ମଦ ବେପାରୀଙ୍କୁ ଗିରଫ ଦାବିରେ ଥାନା ଘେରିଲେ ମହିଳା

ଧର୍ମଗଡ଼,: ମଦ ବେପାରୀଙ୍କୁ ଗିରଫ ଦାବିରେ ଗୁରୁବାର ମହିଳାମାନେ ଧର୍ମଗଡ଼ ଥାନା ଘେରାଉ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପ୍ରତିଶ୍ରୁତି ପାଇଲା ପରେ ସେମାନେ ଓହରିଥିଲେ।

ପ୍ରକାଶ ଯେ, ଧର୍ମଗଡ଼ ଥାନା ଅନ୍ତର୍ଗତ ବୋଡେନ ଗ୍ରାମରେ କୁଚିଆ ମଦ ବେପାରୀମାନେ ବେଆଇନ ଭାବେ ମଦ ବିକ୍ରି କରୁଛନ୍ତି। ଗାଁର ଯୁବ ଗୋଷ୍ଠୀ ମଦ୍ୟପାନ କରି ବିପଥଗାମୀ ହେଉଛନ୍ତି। ମଦ ବିକ୍ରି ବନ୍ଦ କରିବା ପାଇଁ ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଳରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବୁୁଧବାର ଚଢ଼ଉ କରି ତପନ ନିଆଲଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୭ ଟି ନିବ୍‌ (ବିଦେଶୀ ମଦ) ଜବତ କରିଥିଲେ। ଜବତ ମଦର ପରିମାଣ କମ୍‌ ଥିବାରୁ ତାକୁ ଥାନାରେ ତାଗିଦ୍‌ କରି ଛାଡି ଦେଇଥିଲେ। ସଂପୃକ୍ତ  ମଦ ବେପାରୀ ତପନ ଓ ମାୟାଧର ନିଆଲ ଗାଁର ମହିଳାଙ୍କୁ ଗାଳିଗୁଲଜ କରିବା ସହ ବୋମା ଫୁଟାଇ ଜୀବନରେ ମାରିଦେବା ଧମକ ଦେଇଥିଲେ। ଫଳରେ ଗୁରୁବାର ବୋଡେନ ଗ୍ରାମର ବିଭିନ୍ନ ଏସ୍‌ଏଚ୍‌ଜିର ସଦସ୍ୟା ମଞ୍ଜୁଳା ଦୁର୍ଗା, ସରସ୍ୱତୀ ସୁନାନୀ, ଗୁପ୍ତା ଠାକୁର, ଜୟନ୍ତୀ ନିଆଲ, ମାମି ବାଗ, ସୁଲୋଚନା ଖମାରୀ, ଉର୍ମିଳା ବେମାଲ, ପ୍ରବୀଣା ଖମାରୀଙ୍କ ସମେତ ବହୁ ମହିଳା ଧର୍ମଗଡ଼ ଥାନାକୁ ଘେରାଉ କରିଥିଲେ। ଧର୍ମଗଡ଼ ଆଇଆଇସି ଡମ୍ବରୁ ପରିଜା ମହିଳାଙ୍କ ସହିତ ଆଲୋଚନା କରିବା ସହ ଏତଲା ଗ୍ରହଣ କରିଥିଲେ। କେସ ନଂ ୧୫୬/୨୦୧୮ ଦଫା ୨୯୪, ୫୦୬ ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଥିବା ବେଳେ ସୁବାସ ଚନ୍ଦ୍ର କରକରା ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର