ଉତ୍କେଲା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କିକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁର୍ଲି ଗ୍ରାମରେ ରହନ୍ତି ବିଧବା ଯଶୋବନ୍ତୀ ପ୍ରଧାନ (୬୨ବର୍ଷ) ଓ ତାଙ୍କ ଦିବ୍ୟାଙ୍ଗ ପୁଅ ସମିର ପ୍ରଧାନ (୨୬ବର୍ଷ)। ଉଭୟେ ଅତି ଦୟନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଆଜି ଯାଏ ଉଭୟଙ୍କୁ ପ୍ରଶାସନ ପକ୍ଷରୁ ଭତ୍ତା ମିଳି ନାହିଁ।
ପ୍ରକାଶ ଯେ ସ୍ୱାମୀ ଦୂତିବାହନ ପ୍ରଧାନ(୬୩)ଙ୍କ ତିନିବର୍ଷ ତଳେ ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର କହିଲେ କେବଳ ଯଶୋବନ୍ତୀ ଓ ଏକମାତ୍ର ଦିବ୍ୟାଙ୍ଗ ପୁଅ। ପରିବାରର ଭରଣପୋଷଣ ବୋଝ ଯଶୋବନ୍ତୀଙ୍କ ଉପରେ। ବହୁ କଷ୍ଟରେ ମା’ ପୁଅ ରହୁଥିବାରୁ ଭତ୍ତାକୁ ଅନେଇ ବସିଛନ୍ତି। ଦିବ୍ୟାଙ୍ଗ ପୁଅକୁ ନିଜ ସାଙ୍ଗରେ ଧରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଧବା ମା’ ବୁଲି ସରକାରୀ ବାବୁମାନଙ୍କୁ ନେହୁରା ହେଉଛନ୍ତି। କିନ୍ତୁ ସରକାରୀ ବାବୁମାନେ ଏହି ନିରୀହ ମା’ ପୁଅଙ୍କ ଗୁହାରି ଶୁଣୁନାହାନ୍ତି। ପୁଅ ଜନ୍ମ ହେଲା ଦିନଠାରୁ ଦିବ୍ୟାଙ୍ଗ ହୋଇ ଘରେ ଶଯ୍ୟାଶାୟୀ ହୋଇ ପଡ଼ିରହିଥିବା ବେଳେ ଏବେ ବୁଢ଼ୀ ବୟସରେ କୌଣସି କାମ ଧନ୍ଦା କରି ନପାରି ଦିବ୍ୟାଙ୍ଗ ପୁଅକୁ ଧରି ଅତି ଦୟନୀୟ ଅବସ୍ଥାରେ ଦୁଇଜଣ ଜୀବନ ଯାପନ କରୁଛନ୍ତି। ତୁରନ୍ତ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।