ଜଳକଷ୍ଟରେ ଅନେକ ଗାଁ:ସହରୀ ଇଲାକାରେ ବଢ଼ି ଚାଲିଛି ଯୋଜନା

ଜୟପାଟଣା: ବିଭିନ୍ନ ଜଳଉତ୍ସ ଓ ଜଳ ପାଇଁ ଯୋଜନା ସହରାଞ୍ଚଳରେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଗ୍ରାମାଞ୍ଚଳର ଜଳକଷ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମୁନ୍ଦାଏ ପାଣି ପାଇଁ ଜୀବନ ସହ ସଂଗ୍ରାମ ଚଳାଇଥିବା ଲୋକଙ୍କୁ ସେଇ ଚିରାଚରିତ ଝରଣାର ଜଳ କିମ୍ବା ନଦୀଶଯ୍ୟାର ବାଲିଚୁଆଁ ସାର ହେଉଛି। ଉତ୍ତାପ ବଢ଼ିବା, ଜଙ୍ଗଲର ଅବକ୍ଷୟ ଜଳସ୍ତର ଦୂରକୁ ଚାଲି ଯାଉଥିବାରୁ ଏକଦା ଜଳର ପ୍ରାଚୁର୍ଯ୍ୟ ମଧ୍ୟରେ ଥିବା ମଣିଷଙ୍କ ପାଇଁ ନିଜ ନିଜର ପାହାଡ଼ି ଭିତ୍ତିଭୂମି ଏବେ ଆଫ୍ରିକାର କେପ୍‌ଟାଉନ୍‌ର ଅବସ୍ଥା ଭୋଗିବାକୁ ପଡ଼ିଲାଣି। ଏଭଳି ସ୍ଥିତିରେ ଡଙ୍ଗରୀଗୁଡ଼ାର ଲୋକେ ନବରଙ୍ଗପୁର ଜିଲ୍ଲାର ଡାକୁଲଗୁଡ଼ା ୩ କିଲୋମିଟର ରାସ୍ତା ଅତିକ୍ରମ କରି ପାଣି ପାଇଁ ଯିବାର କଷ୍ଟ ପ୍ରଶାସନକୁ ଚାପ ପକାଇ ପାରିଲା ନାହିଁ। କେବଳ ମୁନ୍ଦାଏ ପାଣି ପାଇଁ ଲୋକେ ଡଙ୍ଗରୀଗୁଡ଼ା ଛାଡ଼ି ତଳ ଡଙ୍ଗରୀଗୁଡ଼ାର ଘଞ୍ଚ ଜଙ୍ଗଲ ମଧ୍ୟରେ ଜୀବନ ବିତାଇବା ଆରମ୍ଭ କଲେ।

ତଥାପି ପ୍ରଶାସନ ସ୍ଥାଣୁ ପାଲଟିଛି। ପାଣି ପାଇଁ ଭିଟାମାଟି ଛାଡ଼ିଥିବା ଏହି ମଣିଷଙ୍କ ପାଇଁ ଝରଣାର ସାମାନ୍ୟ ଜଳଉତ୍ସ ଭିଟାମାଟି ଛାଡ଼ିବାକୁ ବାଧ୍ୟ କରିଥିଲା। ନଳକୂପ ଓ ପାଇପଜଳ ନାମରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ତଥାପି ଜଳସଂକଟ ଦୂର ହୋଇପାରୁ ନାହିଁ। ଏବେ ବି ଗମନାଗମନରୁ ବଞ୍ଚିତ ଥିବା ଗାଁମାନେ ବର୍ଷାରେ ଗୋଳିଆ ପାଣି ଓ ଖରାରେ ବାଲିଚୁଆଁ ଉପରେ ନିର୍ଭର କରିବାକୁ ପଡ଼ୁଛି। ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ଧନଶୂଳି ପଞ୍ଚାୟତର ଶାସ୍ତୁଗୁଡ଼ା ଗ୍ରାମ ସଂଲଗ୍ନ ଭାଲୁଯୋର ନାଳା ପାଖରୁ ହିଁ ବିକାଶ ଶବ୍ଦ ବାଟ ହୁଡ଼ିଯାଏ। ଭାଲୁଯୋର ନଦୀର ବାଲୁକା ଶଯ୍ୟାରେ ବାଲିଚୁଆଁ କରି ପିଇବା ପାଣି ସଂଗ୍ରହ କରନ୍ତି ନୂଆପଡ଼ାର ୨୫, ଦେଶିଆପଡ଼ାର ୧୫ ଓ କେଶମିଅ ପଡ଼ାର ୧୨ ପରିବାର। ଏହି ସବୁ ୫୨ ପରିବାର ପାଇଁ ଭାଲୁଯୋର ନାଳା ହିଁ ଜୀବନ ଦାୟିନୀ। ଖରା ମାସରେ ନଦୀ ଶଯ୍ୟାରେ ବାଲିଚୁଆଁ କରି ପାଣି ପିଉଥିବା ଲୋକଙ୍କ ପାଇଁ ବର୍ଷାରେ ନଦୀ ପ୍ରତିବନ୍ଧକ ସାଜିଲେ ଗୋଳିଆ ପାଣିକୁ ମଧ୍ୟ ପିଇବାକୁ ପଡ଼ିଥାଏ।  ଲୋକଙ୍କ ଜଳକଷ୍ଟକୁ ସବୁବେଳେ ହାଲୁକା ଭାବରେ ନେଇ ଆସୁଥିବା ପ୍ରଶାସନ ଓ ନେତାଙ୍କ ପାଇଁ ଉପର ଆଟିଗାଁ, ଡଙ୍ଗରୀଗୁଡ଼ା, ଢୁଲୁପଖାନ, ବାଙ୍ଗଟିସାହାଜ ଭାଟିପାଶ, ତୋଟାପଡ଼ା, କରାଘାଟି, ଟେଣ୍ଡକାଚୁଆଁ, ପଟାକୁସୁମୀ ଆଦି ଗାଁମାନଙ୍କରେ ଜଳକଷ୍ଟକୁ ନେଇ ଲୋକଙ୍କ ଭିତରେ ଅନେକ ଅନ୍ତର୍ଦାହ ଦେଖିବାକୁ ମିଳେ।

ସହରୀ ଜୀବନରେ କିଛି ଭିନ୍ନତା ଦେଖିବାକୁ ମିଳୁଥିବା ବେଳେ ପ୍ରତିକ୍ରିୟାଶୀଳ ମଣିଷମାନଙ୍କୁ ପାଇପ ଯୋଗେ ପାଣି, ସୌରଶକ୍ତି ପରିଚାଳିତ ନଳକୂପ ଆଦିର ବ୍ୟବସ୍ଥାରେ ବଢ଼ିବାରେ ଲାଗିଛି। ଯୋଜନା ଯେତେ ଆସିଲେ ବି ଅନେକ ସ୍ଥାନରେ ଆନ୍ତରିକତା ଓ କାର୍ଯ୍ୟରେ ସ୍ୱଚ୍ଛତା ଅଭାବ, ଯୋଜନାକୁ ଅଧାବାଟରୁ ହିଁ ଦିଶାହୀନ ହେବାକୁ ପଡ଼ୁଛି।

ଏବେ ଜୟପାଟଣା ବ୍ଲକ୍‌ର ୨୨ଟି ଗ୍ରାମପଞ୍ଚାୟତରେ ମୋଟ ୧୩୮୯ଟି ନଳକୂପ ସାଙ୍ଗକୁ ସୌରଶକ୍ତି ସଂପନ୍ନ ବ୍ୟୟବହୁଳ ୪୩ଟି ନଳକୂପ ଥିବା ବେଳେ ବଡ଼ପୁଝାରୀଗୁଡ଼ା, ଉଚ୍ଛୁଳା ଓ ପ୍ରତାପପୁର ସୌରଶକ୍ତି ନଳକୂପ ଅଚଳ ହୋଇପଡ଼ିଛି। ପାଇପ ଯୋଗେ ଜୟପାଟଣା, ରଣମାଳ, ବଡ଼ଟେମରୀ, ଉମେର୍‌, ମଙ୍ଗଳପୁର, ବାଞ୍ଜିବାହାଲ, ଭଇଁରୀପାଲି ଆଦି ଅଞ୍ଚଳରେ ପାନୀୟଜଳ ଯୋଗାଣ ଚାଲିଥିଲେ ମଧ୍ୟ ସବୁବେଳେ କାର୍ଯ୍ୟକ୍ଷମ ହୋଇପାରୁନଥିବା ଅଭିଯୋଗମାନ ଆସୁଥାଏ। ଜୟପାଟଣା ସହରକୁ ହାତୀନଦୀରୁ ଜଳଯୋଗାଣ ପ୍ରକଳ୍ପ ଅଦ୍ୟାବଧି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିବା ପରେ ମଧ୍ୟ ସନ୍ଦିହାନରେ ପ୍ରକଳ୍ପର କାର୍ଯ୍ୟକାରିତ ରହିଯାଇଛି। ବର୍ତ୍ତମାନ ପୁଣି ସେହି ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଆଉ ଏକ ନୂତନ ପ୍ରକଳ୍ପ ୩୦ ଲକ୍ଷ ଟଙ୍କାରେ ନିର୍ମାଣାଧୀନ ଥିବା ବେଳେ ଆରମ୍ଭରୁ ହିଁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିସାରିଲାଣି। ଏହି ଅଞ୍ଚଳର ମଣିଷଙ୍କ ଅଦ୍ୟାବଧି ଟୋପାଏ ଜଳ ପାଇଁ କଷ୍ଟ ଅନବରତ ଲାଗି ରହିଥିବା ବେଳେ ଏହ ିଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ସ୍ୱର ଉଠାଇଥିବା ନେତାମାନେ କେତେ ବାସ୍ତବମୁଖୀ ହେବେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର