କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ରେଙ୍ଗାଲି ଗ୍ରାମର ତିଳୋତ୍ତମା ରଣା (୨୮) ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ଦାଦନ ଶ୍ରମିକ ଭାବେ କାମ କରି ତିନି ପିଲାଙ୍କ ସହ ଶାଶୂଙ୍କର ବୋଝ ସମ୍ଭାଳୁଥିବା ଦେଖିବାକୁ ମିଳିଛି। ସୂଚନା ମତେ ବ୍ଲକ ସଦରଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ରାଙ୍ଗାଲି ଗ୍ରାମର ସ୍ୱର୍ଗତ କୁମୁଦ ରଣା ୨୦୧୭ ମସିହାରେ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ସେହି ଦିନ ଠୁଁ ପରିବାର ବୋଝ ଲଦି ହୋଇଛି ପତ୍ନୀ ତିଳୋତ୍ତମାଙ୍କ ଉପରେ।
ତିଳୋତ୍ତମାଙ୍କ ବଡ଼ ଝିଅ କମଳିନୀ ମାମୁଁ ଘର ବଲାଙ୍ଗୀର ଜିଲ୍ଲାର କୁସମାଲଠାରେ ରହି ଚତୁର୍ଥ ଶ୍ରେଣୀ ପାଠ ପଢୁଥିବା ବେଳେ ଦ୍ୱିତୀୟ ଝିଅ କାମିନୀ (୭) ସାନ ପୁଅ ଝସକେତନ (୪) ଓ ବିଧବା ବୃଦ୍ଧା ଶାଶୂ ନିରବତୀ ରଣା ପ୍ରମୁଖଙ୍କ ଦାୟିତ୍ୱ ସହ ସ୍ୱାମୀଙ୍କର ଚିକିତ୍ସା ପାଇଁ ହୋଇଥିବା ଧାର କରଜ ଶୁଝିବା ଏବେ ମୁଣ୍ଡ ଉପରେ ରହିଛି। ତେବେ ଏ ସମସ୍ତ କାମ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଶାଶୂ ଓ ବୋହୂଙ୍କର ବିଧବା ଭତ୍ତା ଓ ଟଙ୍କିକିଆ ଚାଉଳ ହିଁ ଏକମାତ୍ର ଭରସା।
ପାଞ୍ଚ ପ୍ରାଣୀ କୁଟୁମ୍ବ ଚଳିବା ଓ ଲୋକଙ୍କ ଧାର ଟଙ୍କା ଫେରାଇବାକୁ ଯାଇ ତିଳୋତ୍ତମା ଗତ ନଭେମ୍ବର ମାସରେ ଛୁଆମାନଙ୍କୁ ଶାଶୂଙ୍କ ଦାୟିତ୍ୱରେ ଛାଡ଼ି ଦାଦନ ଖଟିବାକୁ ବଲାଙ୍ଗୀରର ଏକ ଇଟା ଭାଟିକୁ ଯାଇ ଚଳିତ ମାସରେ ଘରକୁ ଫେରିଥିଲେ। ଆସନ୍ତା ମାସରେ ପୁଣି ଦାଦନ ଖଟିଯିବାକୁ ଯିବାର ଥିବା ତିଳୋତ୍ତମା କହିଛନ୍ତି। ଏଣୁ ଏହି ପରିବାର ତିନି ଛୁଆଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ତିଳୋତ୍ତମା ଅନୁରୋଧ କରିଛନ୍ତି।