କାଳବୈଶାଖୀ: ଶତାଧିକ ଏକର ଧାନ ଓ ପନିପରିବା ଫସଲ ନଷ୍ଟ

ଜୟପୁର: ଗତ କାଲି ଜୟପୁର ବ୍ଲକର ବିଭିନ୍ନ ପଂଚାୟତରେ କାଳବୈଶାଖୀରେ କୁଆପଥର ବର୍ଷା ହୋଇ ଶତାଧିକ ଏକର  ଧାନ ଓ ପନିପରିବା ପସଲ ନଷ୍ଟ ହୋଇଛି।  କୁମୁଲିପୁଟ ଓ ରଣ୍ଡାପାଲ୍ଲୀ ପଂଚାୟତରେ ବ୍ୟାପକ ନଷ୍ଟ ହୋଇଥିବାକୁନେଇ ସମାଜସେବୀ ବି.ହରିରାଓ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସୂଚନା ପାଇବା ପରେ ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ , ରଣ୍ଡାପାଲ୍ଲୀ ରାଜସ୍ବ ନିରୀକ୍ଷକଙ୍କୁ ସାଙ୍ଗରେ ନେଇ ରଣ୍ଡାପାଲ୍ଲୀ ପଂଚାୟତର ମୁଲାସର, କଣ୍ଡାପୁଟ, ଓ ବାଲାପୁଟ ଆଦି ଗାଁର ଜମିରେ ଧାନ ପସଲ ବୁଲି ଦେଖିଥିଲେ। ସେଠାରେ ଚା‌ଷୀ ମାନେ କିଭଳି କାଳାବୈଶାଖୀ ଓ କୁଆପଥର ମାଡ଼ରେ ଧାନ କେଣ୍ଡାରୁ ଧାନ ଝଡି ଯାଇଛି ତାହା ଦେଖାଇଥିଲେ। ଏପରି ହେବା ଦ୍ବାରା ବର୍ଷତମାମ ଖରା,ବ‌ର୍ଷା, ଶୀତ କାକର ସହି ଧାର କରଜ କରି ଧାନ ଚାଷ କରିଥିବା ଚାଷୀର ଧାନ ନଷ୍ଠ ହେବା ଦ୍ବାରା ‌ମାନସିକସ୍ତରରେ ଆଘାତ ପାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ ମାନେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଅନୁରୋଧ କରିଥିଲେ।

ଗତ କିଛି ଦିନ ହେବ ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଧୁ ଧୁ ଖରା ହେଉଥିବା ବେଳେ ଆଚନକ ଭାବେ କାଳବୈଶାଖୀ ଆସିବା ସହ ପ୍ରବଳ ପବନ ସହ କୁଆପଥର ବର୍ଷା ହେଉଥିବାରୁ ପସଲ ସବୁ ନଷ୍ଟ ହେଉଛି।ଧାନରେ ସଂପ୍ରତି ପାଚି ଆସୁଥିବା ବେଳେ କୁଆ ପଥର ମାଡ଼ ହେବା ଫଳରେ ଏହା ଝଡ଼ିବାରେ ଲାଗୁଛି। ସେଭଳି ବିଭିନ୍ନ ପଂଚାୟତରେ କରାଯାଇଥିବା ପନିପରିବା ଚାଷରେ ବି କୁଆପଥର ମାଡ଼ ହେବା ଫଳରେ ପନିପରିବା ପୋଚି ଯିବା ସହ ନ‌ଷ୍ଟ ହେଉଥିବା ମୀନାଗୁଡାର ଚାଷୀ ନରହରି ପୂଜାରୀ କହିଛନ୍ତି। ଗଛରୁ ତୋଳିବା ପୂର୍ବରୁ ହିଁ କୁଆପଥର ମାଡ଼ ହେବା ଫଳରେ ଏହାକୁ ‌ତୋଳିବାର ଦିନକ ମଧ୍ୟରେ ହିଁ ପୋଚି ଯାଉଛି। କୁଆ ପଥର ମାଡ଼ ପନିପରିବା କିଣିବା ପାଇଁ ବ୍ୟବସାୟୀ ମାନେ ମଧ୍ୟ ମଙ୍ଗୁ ନଥିବା କହିଛନ୍ତି ଶ୍ରୀ ପୂଜାରୀ। ଏପରିକି ଯଦି ବା ନେଉଛନ୍ତି ତେବେ ଶାଗମାଛ ଦରରେ ବୋଲି ଚାଷୀ ମାନେ କହିଛନ୍ତି। ଏହି କ୍ରମରେ ବାଇଗଣ, ଟମାଟ, ପୋଟଲ, ଓ କାଙ୍କଡ ଆଦି ନଷ୍ଟ ହୋଇଥିବା ଚାଷୀ ମାନେ କହିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରିବା ସହ କ୍ଷୟକ୍ଷତିର ସର୍ଭେ କଲେ ସ୍ପଷ୍ଟ ଭାବେ କେତେ ପରିମାଣର ପନିପରିବା ଓ ଧାନ ପସଲ ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇ ପାରିବ ବୋଲି ବିଭିନ୍ନ ଚାଷୀ ପ୍ରତିନିଧି  ଓ ସମାଜସେବୀ ବି. ହରିରାଓ, କେଶବ ହନ୍ତାଳ, ରାମଦାସ ନାୟକ,  ବଲ୍ଲଭ ସୁକଇ, ମନ ଖତି, ରାମ ଜାନୀ, ଲୋକନାଥ ରଥ, ମନ ଭୁମିଆ, ନିଳକଣ୍ଠ ତନ୍ତି, ଅଜି ଖତି, ରଘୁ ଭୁମିଆ,ଦାମୋଧର ତନ୍ତି, ଶ୍ୟାମ ନାୟକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର