କୋକସରା: କୋକସରା ବ୍ଲକ୍‌ କନ୍ଦାବୁଟ୍ରା ପଞ୍ଚାୟତ ୨ଗାଁ କନ୍ଦାବୁଟ୍ରା ଓ ତୁନଗାଁ ଗ୍ରାମବାସୀଙ୍କ ମଧ୍ୟରେ ଚୁକ୍ତିନାମା ହୋଇଥିଲା ଯେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ତୁନଗାଁରେ ସ୍ଥାପନ ହେବ। ହେଲେ ଚୁକ୍ତିକୁ ଅଣଦେଖା କରି କାର୍ଯ୍ୟାଳୟ କନ୍ଦାବୁଟ୍ରାରେ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିବାରୁ ତୁନଗାଁର ୫ ୱାର୍ଡ ବାସିନ୍ଦା ବିରୋଧ କରିଆସୁଛନ୍ତି। ଏଥିପାଇଁ ଅନେକ ସମୟରେ ଜିଲ୍ଲା ପ୍ରଶାସନ, ବ୍ଲକ୍‌ ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି। ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ନିଜର ହକ ଓ ଦାବି ପୂରଣ ପାଇଁ ଚଳିତ ପଞ୍ଚାୟତ ନିର୍ବାଚନକୁ ତୁନଗାଁ ଭୋଟର ବର୍ଜନ କରିବାକୁ ଶପଥ ନେଇଛନ୍ତି। ଗ୍ରାମରୁ ୫ ୱାର୍ଡରୁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। କାଶିବାହାଲ ପଞ୍ଚାୟତରୁ ୨୦୧୫ ରେ ଅଲଗା ହୋଇ କନ୍ଦାବୁଟ୍ରା ଏକ ସ୍ୱତନ୍ତ୍ର ପଞ୍ଚାୟତ ମାନ୍ୟତା ପାଇଛି। ୧୧ ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ତୁନଗାଁରେ ରହିଛି ୫ ୱାର୍ଡ। ଏଠାରେ ୧୧୨୮ ପାଖାପାଖି ଭୋଟର ରହିଛନ୍ତି।

Advertisment

ଚଳିତ ପଞ୍ଚାୟତ ନିର୍ବାଚନରେ କନ୍ଦାବୁଟ୍ରା ପଞ୍ଚାୟତରୁ ସମିତି ସଭ୍ୟ ପଦବି ପାଇଁ ୨ଜଣ ଓ ସରପଞ୍ଚ ପାଇଁ ୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ କୌଣସି ପ୍ରାର୍ଥୀଙ୍କୁ ତୁନଗାଁ ଗ୍ରାମବାସୀ ସମର୍ଥନ କରିବେ ନାହିଁ କି ଭୋଟ୍‌ ଦେବେ ନାହିଁ ବୋଲି ଭଗବାନ ପଟେଲ, ପ୍ରେମଲାଲ ଶବର, କୈଳାସ ନାଏକ, ହରପ୍ରସାଦ ପୁଝାରି, ଖଗେଶ୍ୱର ସୁନାନୀ, ପୀତାମ୍ବର ପଟେଲ, ତୁଲାରାମ ପଟେଲ, ଭୁବନେଶ୍ୱର ଶବର, ଅଭି ନାଏକ, ଚିତ୍ରସେନ ପଟେଲ, ରଏନୁ ପାଣିଗ୍ରାହୀ, ପରାସର ବେମାଲ, ଇନ୍ଦୁ ପଟେଲ, ମାଳତୀ ପଟେଲ, ଜୟମନି ପୁଝାରି, ଚୌବନି ପଟେଲ ସମେତ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।