ଘୁ.ଉଦୟଗିରି: ଯାତ୍ରୀ ଏବଂ ଗାଡ଼ି ଚାଳକ କର୍ମଚାରୀଙ୍କ ବିଭିନ୍ନ ପ୍ରକାର ସୁବିଧା ପାଇଁ ୨୦୧୮ ମସିହାରେ କଳିଙ୍ଗାରେ ଖୋଲାଯାଇ ଥିଲା ପଥ ପ୍ରାନ୍ତ ସୁବିଧା କେନ୍ଦ୍ର। ଏହାକୁ ତତକାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବା ବେଳେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ରାସ୍ତାରେ ଯାତାୟତ କରୁଥିବା ପର୍ଯ୍ୟଟକ ବସ୍, ଟ୍ରକର କର୍ମଚାରୀଙ୍କ ସମେତ ଯାତ୍ରୀଙ୍କ ବହୁକାମରେ ଆସୁଥିଲା। ସମସ୍ତଙ୍କ ନିମନ୍ତେ ବିଶ୍ରାମ ହେଉ, କିମ୍ୱା ସୁରକ୍ଷା ହେଉ, ଖାଇବା ହେଉ କିମ୍ବା ରାତ୍ରିଯାପନ ହେଉ ଏଠାରେ ଦୁଇ ଚକିଆ, ଚାରି ଚକିଆ ଗାଡ଼ିରେ ଯିବା ଆସିବା କରୁଥିବା ଯାତ୍ରୀମାନେ ନିର୍ଭୟରେ ରହୁଥିଲେ। ୨୪ ଘଣ୍ଟିଆ ସେବା ମଧ୍ୟ ଦେଉଥିଲେ ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ମାନେ। କିନ୍ତୁ ଏବେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଦୀର୍ଘ ଦିନ ବନ୍ଦ ରହିବା ଫଳରେ ଯାତ୍ରୀ, ପର୍ଯ୍ୟଟକମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି।
କନ୍ଧମାଳ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଅଞ୍ଚଳ କଳିଙ୍ଗାରେ ଏହି ପଥପ୍ରାନ୍ତ ସେବାକେନ୍ଦ୍ର ପ୍ରତିଷ୍ଠା ଯୋଗୁଁ ବହୁ ବିଧ ସୁବିଧା ପାଇଥିଲେ ପର୍ଯ୍ୟଟକମାନେ। କାରଣ କନ୍ଧମାଳ ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏହି ଅଞ୍ଚଳକୁ ବର୍ଷ ସାରା ବହୁ ପର୍ଯ୍ୟଟକ ଆସିଥାନ୍ତି। ଏହାସହ ପର୍ଯ୍ୟଟକଙ୍କୁ ଧରି ଆସୁଥିବା ଗାଡ଼ିଗୁଡ଼ିକ ମଧ୍ୟ ଏହି ସୁବିଧା କେନ୍ଦ୍ରରୁ ଭଲ ସୁବିଧା ପାଇପାରୁଥୁଲେ। ଯେତେ ସଂଖ୍ୟକ ପର୍ଯ୍ୟଟକ ଆସିଲେ ମଧ୍ୟ ଏହି ସ୍ଥାନରେ ସବୁ ପ୍ରକାର ସୁବିଧା ରହିଥିଲା। ସୁନ୍ଦର ସବୁଜ ବଗିଚା ସାଙ୍ଗକୁ ଶିଶୁ ଉଦ୍ୟାନ ସହ ଶିଶୁଙ୍କ କ୍ରୀଡ଼ା ପାଇଁ ଆନୁସାଙ୍ଗିକ ଉପକରଣ ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରୁଥିଲା। ଦୀର୍ଘ ଦିନ ହେଲା ବନ୍ଦ ରହିବା ଫଳରେ କୋଟି କୋଟି ଟଙ୍କାର ଭିତିଭୂମି ନଷ୍ଟ ହେବା ଆରମ୍ଭ ହେଲାଣି। ଖୋଲିବାକୁ ନେଇ ଅନିଶ୍ଚିତତା ଜାରି ରହିଥିବା ବେଳେ କାମ କରୁଥିବା କର୍ମଚାରୀମାନଙ୍କ ଭବିଷ୍ୟତ କଣ ହେବ ତାହାକୁ ନେଇ ଚିନ୍ତା ବଢ଼ି ଯାଇଛି। କୌଣସି ଉପାୟ ନପାଇ ଚିନ୍ତାରେ ରହିଛନ୍ତି ସେଠାରେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟରତ ଥିବା କର୍ମଚାରୀ ଏବଂ ତାଙ୍କ ପରିବାର। ତେଣୁ ଯାତ୍ରୀମାନଙ୍କ ସୁବିଧା ସହିତ କାମ କରୁଥିବା କର୍ମଚାରୀଙ୍କ ଭବିଷ୍ୟତ। ପରିବାରକୁ ଦୃଷ୍ଟିରେ ରଖି ସରକାର ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖେଲିବାକୁ ଦାବି ହୋଇଛି।