ଲୋକଙ୍କୁ ମିଳୁନି, ଡ୍ରେନ୍‌ରେ ବୋହୁଛି ପାଣି

ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଦିନକୁ ଦିନ ଜଳ ସଙ୍କଟ ବଢ଼ିବାରେ ଲାଗିଛି। ସହରବାସୀ ପାଣି ଟୋପେ ପାଇଁ ଘଣ୍ଟା ଘଣ୍ଟା ଧରି ଷ୍ଟାଣ୍ଡପୋଷ୍ଟରେ ଠିଆ ହେଉଛନ୍ତି। ତଥାପି ସଠିକ ପରିମାଣରେ ପାଣି ପାଇ ପାରୁନାହାନ୍ତି।
ସୂଚନାରୁ ଅନୁସାରେ, ଜୁନାଗଡ଼ ଏନଏସିର ୧୨ଟି ୱାର୍ଡରେ ୫୦୨ଟି ଘରୋଇ କନେକ୍ସନ ଅଛି। ସେହିଭଳି ୨୩୨ଟି ନଳକୂଅ ଥିବା ବେଳେ ପାଇପ ଯୋଗେ ଜଳ ଯୋଗାଣ ପାଇଁ ୧୫୫ଟି ଷ୍ଟାଣ୍ଡପୋଷ୍ଟ ଅଛି। ଜୁନାଗଡ଼ ସହରକୁ ପ୍ରତିଦିନ ୩.୨୬ ମିଲିଅନ ଲିଟର ଜଳ ଯୋଗାଣ ହେଉଥିବା ବେଳେ ଆଉ ୨.୩୮ମିଲିଅନ ଲିଟର ଜଳ ଆବଶ୍ୟକତା ରହିଛି। ଜନ ସ୍ବାସ୍ଥ୍ୟ ବିଭାଗ ଅଫିସର ୫୦ ମିଟର ଦୂରରେ ପାଣି ଅପେକ୍ଷାରେ ଲୋକେ ଷ୍ଟାଣ୍ଡପୋଷ୍ଟ ଆଗରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା ବେଳେ ପାଣି ମଧ୍ୟ ପାଇ ପାରୁ ନାହାନ୍ତି। ଅନ୍ୟପକ୍ଷରେ ଲୋକମାନେ ପାଣି ପାଇଁ ଡ଼ହଳବିକଳ ହେଉଥିବା ବେଳେ ଜନ ସ୍ବାସ୍ଥ୍ୟ ବିଭାଗ ଲକ୍ଷ ଲକ୍ଷ ଲିଟର ପାଣିକୁ ଡ୍ରେନରେ ଛାଡ଼ି ଦେଉଥିବା ଘଟଣା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିଭଳି ଜୁନାଗଡ଼ ନିକଟସ୍ଥ ହାତୀନଦୀରୁ ୨୬ କିମି ଦୂର ଭବାନୀପାଟଣାକୁ ପ୍ରତିଦିନ ୧୬ କୋଟି ୧୪ ଲକ୍ଷ ୫୦ ହଜାର ଲିଟର ଜଳ ଯୋଗାଣ ହେଉଥିବା ବେଳେ ଜୁନାଗଡ଼ବାସୀ ଶୋଷିଲା ହେବା ଘଟଣା ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଏନେଇ ଜନ ସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ସୁଜିତ ପଟ୍ଟନାୟକଙ୍କୁ ପଚାରିବାରୁ ଟାଙ୍କି ଓଭର ଫ୍ଲୋ ହେଉଥିବାରୁ ଡ୍ରେନରେ ପାଣି ଛଡାଯାଉଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର