କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ରିଞ୍ଜା ପଞ୍ଚାୟତ ଟକାରୁମାଲ ଗାଁରେ ବିଡିଓଙ୍କ ଦବଙ୍ଗଗିରି ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଟକାରୁମାଲ ବିଦ୍ୟାଳୟ ଗେଟ୍‌ରେ ପରିଚାଳନା କମିଟି ସଭାପତି ଗିରିଧାରୀ ମାଝୀଙ୍କ ନେତୃତ୍ବରେ ଶିକ୍ଷକ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍କୁଲରେ ତାଲା ପକାଇ ଅସନ୍ତୋଷ ଜାହିର କରିବା ସହ ଶ୍ରୀ ମାଝୀ ଶିକ୍ଷକ ନିଯୁକ୍ତ କରାନଗଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ହେଲେ ବିଡିଓ ସୁଚରିତା ମୁଗ୍ରୀ ସେଠାରେ ଉପସ୍ଥିତି ରହି ଶ୍ରୀ ମାଝୀଙ୍କୁ ମରିବାକୁ ପ୍ରବର୍ତ୍ତାଉଥିବା ଉକ୍ତ ଭାଇରାଲ୍‌ ଭିଡିଓରୁ ଜଣାପଡ଼ୁଛି।

Advertisment

publive-image

ସୂଚନାଯୋଗ୍ୟ, ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବାରୁ ପାଠପଢ଼ାରେ ବହୁ ଅସୁବିଧା ଦେଖାଯାଉଛି। ଏନେଇ ସ୍କୁଲ କମିଟି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିବାରୁ ସଭାପତି ଶ୍ରୀ ମାଝୀଙ୍କ ନେତୃତ୍ବରେ ଗୁରୁବାର ସକାଳ ୯.୩୦ରେ ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦିଆଯାଇଥିଲା। ସେହି ରାସ୍ତା ଦେଇ ବିଡିଓ କୌଣସି କାମରେ ଯାଉଥିବା ବେଳେ ଗେଟ୍‌ ସମ୍ମୁଖରେ ପିଲାମାନେ ରୁଣ୍ଡ ହୋଇଥିବା ଦେଖି ଅଟକିଥିଲେ। ସଭାପତିଙ୍କ ସହ ଉକ୍ତ ବିଷୟକୁ ନେଇ କଥା କଟାକଟି ହୋଇଥିଲା। ଶିକ୍ଷକ ନିଯୁକ୍ତି ନକଲେ ଆତ୍ମହତ୍ୟା କରିବେ ବୋଲି ସଭାପତି ଗିରିଧାରୀ ମାଝୀ କହିବା ପରେ ବିଡିଓ ଶ୍ରୀ ମାଝୀଙ୍କୁ ମରିବାକୁ ବାରମ୍ବାର କହୁଥିବା ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ବିଡିଓ ଶ୍ରୀ ମାଝୀଙ୍କ ବିରୋଧରେ ଅଭିଯୋଗ କରିବା ପରେ କର୍ଲାମୁଣ୍ଡା ପୁଲିସ୍ ଶ୍ରୀ ମାଝୀଙ୍କୁ କାବୁ କରି ଫାଣ୍ଡିରେ ଚାରିଘଣ୍ଟା ରଖିବା ପରେ ସନ୍ଧ୍ୟାରେ ମ.ରାମପୁର ଥାନାକୁ ପଠାଇ ଦେଇଥିବା ଜଣାଯାଇଛି। ଏହି ଘଟଣାଟି ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।