ଶୋଷିଲା ମଣିଷ, ଯୋଜନା ମରୀଚିକା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ଧନସୁଲି ପଞ୍ଚାୟତର ପାହାଡ଼ ଉପରଗାଁ ଡଙ୍ଗରିଗୁଡାର ବାସିନ୍ଦା ୩ କିମି ଦୂର ନବରଙ୍ଗପୁର ଜିଲ୍ଲାର ଡାକୁଲଗୁଡ଼ା ଝରଣା ପାଣି ଉପରେ ସେମାନେ ନିର୍ଭର କରନ୍ତି। ପାନୀୟ ଜଳ ପାଇଁ ମହିଳାମାନେ ୩ କିମି ଚାଲଚାଲି ଡାକୁଲଗୁଡା ଝରଣାରୁ ପାଣି ଆଣିଥାନ୍ତି। ମଙ୍ଗଳପୁର ପଞ୍ଚାୟତର ଜୁନାପାଲି ଗ୍ରାମବାସୀ ଘୋଡ଼ାନାଲର ବାଲି ଚୁଆଁ ଉପରେ ନିର୍ଭର କରନ୍ତି। ଲାଞ୍ଜିଗଡ଼ ବ୍ଲକର ମନସ୍ତାରା ଗାଁ। ଯେଉଁଠି ଲୋକଙ୍କ ଶୁଦ୍ଧ ପାନୀୟ ଜଳ ମିଳିବା ଏବେ ବି ମରୀଚିକା ପାଲଟିଛି। ଲୋକେ ଲହଲ ଝରଣା ଉପରେ ବର୍ଷ ସାରା ନିର୍ଭର କରୁଛନ୍ତି। ଗାଁରେ ୩୦ରୁ ଅଧିକ ଘର ଆଦିବାସୀ ମହିଳା ଓ ଯୁବତୀ ମାଠିଆ ଗରିଆ ଧରି ନିକଟସ୍ଥ ଜଙ୍ଗଲକୁ ଯାଇ ଝରଣାରୁ ପାଣି ଆଣିଥାନ୍ତି। ଗୋଲାମୁଣ୍ଡା ବ୍ଲକର ଲେତେର ପଞ୍ଚାୟତର ୨୫୭୦ ଜନସଂଖ୍ୟା ବିଶିଷ୍ଟ ମକରାଗୁଡାରେ ୪ଟି ନଳକୂଅ ରହିଛି। ମାତ୍ର ପାଣି ପାନୀୟ ଉପଯୋଗୀ ନୁହେଁ। ଫଳରେ ସେମାନେ ୨ କିମି ଦୂର ଉଦନ୍ତୀ ନଦୀରେ ବାଲିଚୁଅାଁ କରି ମହିଳାମାନେ ପାଣି ସଂଗ୍ରହ କରନ୍ତି।
ଗୋଲାମୁଣ୍ଡା ବ୍ଲକର ପିଆ ପଞ୍ଚାୟତର କଣ୍ଟାମାଳ ଗ୍ରାମ ଶୋଷର ଅନ୍ୟ ଏକ ଉଦାହରଣ ଅଟେ। ଏହି ଗ୍ରାମର ଜନସଂଖ୍ୟା ୨୫୦୦ରୁ ଅଧିକ ଅଟେ। ୪ଟି ନଳକୂଅ ଥିଲେ ହେଁ ଲୌହଯୁକ୍ତ ପାଣି ହୋଇଥିବାରୁ ପୋଖରୀରେ ଖୋଳା ଯାଇଥିବା ପାଣି ବ୍ୟବହାର କରୁଛନ୍ତି। ଗୋଲାମୁଣ୍ଡା ବ୍ଲକର ଲେତେର ପଞ୍ଚାୟତର ବାଗମୁଣ୍ଡାର ୫ଟି ନଳକୂଅରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁ ଥିବାରୁ ବ୍ୟବହାର କରାଯାଇ ପାରୁ ନାହିଁ। ୨ କିମି ଦୂର ଉଦନ୍ତୀ ନଦୀ ଉପରେ ସେମାନେ ଭରସା କରନ୍ତି। ଭବାନୀପାଟଣା ସଦରବ୍ଲକ ମହକୁମା ଠାରୁ ମାତ୍ର ୮ କିମି ଦୂରରେ ଭଟାଙ୍ଗପଦର ନିକଟ ତଲଟାଙ୍ଗନକନା ଗାଁରେ ଗୋଟିଏ ବି ନଳକୂଅ ନାହିଁ। ୪୦ଟି ପରିବାର ରାବଣଦର ନାଳାର ବାଲିଚୁଆଁ ଉପରେ ନିର୍ଭର କରିଥାନ୍ତି। ଗୋଲାମୁଣ୍ଡା ବ୍ଲକରେ ଫ୍ଲୋରାଇଡ ଜଳର ବିକଳ୍ପ ପାନୀୟ ଜଳ ନିମନ୍ତେ ରାଜ୍ୟ ସରକାର ଏକ ବଡ଼ ପ୍ରକଳ୍ପ ହାତକୁ ନେଇଛନ୍ତି। ତେବେ ଏହି ପ୍ରକଳ୍ପ କାମ କେବେ ଶେଷ ହେବ ଲୋକଙ୍କ ଶୋଷ ମେଣ୍ଟିବ ତାକୁ ଚାହିଁ ରହିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧିତ ଖବର