ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ମଣ୍ଡି ବ୍ୟବସ୍ଥା ନଥିବା ବେଳେ ରାସ୍ତାରେ ଚାଷୀମାନେ ଧାନ ବିକ୍ରି କରୁଛନ୍ତି ତ କେଉଁଠି ମଣ୍ଡି ଥିଲେ ମଧ୍ୟ ଛାଉଣି ନଥିବାରୁ ଖୋଲା ଆକାଶ ତଳେ ଶୀତ କାକରରେ ଧାନ ଜଗଇ ରହୁଛନ୍ତି। ଅନ୍ୟପକ୍ଷେ ଏହି ବ୍ଲକ୍ର ଚକୁଳି ଓ ଦେଉଣ୍ଡି ମଣ୍ଡିରେ ଟୋକନ ପାଇଥିବା ଚାଷୀଙ୍କ ଧାନ ବିକ୍ରି କରୁପାରୁ ନଥିବା ବେଳେ ଟୋକନ ପାଇନଥିବା ଚାଷୀ ଧାନ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥଳେ ଟୋକନ ପାଇବା ପରେ ମଣ୍ଡିକୁ ଧାନ ଦେଇଥିବା ଚାଷୀମାନେ ୫ ଦିନ ହେଲା ଜଗି ରହିଛନ୍ତି।
ଚକୁଳି ପ୍ୟାକ୍ସକୁ ୯୦୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଛି। ସେହିଭଳି ସରପ୍ଲସ ଭାବେ ୮୪ ହଜାଇ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଛି । ଏହି ପ୍ୟାକ୍ସ ଜରିଆରେ ୪୫୫ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଥିବା ବେଳେ ୩୧୫ ଜଣ ଚାଷୀଙ୍କ ଠାରୁ ୧୭ ହଜାର କୁଇଣ୍ଟାଲ ଧାନ କିଣା ଯାଇଥିବା ଜଣାପଡିଛି। ସେହିଭଳି ଚକୁଳି ମଣ୍ଡିରେ ୩୨ ହଜାର କୁଇଣ୍ଟାଲ ଓ ଦେଉଣ୍ଡି ମଣ୍ଡିରେ ୫୭ ହଜାର କୁଇଣ୍ଟାଲ ଧାନ କିଣାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ । ଚକୁଳି ମଣ୍ଡିରେ କେସିଙ୍ଗାର ଅରିଅନ୍ତ ରାଇସ୍ ମିଲକୁ ଧାନ କ୍ରୟ କରିବାର ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ମଣ୍ଡିରେ ଅନିୟମିତତା ହେଉଥିବା ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଜନ୍ମେଜୟ କର ନାମକ ଚାଷୀ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଗତ୨୦୧୮ ମସିହା ଡିସେମ୍ବର ୧୮ ତାରିଖରେ ଟୋକନ ପାଇଥିଲେ। ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅନେକ ଥର ପ୍ୟାକ୍ସ କର୍ମଚାରୀଙ୍କୁ ଅନୁରୋଧ କରିଥିବା ବେଳେ ଆଜି କାଲି କହି ଶେଷରେ ସେ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି କରି ପାରିନାହାନ୍ତି। ଗତ ୧୮ ତାରିଖରେ ମଣ୍ଡିକୁ ଧାନ ଆଣିଥିବା ବେଳେ ବର୍ତ୍ତମାନ ଏହି ଟୋକନର ଧାର୍ଯ୍ୟସୀମା ସରିଯାଇଛି ବୋଲି ପ୍ୟାକ୍ସ କର୍ତ୍ତପକ୍ଷ କହୁଥିବା ନେଇ ଚାଷୀ ଜନ୍ମେଜୟ ଅଭିଯୋଗ କରିଛନ୍ତି। ସେହିଭଳି ଅରୁଣ କୁମାର ଖମାରୀଙ୍କ ୧୫୦ କୁଇଣ୍ଟାଲ, ସୁଧୀର ଶବରଙ୍କ ୩୦ କୁଇଣ୍ଟାଲ, ବୈକୁଣ୍ଠ କରଙ୍କ ୫୦ କୁଇଣ୍ଟାଲ, ଶିବଶଙ୍କର ବଗର୍ତ୍ତିଙ୍କ ୨୦ କୁଇଣ୍ଟାଲ, ବିଦ୍ୟାଧର ମୁଣ୍ଡଙ୍କ ୨୫୦ କୁଇଣ୍ଟାଲ, ବିବ୍ରୁବାହନ ମୁଣ୍ଡଙ୍କ ୮ କୁଇଣ୍ଟାଲ ସମେତ ବହୁ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ଗତ ୫ ଦିନ ହେଲା ଖୋଲା ଆକାଶ ତଳେ ପଡି ରହିଛି। ଅନ୍ୟପଟେ ବିନା ଟୋକନରେ ଓଜନ ନ ହୋଇ ଧାନ ମିଲକୁ ଚାଲାଣ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ସମସ୍ୟା ଲାଗି ରହିଥିବାବେଳେ ଅଞ୍ଚଳର ଜନ ପ୍ରତିନିଧି ସବୁ ଜାଣି ମଧ୍ୟ ଚୁପ୍ ରହିବା ଉଦବେଗର ବିଷୟ ବୋଲି ଆଲୋଚନା ହେଉଛି। ଏ ସଂପର୍କରେ ଧର୍ମଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କୁ ପଚରାଯିବାରୁ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ବିନା ଟୋକନରେ ଧାନ ବିକ୍ରି! ଚକୁଳି ମଣ୍ଡି
ଶୀତ କାକରରେ ଧାନ ଜଗିଛନ୍ତି ଚାଷୀ
/sambad/media/post_attachments/wp-content/uploads/2019/01/kld23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)