ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବାଗପୁର ଗ୍ରାମରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ବାଗପୁର ଗ୍ରାମର ବେଣୁଧରଙ୍କ ପତ୍ନୀ ଚମ୍ପା ନିଜର କପା ତୋଳିବା ପାଇଁ ସକାଳୁ ଜମିକୁ ଯାଇଥିଲେ, ଏହି ସମୟରେ ଏକ ଦନ୍ତାହାତୀ ଆସି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ନିକଟରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ତଥା ପରିବାର ବର୍ଗଙ୍କୁ ଖବର ଦେଇଥିଲେ।

Advertisment

ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଜନସମାଗମ ହେବାସହ ଲୋକେ ଉତ୍ୟକ୍ତ ହୋଇ ଭବାନୀପାଟଣା ଭାୟା ନର୍ଲା ବାଲିପଡା ଦେଇ ମ. ରାମପୁର ଯାଇଥିବା ରାଜ୍ୟ ରାଜପଥରେ ଟାୟାର ଜାଳି ତଥା କାଠଗଣ୍ଡି ପକାଇ ରାସ୍ତା ଅବରୋଧ କରିଥିଲେ। ଲୋକଙ୍କ ଦାବି ମୁତାବକ ଜଙ୍ଗଲ କର୍ମଚାରୀ ଠିକ୍ ଭାବରେ ନିଜ ଡ୍ୟୁଟି କରୁନଥିବାରୁ ଆଜି ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ଏଣୁ ମୃତ ଚମ୍ପାଙ୍କ ପରବାର ଜଣକୁ ସରକାରୀ ଚାକିରି ପ୍ରଦାନ, ଆବଶ୍ୟକ କ୍ଷତିପୂରଣ ଦେବାକୁ ଦାବି ରଖି ରାଜ୍ୟ ରାଜପଥକୁ ଆଜି ସକାଳୁ ଅବରୋଧ କରି ରଖିଛନ୍ତି, ଫଳରେ ରସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକି ରହି ପଥଚାରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା, ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ କିଛି ନଶୁଣି ନିଜ ଜିଦରେ ଅଟଳ ରହିଛନ୍ତି। ଖବର ଲେଖା ହେଲା ବେଳକୁ ଆନ୍ଦୋଳନ ଜାରି ରହିଛି।

publive-image

ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଲିଖିତ ଆକାରରେ କିଛି ନମିଳିଲେ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ନର୍ଲା ପୁଲିସ୍ ଟିମ୍, ନର୍ଲା ବିଡିଓ ବାସନ୍ତୀ ସେଠୀ ତଥା ଜଙ୍ଗଲ ବିଭାଗ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି।