ଟ୍ରେନ୍‌ରେ କଟି ମହିଳା ଗୁରୁତର

ଭବାନୀପାଟଣା: କେସିଙ୍ଗା ରେଳ ଷ୍ଟେସନରେ ବୁଧବାର ରାତିରେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଉଥିବାବେଳେ ଟ୍ରେନରେ କଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ଭବାନୀପାଟଣା ସଦର ବ୍ଲକ ବାନ୍ଦୋପଲା ଗ୍ରାମର ସରକାରୀ ଯାନ୍ତ୍ରିକ କଲେଜ ସମ୍ମୁଖସ୍ଥପଡାରୁ ଜେମା ମାଝୀ(୫୦) ଓ ତାଙ୍କ ପରିବାର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଉଥିଲେ। ଗତକାଲି ରାତିରେ କେସିଙ୍ଗା ଷ୍ଟେସନ ଠାରେ ଟ୍ରେନରେ ବସିବା ବେଳେ ଜେମା ମାଝୀ ଖସି ପଡିଥିଲେ ଓ ଟ୍ରେନରେ ତାଙ୍କ ଗୋଡ଼ କଟି ଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ପ୍ରଥମେ କେସିଙ୍ଗା ଓ ପରେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର