ଜୁନାଗଡ଼ ବ୍ଲକ୍‌ରେ ଜଙ୍ଗଲ ଅଧିକାର ସାବ୍ୟସ୍ତ କଲେ ଗ୍ରାମବାସୀ, ଗ୍ରାମ ଜଙ୍ଗଲ କମିଟି ଦ୍ୱାରା ଗୋଷ୍ଠୀ ଜଙ୍ଗଲର ବାଉଁଶ ବିକ୍ରି ଶୁଭାରମ୍ଭ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍‌ ପରେ ବର୍ତ୍ତମାନ ଜୁନାଗଡ଼ ବ୍ଲକରେ ଗ୍ରାମବାସୀମାନେ ଜଙ୍ଗଲ ଅଧିକାର ସାବ୍ୟସ୍ତ କରିଛନ୍ତି। ଜୁନାଗଡ଼ ବ୍ଲକ୍‌ ତଳଜାରିଙ୍ଗ ପାଞ୍ଚାୟତର ୪ଟି ଗ୍ରାମ ପ୍ରଥମ କରି ଗ୍ରାମ ଜଙ୍ଗଲ କମିଟି ଦ୍ୱାରା ଗୋଷ୍ଠୀ ଜଙ୍ଗଲର ବାଉଁଶ ବିକ୍ରି ଶୁଭାରମ୍ଭ କରିଛନ୍ତି।

ପ୍ରକାଶ ଯେ, ତଳଜାରିଙ୍ଗ ପଞ୍ଚାୟତ ଚେରମହୁଲ, ଉପରଜାରିଙ୍ଗ, ମିଚାସୋଲା, ସୁରୁଗୁଡ଼ା ଗ୍ରାମବାସୀ ୨୦୧୨ ମସିହାରେ ଅନ୍ତୋଦୟ ଅନୁଷ୍ଠାନ ସହଯୋଗରେ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଥିଲେ। ପରେ ତତ୍କାଳୀନ ଉପଜିଲ୍ଲାପାଳ ବିନିତ ଭରଦ୍ୱାଜ ଏହି ଜଙ୍ଗଲ ଅଧିକାର କମିଟିଗୁଡ଼ିକୁ ଗୋଷ୍ଠୀ ଜଙ୍ଗଲର ପଟ୍ଟା ପ୍ରଦାନ କରିଥିଲେ। ଜଙ୍ଗଲ ଅଧିକାର ଆଇନ ଅନୁସାରେ ନିଜ ଗୋଷ୍ଠୀ ଜଙ୍ଗଲର ସମ୍ବଳ ଅଞ୍ଚଳର ପରିଚାଳନା ଯୋଜନା ଅନୁଯାୟୀ ବାଉଁଶ ଅମଳ କରି ଗ୍ରାମସଭା ଅଧିକାର ଉତ୍ସବ ପାଳନ କରିଛନ୍ତି। ଏହି ଗ୍ରାମସଭାଗୁଡ଼ିକ ଡିପୋକୁ ତଳଜାରିଙ୍ଗ ସରପଞ୍ଚ କୁଞ୍ଜବିହାରୀ ସାହୁ ଉଦଘାଟନ କରିଥିଲେ। ପରେ ସରପଞ୍ଚ ନିଜେ ପ୍ରଥମ କରି ବାଉଁଶ କ୍ରୟ କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ମଦନପୁର ରାମପୁର ବ୍ଲକ୍‌ର ଜାମଗୁଡ଼ା ଗ୍ରାମସଭା ଓଡ଼ିଶାର ପ୍ରଥମ ଗ୍ରାମ ଭାବେ ବାଉଁଶ ବିକ୍ରି ଆରମ୍ଭ କରିଥିଲେ। ଏହା ପରେ ଗ୍ରାମସଭାଗୁଡ଼ିକ ଧୀରେ ଧୀରେ ସଚେତନ ହୋଇ ନିଜ ଗୋଷ୍ଠୀ ଜଙ୍ଗଲ ସମ୍ବଳର ସୁରକ୍ଷା, ସଂରକ୍ଷଣ ପରିଚାଳନା ଓ ଯୋଜନା ପ୍ରସ୍ତୁତ ସହ ଜଙ୍ଗଲ ଉପରେ ଆଦିବାସୀ ଓ ବନବାସୀଙ୍କ ଅଧିକାରକୁ ସାବ୍ୟସ୍ତ କରି ମଦନପୁର ରାମପୁର ବ୍ଲକ୍‌ରେ ୭ଟି ଗ୍ରାମସଭା ଏବଂ ବର୍ତ୍ତମାନ ଜୁନାଗଡ଼ ବ୍ଲକରେ ୪ଟି ଗ୍ରାମସଭା ବାଉଁଶର ଅମଳ ଓ ବିକ୍ରି ସ୍ୱାଧୀନ ଭାବେ କରୁଛନ୍ତି। ଏହି ଗ୍ରାମସଭାର ବାଉଁଶ ବିକ୍ରି ଉତ୍ସବରେ ଚେରମହୁଲ ଗ୍ରାମସଭାର ସମ୍ପାଦକ ଭଗବାନ ମାଝୀ, ଉପର ଜାରିଙ୍ଗ ଗ୍ରାମସଭାର ସମ୍ପାଦକ ଲିଙ୍ଗରାଜ ରାଉତ, ସୁରୁଗୁଡ଼ା‌ ଗ୍ରାମସଭାର ସମ୍ପାଦକ ଈଶ୍ୱର ପାତ୍ର, ମିଚାସୋଲା ଗ୍ରାମସଭାର ସମ୍ପାଦକ ତୁଳମଣି ବେମାଲ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର