ସିନ୍ଧେକେଲା: ଶୁକ୍ରବାର କାଳବୈଶାଖୀ ଜନିତ ଝଡ଼ବର୍ଷା ଯୋଗୁଁ ସିନ୍ଧେକେଲା ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। କେଉଁଠି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି ତ କେଉଁଠି ଗଛ ଉପୁଡ଼ିପଡ଼ିଛି। ସିନ୍ଧେକେଲାରେ ଅନେକ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଲୋକେ ପ୍ରବଳ ଗରମରେ ଛଟପଟ ହୋଇଥିଲେ। ଜାମଖୁଣ୍ଟା ପଲ୍ଲୀ ପ୍ରଗତି ହାଇସ୍କୁଲ ପରିସରରେ ଥିବା କୋଡ଼ିଏରୁ ଅଧିକ ବଡ଼ ବଡ଼ ଗଛ ଉପୁଡ଼ି ପାଚେରି ଉପରେ ପଡ଼ିଥିଲା।
ଫଳରେ ପାଚେରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଆସି ଗଛ କାଟି ସ୍କୁଲ ପରିସରକୁ ସଫା କରିଥିଲେ। ୫-ଟି ଅଧୀନରେ ସ୍କୁଲର ରୂପାନ୍ତର କାମ ଚାଲୁଛି। ପଛପଟେ ବାଡ଼ ନଥିବାରୁ ସ୍କୁଲ ପରିସରକୁ ଅବାଧରେ ଗୋରୁମାନେ ପ୍ରବେଶ କରି ସୌନ୍ଦର୍ଯ୍ୟ ନଷ୍ଟ କରିବା ଆଶଙ୍କା ରହିଛି। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ପାଚେରି ନିର୍ମାଣ କରିବାକୁ ଜନସାଧାରଣ ଦାବି ହେଉଛି।