କେନ୍ଦୁପାଟି ଓ ବୋରଭଟା ପଞ୍ଚାୟତ ଇଓଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

୧ କୋଟି ୧୫ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକର କେନ୍ଦୁପାଟି ପଞ୍ଚାୟତ ଓ ବୋରଭଟା ପଞ୍ଚାୟତର ନିର୍ବାହୀ ଅଧିକାରୀ ତ୍ରିନାଥ ସାହୁଙ୍କ ଘର ଓ ପଞ୍ଚାୟତ ଅଫିସରେ ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ପ୍ରାଥମିକ ଆକଳନ ଅନୁସାରେ ୧ କୋଟି ୧୫ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ଇଓ ଶ୍ରୀ ସାହୁଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ତାଙ୍କ ଭବାନୀପାଟଣା ସହରସ୍ଥିତ ଜଳେଶ୍ୱର ମନ୍ଦିର ରାସ୍ତା ନୂଆପଡ଼ା ବାସଭବନ ଓ ତାଙ୍କ ଭାଇ ଠିକାଦାର ମହେନ୍ଦ୍ର ସାହୁଙ୍କ ଘରେ ଗୁରୁବାର ସକାଳୁ ଚଢ଼ଉ ଆରମ୍ଭ ହୋଇଥିଲା। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ, ଇନ୍‌ସପେକ୍ଟର ସୁଶାନ୍ତ ବିଶ୍ୱାଳ, ଶିବରାମ ସାହୁ, ଶରତଚନ୍ଦ୍ର ସାହୁ, ଦୀନବନ୍ଧୁ ବେହେରା, କଳାବତୀ ବାଗ, ପ୍ରମିଳା ସୁନା ପ୍ରମୁଖ ଚଢ଼ଉରେ ନେତୃତ୍ୱ ନେଇଥିଲେ।

ପିଇଓ ତ୍ରିନାଥ ସାହୁଙ୍କ ତିନି ମହଲା ବାସଭବନର ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା, ଗୋଟିଏ ହୋଣ୍ଡାଇ କାର୍‌ ଓ ଏହାର ଆନୁମାନିକ ମୂଲ୍ୟ ସାଢ଼େ ଛଅଲକ୍ଷ, ୧୦୦ ଗ୍ରାମ୍‌ ସୁନା, ଘର ଉପକରଣ ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ, ଭବାନୀପାଟଣା ରେଳ ଷ୍ଟେସନ ରାସ୍ତାରେ ସାଢ଼େ ପାଞ୍ଚ ଏକରର ଜମି ଓ ପାଚେରି ନିର୍ମାଣ ହୋଇଛି। ଏହାର ସମୁଦାୟ ଆନୁମାନିକ ମୂଲ୍ୟ ୬୦ଲକ୍ଷ ଟଙ୍କା, ବ୍ୟାଙ୍କ ଓ ଏଲଆଇସିରେ ପ୍ରାୟ ୧୦ଲକ୍ଷ ଟଙ୍କା ଜମା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।

ସେହିଭଳି କେନ୍ଦୁପାଟି ଓ ବୋରଭଟା ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଭିଜିଲାନ୍ସ ଇନ୍‌ସପେକ୍ଟର ନରେନ୍ଦ୍ର ବେହେରା, ଅଶୋକ ବିରୁଆ ପ୍ରମୁଖ ଚଢ଼ଉରେ ସାମିଲ ଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତଦନ୍ତ ଜାରି ରହିଥିଲା।

ସମ୍ବନ୍ଧିତ ଖବର