ ଜେଏନ୍ୟୁର ରିଏକ୍ଟର ଡ. ଚିନ୍ତାମଣି ମହାପାତ୍ର, ଜଗନ୍ନାଥ ମୁଣ୍ତ ପ୍ରମୁଖ ବିକାଶ ଅଭିମୁଖେ କଳାହାଣ୍ତିର ଜୟଯାତ୍ରା ଉପରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ କଳାହାଣ୍ତିର ଲୋକଗୀତ ଗାୟକ ସର୍ବେଶ୍ବର ଭୋଇ, ପର୍ବତାରୋହୀ ଯୋଗବ୍ୟାସ ଭୋଇ, କବି ଜୟଦ୍ରଥ ସୁନା ଓ ଚେସ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ସୁଶାନ୍ତ ପାଢ଼ୀ। କାର୍ଯ୍ୟକ୍ରମ ଶେଷରେ ଘୁମୁରା, ସଲପଢାପ, ଓଡ଼ିଶୀ, ଘୁଡ଼କା ଓ ଡାଲଖାଇ ନୃତ୍ୟ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେ‌ଷିତ ହୋଇଥିଲା।

ସମ୍ବନ୍ଧିତ ଖବର