ଭବାନୀପାଟଣା: କଳାହାଣ୍ଡିର ପଞ୍ଚମ୍ୟାନ୍ ଭାବରେ ୨ଥର ଗିନିଜ୍ ବିଶ୍ବ ରେକର୍ଡ ହାସଲ କରିଥିବା ସତ୍ୟପୀର ପ୍ରଧାନ ଆସନ୍ତା ଜୁଲାଇ ୨୩ରେ ତୃତୀୟ ଥର ପାଇଁ ଡବଲ୍ ପଞ୍ଚରେ ଗିନିଜ ବିଶ୍ବ ରେକର୍ଡ ପାଇଁ ମଇଦାନକୁ ଓହ୍ଲାଇବେ। ଭାରତର ପଞ୍ଚମ୍ୟାନ୍ ଭାବରେ ସୁପରିଚିତ ସତ୍ୟପୀର ବର୍ତ୍ତମାନ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭଙ୍କର ଗିନିଜ ବିଶ୍ବରେକର୍ଡ ଭାଙ୍ଗି ଭାରତର ନାମରେ ପ୍ରସିଦ୍ଧି ଆଣିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ୨୩ ତାରିଖରେ ଭୁନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି।
ଶ୍ରୀ ପ୍ରଧାନ ପୂର୍ବରୁ ୨୦୧୭ରେ ଏବଂ ୨୦୧୮ରେ ୨ଟି ଗିନିଜ ବିଶ୍ବ ରେକର୍ଡ ସ୍ଥାପନ କରିଥିଲେ। ଏହି କୀର୍ତ୍ତିମାନ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ପୂର୍ବରୁ କରିଥିବା ୨ଟି ବିଶ୍ୱ ରେକର୍ଡ ମୁଷ୍ଟି ପ୍ରଘାତରେ ହୋଇଥିବାରୁ ପଞ୍ଚମ୍ୟାନ୍ ଭାବରେ ସୁନାମ ଅର୍ଜନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଦେପୁର୍ ଗ୍ରାମର ପିତା ଅନିରୁଦ୍ଧ ପ୍ରଧାନ ଓ ମାତା ଶକୁନ୍ତଳା ପ୍ରଧାନଙ୍କ ସେ ସୁପୁତ୍ର ଅଟନ୍ତି। ତାଙ୍କ ପତ୍ନୀଙ୍କ ନାମ ନିବେଦିତା ପ୍ରଧାନ। ଡବଲ ପଞ୍ଚ୍ କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରିଥିଲେ। ଗତ ଜୁଲାଇ ୭ ତାରିଖରେ ଏଥିନିମନ୍ତେ ଅନୁମତି ପାଇଥିଲେ। ବର୍ତ୍ତମାନ ସେ ୨ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ବ ରେକର୍ଡ କରିବା ପାଇଁ ପ୍ରୟାସ କରିବେ।
ଏହି କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେସ୍ ଭାବରେ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ୍ ପ୍ୟାଡ୍ କିପର୍ ଭାବରେ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ୍ କିପର ଭାବରେ କ୍ରୀଡ଼ାବିତ୍ ସସ୍ମିତା ରାଉତରାୟ ଓ ଗଜେନ୍ଦ୍ର ବାରିକ ଦାୟିତ୍ବ ତୁଲାଇବେ। ଶ୍ରୀ ପଧାନଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ଦଶରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ବିଶ୍ବ କୀର୍ତିମାନ୍ ସ୍ଥାପନ କରିଛନ୍ତି। ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ତାଙ୍କୁ ମିଳିତ ଜାତିସଂଘ ତରଫରୁ ଦିଲ୍ଲୀର ଆଇଆଇଟିରେ କର୍ମବୀର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।