କଳାହାଣ୍ଡି: କଳାହାଣ୍ଡି ନର୍ସିଂ ଛାତ୍ରୀ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୁଲିସ ୮ ଅଭିଯୁକ୍ତଙ୍କୁ ଗତକାଲି କୋର୍ଟ ଚାଲାଣ କରିବା ପରେ ମୁହଁ ଖୋଲିଛନ୍ତି ପୀଡ଼ିତା। ସେ କହିଛନ୍ତି ତାଙ୍କ ସହ ଦୁଷ୍କର୍ମ କରିଥିବା ୭ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦିଆ ନ ଗଲେ ସେ ଆତ୍ମହତ୍ୟା କରିବେ। ପୁଲିସର ରାଜସାକ୍ଷୀ ହୋଇଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ଏହି ଘଟଣାର ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା ଏକ ୱେବ୍ ଚାନେଲକୁ କହୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଗୁରୁବାର ସଂଧ୍ୟାରେ ଭାଇରାଲ ହୋଇଥିବା ଭିଡିଓରେ ମୁହଁ ଘୋଡ଼ାଇଥିବା ଜଣେ ଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ନିଜକୁ ସେ ପୀଡ଼ିତା ଛାତ୍ରୀ ବୋଲି କହିବା ସହ ତାଙ୍କ ସହ କଣ ଘଟିଥିଲା ତାହା ସ୍ପଷ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଗତ ୧୪ ତାରିଖ ଦିନ ଅସୁସ୍ଥତା ଯୋଗୁଁ ସେ ଭବାନୀପାଟଣାସ୍ଥିତ ଡା. ଅଗ୍ରୱାଲଙ୍କ ପାଖକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରୁ ବସଷ୍ଟାଣ୍ଡକୁ ଆସିଥିଲେ। ଏହି ସମୟରେ ବସ୍ ଡ୍ରାଇଭର ଲଳିତେନ୍ଦ୍ର ସହ ତାଙ୍କର ଦେଖା ହୋଇଥିଲା। ସେ ବାଇକ୍ରେ ତାଙ୍କୁ ଲିଫ୍ଟ ଦେଇଥିଲା। ଲଳିତେନ୍ଦ୍ର ସହ ଯୁବତୀ ବାଇକ୍ରେ ବସି ଜୁନାଗଡ଼ ଅଭିମୁଖେ ଫେରୁଥିଲେ। ବାଟରେ ଲଳିତେନ୍ଦ୍ରଙ୍କ ମୋବାଇଲକୁ ଦୁଇ ଥର ଫୋନ୍ ଆସିଥିଲା। ସେ ‘ଯାଉଛି ଯାଉଛି, ‘ଶୀଘ୍ର ପହଞ୍ଚୁଛି’ ବୋଲି କହିଥିଲା। ବନମାଳୀପୁର ଛକ ନିକଟରେ ସେ ବାଇକ୍କୁ ଧିମା କରି ଅଟକାଇଦେବା ପରେ ୬ ଜଣ ଯୁବକ ଆସି ତାଙ୍କୁ ଘନା ସଂରକ୍ଷିତ ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ପ୍ରଥମେ ଲଳିତେନ୍ଦ୍ର ତାଙ୍କୁ ଦୁଷ୍କର୍ମ କରିଥିଲା ଓ ପରେ ଅନ୍ୟ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଭିଡିଓ ତିଆରି କରିଥିଲେ।
ଲଳିତେନ୍ଦ୍ରଙ୍କୁ ପୁଲିସ ଗିରଫ କରି ନ ଥିବାରୁ କ୍ଷୋଭ ପ୍ରକାଶ କରି ଯୁବତୀ ଜଣକ ଲଳିତେନ୍ଦ୍ର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି। ଏଥିସହ ଲଳିତେନ୍ଦ୍ର ଓ ଅନ୍ୟ ୬ ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯାଉ, ନଚେତ ସେ ଆତ୍ମହତ୍ୟା କରିବେ ବୋଲି ଉକ୍ତ ଭିଡିଓରେ ଯୁବତୀ ଜଣକ କହିଛନ୍ତି।