ନକ୍ସଲଙ୍କ ଠିକାଦାରକୁ ହତ୍ୟା ଘଟଣା: ଗଲିଆଗୁଡା ଅଞ୍ଚଳରେ ଏବେ ପୁରୁଷ ଶୂନ୍ୟ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ମହୁପଦର ପଞ୍ଚାୟତର ଗଲିଆଗୁଡାଠାରେ ଗତ ୧୭ ତାରିଖ ଦିନ ନକ୍ସଲ ସୁକୁମାନ ମଣ୍ଡଳ ନାମକ ଜଣେ ଠିକାଦାରକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଏଠାରେ ଚାଲିଥିବା ବିକାଶ କାର୍ଯ୍ୟକୁ ବନ୍ଦ କରିବା ନେଇ ଚେତାବନୀ ଦେଇଛନ୍ତି। ଗତ ୧୭ ତାରିଖରେ ଏହି ଘଟଣା ଘଟିବା ପରେ ଏହି ଅଂଚଳରେ ଥିବା ଗ୍ରାମଗୁଡିକ ଏବେ ପୁରୁଷ ଶୂନ୍ୟ ହୋଇପଡିଛି। ରାତିରେ ପୁରୁଷମାନେ ଗାଁକୁ ଆସୁ ନଥିବା ବେଳେ ସକାଳୁ ଆସି ଘରକାମ ସାରି ପୁଣି କେଉଁ ଆଡେ ଉଭାନ ହୋଇଯାଉଥିବା ଦେଖିବାକୁ ମିଳିଛି।

କୌଣସି ମୁହୁର୍ତ୍ତରେ ନକ୍ସଲ କିଛି ବି ଘଟାଇବାର ଆଶଂକା ରହିଥିବାରୁ ଲୋକେ ଗାଁରେ ପଶୁନାହାନ୍ତି। ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରିବା ଘଟଣା ନୂଆ ନୁହେଁ। ନକ୍ସଲ ଯେତେବେଳେ ନିଜର ପତିଆରା ଜାହିର କରିବାକୁ ଚାହାନ୍ତି ସେତେବେଳେ କୌଣସି ଲୋକଙ୍କୁ ଟାର୍ଗେଟ କରି ତାକୁ ହତ୍ୟା କରିଥାନ୍ତି। ସ୍ବାଭିମାନ ଅଂଚଳରେ ପୁଲିସ ସାତ ସାତୋଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରିବା ଏବଂ ଦୁଇଟି ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରିବା ପରେ ନକ୍ସଲ ଏହି ଅଂଚଳରେ ଏବେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି।

ଏକ ପ୍ରକାର ବିଳବିଳେଇଲେଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜର ଉପସ୍ଥିତି ଜାହିର କରିବା ପାଇଁ ଏବଂ ଲୋକମାନେ ତାଂକ ସାଂଗରେ ରହିଥିବା ଦର୍ଶାଇବା ପାଇଁ ନକ୍ସଲ ଏଭଳି ହତ୍ୟା କରିଥିବା ପ୍ରଶାସନ ଏବଂ ଜନସାଧାରଣଙ୍କୁ ଭୟଭିତ କରାଇଥାନ୍ତି।ଜିଲ୍ଲାରେ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ନକ୍ସଲ ଗଡରେ ପ୍ରଶାସନ ଧସେଇ ହୋଇ ପସି କାମ ଆରମ୍ଭ କରିଛି।

ଯାହାକୁ ନକ୍ସଲ ହଜମ କରିପାରୁନାହାନ୍ତି। ତେଣୁ ଜଂଗଲରେ ଖଣି ବାହାର ଦେଶକୁ ବିକ୍ରି କରିଦେବା ନେଇ ମିଥ୍ୟା ପ୍ରଚାର କରି ଲୋକଙ୍କୁ ରାସ୍ତା ସମେତ ଅନ୍ୟାନ୍ୟ ବିକାଶ କାର୍ଯ୍ୟକୁ କରାଇ ଦେଉନାହାନ୍ତି। ପୁଲିସ କ୍ୟାମ୍ପ ନିକଟରେ ନକ୍ସଲ ହିଂସା ଘଟାଇଥିବା ବେଳେ ଲୋକେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଅନ୍ୟ ଦିଗରେ ପୁଲିସ ଓ ପ୍ରଶାସନ କିନ୍ତୁ ନକ୍ସଲ ବିକାଶ କାର୍ଯ୍ୟକୁ ରୋକିପାରିବେ ନାହିଁ ବୋଲି ସିଧା କହୁଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ସବୁବେଳେ ତତ୍ପର ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର