କୋରାପୁଟ ପାଇଁ ଆଉ ଏକ ମାଇଲଷ୍ଟୋନ୍‌: କୋରାପୁଟିଆ କଳାଜୀରାକୁ ମିଳିବ ଜିଆଇ ଟ୍ୟାଗ୍‌, ପ୍ରସ୍ତୁତି ଆରମ୍ଭ

କୋରାପୁଟ: କୋରାପୁଟ ଜିଲ୍ଲା କାହିଁକି ସାରା ରାଜ୍ୟ ପାଇଁ ଆଉ ଏକ ଖୁସି ଖବର। କୋରାପୁଟ କଫି, ଝାଡୁ, ସାବୁନ ଓ ହଳଦୀ ପରେ ବିରଳ ଧାନ କୋରାପୁଟିଆ କଳାଜୀରାକୁ ମିଳିବ ସ୍ବତନ୍ତ୍ର ମାନ୍ୟତା। ଦିନକୁ ଦିନ ଲୋପ ପାଇବାକୁ ଯାଉଥିବା ବସନା ତଥା ଔଷଧୀୟ ବିରଳ ଧାନ କଳାଜୀରାକୁ ମିଳିବ ସ୍ବତନ୍ତ୍ର ମାନ୍ୟତା। କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜୈବିକ ଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଏହି ବିରଳ ଧାନକୁ ଜି.ଆଇ ବା ଭୌଗୋଳିକ ମାନ୍ୟତା ପ୍ରଦାନ କରାଯିବାକୁ ଯୋଜନା ଆରମ୍ଭ ହୋଇଛି। ଏହାସହ ନୂଆଦିଲ୍ଲୀକୁ ଓରମାସ ପକ୍ଷରୁ ପଠାଯାଇଛି ନମୂନା। ନୂଆଦିଲ୍ଲୀର ସାରାସ୍‌ ଆଉଟଲେଟ୍‌ରେ ଏହି ଧାନର ଚାଉଳ ବିକ୍ରି ହେବାକୁ ଯୋଜନା ହୋଇଛି। କେଜି ପ୍ରତି ୧୪୦ ଟଙ୍କାରେ ଏହି ଚାଉଳ ବିକ୍ରି ହେବାକୁ ରହିଥିବାବେଳେ ଏଥିରେ ଖିରି ଓ ବିରିୟାନୀ ମଧ୍ୟ ପ୍ରସ୍ତୁତ କରି ହେବ।

ଏହାକୁ କୋରାପୁଟ ବ୍ଲକ ମାଛରା ଗାଁର ଶତାଧିକ ଆଦିବାସୀ ମହିଳା ପ୍ରସ୍ତୁତ କରି ଓରମାସ, କାପକୋ ଓ ଜିଲ୍ଲା ପ୍ରଶାସନ ସହାୟତାରେ ସେଠାକୁ ପଠାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ କଳାଜିରା ଧାନର ଏକ ସ୍ବତନ୍ତ୍ର ଟେଷ୍ଟ ରହିଛି। ଏହି ଧାନ କେବଳ କୋରାପୁଟରେ ପ୍ରସ୍ତୁତ ହେଉଥିବାବେଳେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ବାମୀନାଥନ ଗବେଷଣା କେନ୍ଦ୍ର ଓ ବିରଳ ଧାନ ସଂଗ୍ରାହକ ନେତ୍ରାନନ୍ଦ ଲେଙ୍କା ଏବଂ ମନୋଜ ପାତ୍ରଙ୍କ ‌ଯୋଗୁଁ ଯୋଗୁଁ ତି‌ଷ୍ଠି ରହିଛି। ୬ ବର୍ଷ ତଳେ ଏହି ଧାନ ବିଲୁପ୍ତ ହୋଇ ରହିଥିବାବେଳେ ଏହାକୁ ସାଇତି ରଖିଥିଲେ ପଦ୍ମଶ୍ରୀ କମଳା ପୂଜାରୀ ଓ ତାଙ୍କ ପରିବାର। ତାଙ୍କଠାରୁ କୋରାପୁଟ ସହ ଅନ୍ୟ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇଥିଲା ଏହି ଧାନ। ଏହି ଧାନର ଔଷଧୀୟ ଗୁଣ ରହିଥିବାବେଳେ ଡାଇବେଟିସ୍ ରୋଗୀଙ୍କ ବିଶେଷ ଲାଭପ୍ରଦ। ଏକର ପିଛା ଏହା ୫ରୁ ୧୦କୁଇଣ୍ଟାଲ ଧାନ ଅମଳ ହେବା ସହ ୧୪୦ରୁ ୧୫୫ଦିନରେ ଏହା ଚାଷ ହେଉଛି। ସେଭଳି ଯେଉଁ ଧାନକୁ ନେଇ ଜୟପୁରର ପରିଚୟ ସୃଷ୍ଟି ହୋଇଥିଲା ସେହି ଧାନ କିଭଳି ବଞ୍ଚିବ ଏବଂ ପ୍ରତିବର୍ଷ ଅଧିକାରୁ ଅଧିକା ଚାଷୀ ଏହାକୁ ଚାଷ କରିବେ ସେ ଦିଗରେ ପ୍ରଶାସନିକ ଭାବେ ପ୍ରୟାସ କରାଯିବାର ଆବଶ୍ୟକତା ନିହାତି ରୁପେ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜିଆଇ ମାନ୍ୟତା ପାଇଁ ଏନଜିଓ ଓ ନାବାର୍ଡ ସହ ଅନୁବନ୍ଧିନ କାର୍ଯ୍ୟ ‌ଶେଷ ‌ହୋଇଛି।

କୋରାପୁଟ କଳାଜୀରା ଧାନର ଜିଆଇ ମାନ୍ୟତା ପାଇଁ ଆବଶ୍ୟକ ଅର୍ଥକୁ ନାବାର୍ଡ ଭୁବନେଶ୍ବର ଶାଖା ବହନ କରିବାକୁ ରହିଥିବାବେଳେ ପିଢୀ ପରେ ପିଢୀ ଏହାକୁ ଚାଷ କରାଯାଉଛି। ଖାଲି କୋରାପୁଟ ବ୍ଲକ ନୁହେଁ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ଟି ବ୍ଲକରେ ଚାଷ ହେଉଛି। ମୁଖ୍ୟତଃ ଆଦିବାସୀ ମହିଳା ଏହିବିରଳ ଧାନର ଚାଷ କରୁଥିବା‌ ଜଣାପଡିଛି। କୋରାପୁଟ ଜିଲ୍ଳାର ୧୪ଟି ବ୍ଲକ‌ରେ ୧୮୦୦ ଚାଷୀ କଳାଜିରା ଧାନ ଚାଷ କରୁଥିବାବେଳେ ବ‌ାର୍ଷିକ ୧୦୦ କୁଇଣ୍ଟାଲ ଧାନ ଅମଳ ହେଉଥିବା ଜଣାପଡିଛି। ଏନେଇ ପଦ୍ମଶ୍ରୀ କମଳା‌ ପୂଜାରୀ କହିଛନ୍ତି ଯେ କଳାଜୀରା ଚାଷ କରିବାକୁ ହେଲେ ଏହାର ଉନ୍ନତି କରିବାକୁ ହେବ। କିପରି ଏଥିରେ ରୋଗପୋକ ନ ଲାଗିବ, ଏହା କିପରି ଭଲ ଉତ୍ପାଦନ ହେବ ନେଇ ଗବେଷଣା ହେବା ଉଚିତ।

ଯଦି କଳାଜିରାକୁ ଜିଆଇ ମାନ୍ୟତା ମିଳେ ତେବେ କୋରାପୁଟ ପାଇଁ ଶୁଭଦାୟକ ବୋଲି ସେ କହିଛନ୍ତି। ଏନେଇ ଓରମାସର ରୋଶନ କାର୍ତ୍ତିକ କହିଛନ୍ତି ଯେ କଳାଜିରା ଏକ କେଜି ପ୍ୟାକେଟ ଆଜିଠାରୁ ନୂଆଦିଲ୍ଲୀକୁ ଯାଇଛି। ଯଦି କୋରାପୁଟକୁ ଏହି ଜିଆଇ ଟ୍ୟାଗ ମିଳେ ତେବେ ଆଦିବାସୀ ଚାଷୀଙ୍କର ଉନ୍ନତି ହେବ ବୋଲି ସେ କହିଛନ୍ତି। ଏନେଇ ଜୈବିକ ଶ୍ରୀ ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ଏମଡି ମୂରଲୀଧର ଅଧିକାରୀ କହିଛନ୍ତି ଯେ କୋରାପୁଟିଆ କଳାଜୀରାକୁ କିପରି ଜିଆଇ ମାନ୍ୟତା ମିଳିବ ସେନେଇ ପ୍ରସ୍ତୁତି ଶେଷ ହୋଇଛି। ନାବାର୍ଡର ଭୁବନେଶ୍ବର ଶାଖା ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଥିବାବେଳେ ଖୁବଶୀଘ୍ର ଏନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର