ଆବାସ ଯୋଜନା ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା, ସ୍ୱାଧର ଗୃହରୁ ଘରକୁ ଫେରିଲେ ପୀଡିତା

ଭବାନୀପାଟଣା : ଆବାସ ଯୋଜନାରେ ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣାରେ ସାଲେପାଲି ପଞ୍ଚାୟତ ସରପଞ୍ଚ ଜେଲ ଯାଇଛନ୍ତି । ଏହି ଘଟଣାରେ ପୀଡିତା ଘରେ ବାପା ମାଁ ନ ଥିବା ଯୋଗୁଁ ଭବାନୀପାଟଣା ସ୍ୱାଧର ଗୃହରେ ରହୁଥିଲେ । ଦାଦନ ଖଟି ଯାଇଥିବା ବାପା ମାଁ ଆଜି ରାଜକୋଟ ରୁ ଗାଁ କୁ ଫେରିବା ଫେରିଥିଲେ । ଆଜି ବାପା ମାଁ ସ୍ୱାଧର ଗୃହରୁ ଝିଅକୁ ନେଇ ଗାଁ କୁ ଫେରିଛନ୍ତି । ଅନ୍ୟପକ୍ଷରେ ପୀଡିତା ର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାତଦିନ ପରେ ମଧ୍ୟ ପୀଡିତାଙ୍କୁ ଆକ୍ରମଣ ଘଟଣା ରେ ମାତ୍ର ୨ ଜଣ ଗିରଫ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପୁଲିସ ହାତବାନ୍ଧି ବସିବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକର ସାଲେପାଲି ପଞ୍ଚାୟତର ସରପଞ୍ଚ ରମେଶ ଚନ୍ଦ୍ର ସାହୁ ଆବାସ ଯୋଜନାରେ ଘର ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଅଭିଯୋଗରେ ଜେଲ ଯାଇଛନ୍ତି । ଗତ ୧୮ ତାରିଖ ଦିନ ଥାନାରେ ଅଭିଯୋଗ ପାଇଁ ଥିବା ବେଳେ ସରପଞ୍ଚଙ୍କ ସମର୍ଥକ ମାନେ ପୁଲିସ ଉପସ୍ଥିତି ରେ ପୀଡିତାଙ୍କୁ ଆକ୍ରମଣ କରିଥିଲେ । ଜୀବନ ପ୍ରତି ବିପଦ ଥିବା ଯୋଗୁଁ ତାଙ୍କୁ ଭବାନୀପାଟଣା ସହରସ୍ଥିତ ସ୍ୱାଧର ଗୃହରେ ରଖା ଯାଇଥିଲା । ପୀଡିତାଙ୍କ ବାପା ମାଁ ରାଜକୋଟକୁ ଦାଦନ ଖଟିବା ପାଇଁ ଯାଇଥିଲେ । ରାଜକୋଟରୁ ଫେରିବା ପରେ କୋର୍ଟର ଅନୁମତି ଅନୁଯାୟୀ ସ୍ୱଧାର ଗୃହରୁ ଝୁଅକୁ ନେଇ ବାପା ମାଁ ଘରକୁ ନେଇଥିଲେ । ପୀଡିତା ଘରକୁ ଯିବା ପରେ ତାର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୧୮ ତାରିଖ ଦିନ ପୀଡିତା ଙ୍କୁ ଥାନାରେ ଆକ୍ରମଣ ଘଟଣାରେ ନଭେମ୍ବର ୧୯ ତାରିଖ ଦିନ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କିନ୍ତୁ ଏହି ଆକ୍ରମଣ ଘଟଣାରେ ପ୍ରାୟ ୩୦ ଜଣ ମହିଳା ଓ ପୁରୁଷ ସାମିଲ ହୋଇଥିବା ବେଳେ ପୁଲିସ ହାତବାନ୍ଧି ବସିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ନ କରି ପର୍ଯ୍ୟାପ୍ତ ସମୟ ଦେଇଥିବା ଯୋଗୁଁ ସେମାନେ ଗାଁ ରୁ ଖସି ଚାଲିଯାଇଛନ୍ତି । ପୁଲିସ ଏବେ ଅନ୍ଧାର ରେ ବାଡ଼ି ବୁଲାଉଛି । ପୁଲିସ ଭୟରେ କଛାରପାଲି ଗାଁରେ ଅନ୍ଧାରରେ ବାଡ଼ି ବୁଲାଇ ପଇଁତରା ମାରୁଛି  ଶାସକ ଦଳର ସମର୍ଥକ ହୋଇଥିବା ଯୋଗୁଁ ପୁଲିସ ନିରବି ଯାଇଥିବା ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।  ଅଭିଯୁକ୍ତ ସରପଞ୍ଚଙ୍କ ବିରୋଧରେ ମନରେଗା ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ହୋଇଥିଲା ।
ସେହିଭଳି ୧୦ ଏକର ଗୋଚର ଜମିକୁ ହଡ଼ପ କରି ଚାଷ କରିବା ନେଇ ଗ୍ରାମବାସୀ ମାନେ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ଏହି ଘଟଣା ମାନଙ୍କରେ ଶାସକ ଦଳର ସରପଞ୍ଚ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଅଭିଯୁକ୍ତ ସରପଞ୍ଚ ବିଜେଡ଼ି ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର ହୋଇଛନ୍ତି । ବର୍ତ୍ତମାନ ପୀଡିତା ର ସୁରକ୍ଷା ପ୍ରତି ବିପଦ ରହିଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିଛି । ଏନେଇ ମଦନପୁର ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ପୀଡିତା ସ୍ୱାଧର ଗୃହ ରୁ ଘରକୁ ଆସିଛନ୍ତି କିନ୍ତୁ ଆମକୁ କୌଣସି ସୂଚନା ଦେଇନଥିବା ବେଳେ ପୀଡିତାଙ୍କ ପରିବାର ପକ୍ଷରୁ ମଧ୍ୟ ଆମକୁ ଅବଗତ କରିନାହାନ୍ତି । ପୀଡିତାଙ୍କୁ ଆକ୍ରମଣ ଘଟଣାରେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଯୋଗୁଁ ସେମାନଙ୍କୁ ଗିରଫ କରାଯାଇପାରିନାହିଁ ବୋଲି କହିଥିଲେ । ସରପଞ୍ଚ ଗିରଫ ଘଟଣା ର ତଦନ୍ତ ଅଧିକାରୀ ଡିଏସପି ଗୁପ୍ତେଶ୍ୱର ଭୋଇଙ୍କୁ ପଚାରିବାରୁ ତଦନ୍ତ ଚାଲିଛି କିନ୍ତୁ ଚାର୍ଜସିଟ ପଠାଯାଇନାହିଁ ବୋଲି କହିଥିଲେ ।
ସମ୍ବନ୍ଧିତ ଖବର