ଜୁନାଗଡ଼: ଜୁନାଗଡ଼ ଥାନାରେ କାର୍ଯ୍ୟରତ ହୋମଗାର୍ଡ ବିଷ୍ଣୁ ବଲ୍ଲଭ କବୀର ନାମକ ହୋମଗାର୍ଡ ଜଣେ ମହିଳାଙ୍କୁ ଫୋନ୍ରେ ଧମକ ଦେବା ଘଟଣାରେ ପୁଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ବଦଳରେ ସଂପୃକ୍ତ ହୋମଗାର୍ଡଙ୍କୁ ରିଲିଭ୍ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ହୋମଗାର୍ଡ ବିଷ୍ଣୁ ଜଣେ ମହିଳାଙ୍କୁ ମୋବାଇଲ ଫୋନରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିବା ବିଷୟରେ ସଂପୃକ୍ତ ମହିଳା ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା ଜଣକ ଏସ୍ପିଙ୍କ ଠଶରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ ପ୍ରଶାସନ ସଂପୃକ୍ତ ହୋମଗାର୍ଡଙ୍କୁ ଭବାନୀପାଟଣା ପୁଲିସ ରିଜର୍ଭକୁ ବଦଳି କରି ଜୁନାଗଡ଼ରୁ ରିଲିଭ୍ କରି ଦେଇଛି। ସଂପୃକ୍ତ ହୋମଗାର୍ଡଙ୍କୁ ୫୦୬ ଧାରା ଅନୁଯାୟୀ ପୁଲିସ ଗିରଫ କରି ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅକ୍ଷୟ ଦାଶଙ୍କୁ ପଚାରିବାରୁ ଅଭିଯୋଗ ପରେ ସଂପୃକ୍ତ ଗୃହରକ୍ଷୀଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରକାଶ କରିଥିଲେ।