ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଧାନମଣ୍ଡିରେ ଚାଷୀଙ୍କ ଅଡୁଆ ବଢିବାରେ ଲାଗିଛି। ଜିଲ୍ଲାରେ ୫୧ଟି ଧାନ ମଣ୍ଡିରୁ ପ୍ରାୟ ୨୯ଟି ମଣ୍ଡିରେ ଛାଉଣୀ ଥିବା ବେଳେ ଅବଶିଷ୍ଟ ମଣ୍ଡି ଖୋଲା ଆକାଶ ତଳେ ଚାଲିଛି। ବର୍ଷବର୍ଷ ଧରି ମଣ୍ଡି ଗୁଡିକରେ ଭିତ୍ତିଭୂମିର ସୁଧାର ହେଉନଥିବା ଯୋଗୁଁ ଚାଷୀମାନେ ରବି ଧାନ ବିକ୍ରି ବେଳେ କାଳବୈଶାଖୀ ଓ ବର୍ଷାର ଶିକାର ହେଉଛନ୍ତି। ଧାନ ଭିଜିବା ଯୋଗୁଁ ଅଧିକ କଟନି ଛଟନି ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାର ବର୍ତ୍ତମାନ ରବି ଧାନ କ୍ରୟ ଚାଲିଥିବା ବେଳେ କାଳବୈଶାଖୀ ଯୋଗୁଁ ଧାନ ଗୁଡିକ ବର୍ଷାରେ ଭିଜିବାରୁ ଆଦ୍ରତା ବୃଦ୍ଧି ପାଇବାରେ ଲାଗିଛି। ଆଦ୍ରତାର ଆଳ ଦେଖାଇ ମିଲର୍ସମାନେ ଅଧିକ କଟନି ଛଟନି କରୁଛନ୍ତି। ଜିଲ୍ଲାର ଜୁନାଗଡ ବ୍ଲକର ରାଜପୁର, ଦାସିଗାଁ, ମାଟିଗାଁ, ନକଟିଗୁଡା, ବାଲିଛଡା ସମେତ ବହୁ ମଣ୍ଡିରେ ଛାଉଣୀ ନାହିଁ। ଫଳରେ ଖୋଲା ଆକାଶ ତଳେ ଚାଷୀମାନେ ଭିଜା ଧାନକୁ ନେଇ ମଣ୍ଡିରେ ପଡି ରହିଛନ୍ତି। ସେହିଭଳି ଜୟପାଟଣା ବ୍ଲକର ବିମଳା, ବାଣ୍ଡିଗାଁ, କର୍ମେଲି, ଖଲିଆଭଟା, ମୁଖୀଗୁଡା, ରେଙ୍ଗାଲପାଲି, ପାଇକକେନ୍ଦୁମୁଣ୍ଡି, କଲମପୁର ବ୍ଲକର ମିନଗୁର, ଦୁଲକିବନ୍ଧ, ବିଜମରା, ଦେପୁର, ପଣ୍ଡିଗାଁ, ପରୁଆଗୁଡା, ବନ୍ଦକୋନା ସମେତ ବହୁ ମଣ୍ଡିରେ ଛାଉଣୀ ନାହିଁ। ଏହାର ସୁଯୋଗ ନେଇ ମିଲର୍ସମାନେ ୫ କେଜିରୁ ଅଧିକ ଧାନ କଟନି ଛଟନି କରୁଥିବାରୁ ଚାଷୀ କ୍ଷତିଗ୍ରସ୍ତ ହେଉଛି। କାଳବୈଶାଖୀ ଯୋଗୁଁ ମଣ୍ଡିରରେ ଧାନ ସୁରକ୍ଷିତ ନଥିବା ଯୋଗୁଁ ବାଧ୍ୟ ହୋଇ ଚାଷୀମାନେ କମ୍ ଦରରେ ଦଲାଲକୁ ଧାନ ବିକ୍ରୟ କରି ଦେଉଛନ୍ତି। ଜିଲ୍ଲାର ଆରଏମସି ମାନଙ୍କ ତରଫରୁ ଟିକସ ଆଦାୟ ହେଉଥିବା ବେଳେ ମଣ୍ଡି ଗୁଡିକର ଛାଉଣୀ ଓ ଭିତ୍ତିଭୂମିର ବିକାଶ ପାଇଁ ବିଳମ୍ବ ନେଇ କ୍ଷୋଭ ପ୍ରକାଶ ପାଇଛି। ଆରଏମସି ମାନଙ୍କରେ ମଣ୍ଡି ଗୁଡିକର ଭିତ୍ତିଭୂମି ପାଇଁ କୋଟି କୋଟି ଟଙ୍କା ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅନାଗ୍ରହ ଯୋଗୁଁ ଏହା ଖର୍ଚ୍ଚ ନହୋଇ ବର୍ଷବର୍ଷ ଧରି ପଡି ରହିଛି। ଖୋଲା ମଣ୍ଡିରେ ଦିଆଯାଉଥିବା ତାରପୋଲିନ ସମୁଦ୍ରକୁ ଶଙ୍ଖେ ଥିବା ବେଳେ କେତେକ ତାରପୋଲିନରେ ଚିରାଫଟା ଥିବା ଯୋଗୁଁ ଚାଷୀଙ୍କ କାମରେ ଆସି ପାରୁନାହିଁ। ଚାଷୀମାନେ ନିଜ ଉଦ୍ୟମରେ ଜରିବସ୍ତା ଓ ତାରପୋଲିନ ଆଣି ଧାନକୁ ବର୍ଷା ଦାଉରୁ ରକ୍ଷା କରିବାକୁ ଉଦ୍ୟମ କରୁଛନ୍ତି। ଠିକାଦାର ମାନଙ୍କ କବଜାରେ ଆରଏମସି ଗୁଡିକ ଥିବା ଯୋଗୁଁ ରାଜନୈତିକ ପତିଆରା ସୃଷ୍ଟି କରି ଛାଉଣୀ ଓ ଭିତ୍ତିଭୂମି ଟେଣ୍ଡର ପ୍ରକ୍ରିୟାରେ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଏଷ୍ଟିମେଟ ଓ ଏକ୍ସନପ୍ଲାନ ଅନୁମୋଦନ ପାଇଁ ସମବାୟ ବିଭାଗରେ ଫାଇଲ ବର୍ଷବର୍ଷ ଧରି ପଡି ରହୁଛି। ଉପଜିଲ୍ଲାପାଳମାନେ କାର୍ଯ୍ୟ ବ୍ୟସ୍ତତା ରହୁଥିବା ଯୋଗୁଁ ଆରଏମସି ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି। ମାସେ ବିଳମ୍ବରେ ମଣ୍ଡି ଚାଲିଥିବା ବେଳେ ବର୍ତ୍ତମାନ କାଳବୈଶାଖୀ ଓ ଅଦିନିଆ ବର୍ଷା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦିନବେଳେ ପ୍ରଚଣ୍ଡ ଗ୍ରୀଷ୍ମ ତାତି ଓ ସନ୍ଧ୍ୟାରେ କାଳବୈଶାଖୀ ଯୋଗୁଁ ଚାଷୀମାନେ ଖୋଲା ମଣ୍ଡିରେ ଧାନ ବିକ୍ରି ପାଇଁ ପଡି ରହୁଛନ୍ତି। ବସ୍ତା ବସ୍ତା ଧାନ ପଡି ରହୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ତାରପୋଲିନ ଦିଆଯାଉଥିବା କହି ନିଜ ଦାୟିତ୍ବ ଖସାଇବାକୁ ଚେଷ୍ଟା କରୁଛନ୍ତି। ଦଲାଲ କବଜାରେ ମଣ୍ଡି ଗୁଡିକ ଚାଲିଥିବା ବେଳେ କାଁ ଭାଁ ଚାଷୀ ମଣ୍ଡିକୁ ଆସି ହଟହଟା ହେବାକୁ ପଡୁଛି। ଜିଲ୍ଲାରେ ମିଲର୍ସ ମାନଙ୍କ ଉପରେ ଜିଲ୍ଲା ପ୍ରଶାସନର ଅଙ୍କୁଶ ରହୁନଥିବା ଯୋଗୁଁ ମଣ୍ଡିରେ ଏକଚାଟିଆ ଜୁଲୁମ ଚାଲିଥିବା ଅଭିଯୋଗ ହୋଇଛି। ପ୍ରକୃତ ଚାଷୀ ଅଣ୍ଡର ରେଟରେ ଧାନ ବିକ୍ରୟ କରୁଥିବା ବେଳେ ଦଲାଲ ଜରିଆରେ ଏହା ପଡୋଶୀ ଛତିଶଗଡକୁ ଚାଲାଣ ହେଉଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରାଙ୍କୁ ପଚାରିବାରୁ ଛାଉଣୀ ନଥିବା ମଣ୍ଡିରେ ଆରଏମସି ପକ୍ଷରୁ ପର୍ଯ୍ୟାପ୍ତ ତାରପୋଲିନ ଚାଷୀଙ୍କୁ ପ୍ରଦାନ କରାଯାଇଛି ବୋଲି କହିଥିଲେ।
କାଳବୈଶାଖୀ: ମଣ୍ଡିରେ ଚାଷୀଙ୍କ ଅଡ଼ୁଆ ବଢ଼ୁଛି
/sambad/media/post_attachments/wp-content/uploads/2019/06/kld3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)