ସୁନ୍ଦରଗଡ଼ରେ ଶ୍ରମଜୀବୀ ମହିଳାଙ୍କ କୁନି ପିଲାଙ୍କ ଯତ୍ନ ପାଇଁ ‘କଳିକା’

ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ, ସରକାରୀ ହାଇସ୍କୁଲ ହଷ୍ଟେଲ ରୂପାନ୍ତରଣ

ସୁନ୍ଦରଗଡ଼: ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ଭିତରେ ରହିଛି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳକୁ ରାଜ୍ୟ ସରକାରଙ୍କ ତ୍ୱରାନ୍ୱିତ ପୋଷଣ କାର୍ଯ୍ୟକ୍ରମ ‘ସୋପାନ’ର ସଂପ୍ରସାରଣ, ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲଗୁଡ଼ିକର ହଷ୍ଟେଲର ରୂପାନ୍ତରଣ, ଶ୍ରମଜୀବୀ ମହିଳାମାନଙ୍କ କୁନି କୁନି ପିଲାମାନଙ୍କ ଯତ୍ନ ପାଇଁ ‘କଳିକା’ ଗୃହ ଓ ଗ୍ରାମାଞ୍ଚଳରେ ପୋଖରୀଗୁଡ଼ିକର ପୁନରୁଦ୍ଧାର। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଏ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅବସରରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ନୂତନ ୱେବ୍ସାଇଟକୁ www.dmfsundargarh.in ଶୁଭାରମ୍ଭ କରାଯାଇଛି।

ସୁନ୍ଦରଗଡ଼ ବିଧାୟିକା ଶ୍ରୀମତୀ ଟେଟେ ମଞ୍ଚରେ ଏହାକୁ ଲୋକାର୍ପଣ କରିଥିଲେ। ହାଇସ୍କୁଲ ହଷ୍ଟେଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ୧୩୫ଟି ହଷ୍ଟେଲକୁ ଅନ୍ତର୍ଭୁକ୍ତ କରାଯାଇଛି। ହଷ୍ଟେଲ ଭିତ୍ତିଭୂମିରେ ଆଧୁନିକ ପାଠାଗାର ଓ ପଠନ କକ୍ଷ, ବ୍ୟାୟାମ ତଥା ବିଭିନ୍ନ ଇନଡୋର କ୍ରୀଡ଼ା ବ୍ୟବସ୍ଥା ସହ ଅନ୍ତେବାସୀଙ୍କ ପୋଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ଶ୍ରମଜୀବୀ ମହିଳାମାନଙ୍କୁ କୁନି ପିଲାଙ୍କ ଯତ୍ନ ପାଇଁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ ଲହୁଣୀପଡ଼ା, ରାଜଗାଙ୍ଗପୁର, ହେମଗିର, କୁଆରମୁଣ୍ଡା, କୁତ୍ରା ଓ କୋଇଡ଼ାଠାରେ ୯୦ଟି ‘କଳିକା’ ଗୃହ ପ୍ରତିଷ୍ଠା କରାଯାଇଛି। ଏଠାରେ କୁନି ପିଲାଙ୍କ ପାଇଁ ସୁରକ୍ଷା ଓ ପୋଷଣ ସହ ଆନନ୍ଦମୟ ଶିକ୍ଷା ପରିବେଶ ସୃଷ୍ଟି କରାଯିବ।

ସେହିପରି ୧୭ଟି ବ୍ଲକର ୨୭୯ଟି ପଞ୍ଚାୟତରେ ଗୋଟିଏ ଲେଖାଏଁ ପୋଖରୀର ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବହି ପଢ଼ ଅଭିଯାନ ଅଧୀନରେ ବିଭିନ୍ନ ସାର୍ବଜନୀନ ପାଠାଗାର, ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ବିତରଣ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ସ୍ଵାଗତିକା ପଣ୍ଡା ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର