କେନ୍ଦ୍ରାପଡ଼ା: ବଳଦେବଜିଉ କଲ୍ୟାଣ ମଣ୍ତପ ନିଲାମକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଗଲା ତିନି ତିନି ଥର ଖୋଲା ନିଲାମ ଡକାଯାଇଥିଲେ ହେଁ, ସରକାରୀ ଧାର୍ଯ୍ୟ ମୁତାବକ ରାଶି ନ ଆସିବାରୁ ମଣ୍ଡପ କାହାକୁ ଦିଆଯାଇପାରି ନାହିଁ। ତିନି ଥର ଯାକ ନିଲାମ ଫେଲ୍‌ ମାରିଛି। ପୂର୍ତ୍ତ ବିଭାଗ ଆକଳନ କରି ମଣ୍ତପ ଭଡ଼ା ମୂଲ୍ୟ ରାଶି ଯାହା ରଖିଛି, ନିଲାମରେ ଭାଗ ନେଉଥିବା ବିଡର‌୍‌ ସେତିକି ରାଶି ଡାକୁ ନାହାନ୍ତି। ଫଳରେ ମନ୍ଦିର ପ୍ରଶାସନ ସବୁ ଥର ନିଲାମ ବାତିଲ୍‌ କରିବାକୁ ବାଧୢ ହେଇଛି। ଯେହେତୁ ଖୋଲା ନିଲାମରେ ତିନି ଥର ଯାକ ଧାର୍ଯ୍ୟ ରାଶି ଛୁଇଁ ପାରୁନାହିଁ, ତେଣୁ ମନ୍ଦିର ପ୍ରଶାସନ ଖୁବ୍‌ଶୀଘ୍ର ଏ ସ˚କ୍ରାନ୍ତରେ ଏକ ବୈଠକ ଡାକିବାକୁ ଯାଉଛି। ସେହି ବୈଠକରେ ହିଁ ନିଲାମ ପ୍ରକ୍ରିୟାର ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି। ଗତ ଫେବ୍ରୁଆରି ୧୭ତାରିଖରେ ବହୁ ପ୍ରତୀକ୍ଷିତ ଏହି ମଣ୍ଡପ ଲୋକାର୍ପିତ ହୋଇଥିଲା। ସାନ୍ତସାହିସ୍ଥିତ ବଳଦେବଜିଉଙ୍କ ନିଜସ୍ବ ୪୫ ଡିସିମିଲ୍‌ ଜମି ଉପରେ ତିଆରି ହୋଇଥିବା ଏହି ମଣ୍ତପ ନିର୍ମାଣ ବାବଦକୁ ସରକାର ୨କୋଟି ଟଙ୍କା ଦେଇଥିଲେ। ମଣ୍ଡପ ନିର୍ମାଣରେ ୧ କୋଟି ୪୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଉ ୫୩ଲକ୍ଷ ଟଙ୍କା ବଳକା ଅଛି। ମଣ୍ଡପକୁ ବିବାହ, ବ୍ରତ, ଜନ୍ମଦିନ ଆଦି ବିଭିନ୍ନପ୍ରକାର ସାମାଜିକ କାର୍ଯ୍ୟକ୍ରମ ପାଇଁ ଭଡ଼ା ସୂତ୍ରରେ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେଥିରୁ ଯାହା ଆୟ ହେବ, ତାହା ମନ୍ଦିରର ବିକାଶ ଓ ଠାକୁରଙ୍କ ନୀତିକାନ୍ତିରେ ଖର୍ଚ୍ଚ ହେବାର ଯୋଜନା ରହିଛି। ଏଥିପାଇଁ ମଣ୍ଡପକୁ ଘରୋଇକରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ମନ୍ଦିର ପ୍ରଶାସନ ବ୍ୟକ୍ତିବି‌ଶେଷକୁ ଦୁଇ ବର୍ଷ ପାଇଁ ମଣ୍ଡପ ନିଲାମ ଦେବାକୁ ଯୋଜନା କରି ଗତ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ପୂର୍ତ୍ତ ବିଭାଗ ମଣ୍ଡପର ଭଡ଼ା ମୂଲ୍ୟ ଆକଳନ କରି ଦେଇଥିବା ରିପୋର୍ଟ ମୁତାବକ ବର୍ଷକୁ ୨୫ଲକ୍ଷ ୮୯ହଜାର ଟଙ୍କାରେ ମଣ୍ଡପ ନିଲାମ ଦିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା।
ତଦନୁଯାୟୀ, ଗତ ଏପ୍ରିଲ୍‌ ୧୨ତାରିଖରେ ପ୍ରଥମ ଡକାଯାଇଥିବା ଖୋଲା ନିଲାମରେ ତିନି ଜଣ ଅଂଶଗ୍ରହଣ କରିଥିଲେ। କିନ୍ତୁ ଧାର୍ଯ୍ୟ ରାଶି ୨୫ଲକ୍ଷ ଟଙ୍କା ଯାଏ କେହି ଗଲେ ନାହିଁ।

Advertisment

ଏମିତିକି ଅଧା ରାଶି ଯାଏ ବି ଡାକ ନ ଆସିବାରୁ ପ୍ରଶାସନ ତାହାକୁ ବାତିଲ୍‌ କରି ଦେଇଥିଲା। ଏହାପରେ ଏପ୍ରିଲ୍‌ ୧୯ ତାରିଖରେ ପୁଣି ଥରେ ନିଲାମ ଡକାଯାଇଥିଲା। ମାତ୍ର ଜଣେ ଅଂଶଗ୍ରହଣ କରିବାରୁ ତାହା ଫେଲ୍‌ ମାରିଥିଲା। ଶେଷ ଥର ପାଇଁ ଗତ ୨୬ତାରିଖରେ ଡକାଯାଇଥିଲା ନିଲାମ। ମାତ୍ର ପୂର୍ବଭଳି ମାତ୍ର ଜଣେ ବିଡର୍‌ ଅଂଶଗ୍ରହଣ କରିଥିଲେ। ତିନି ଥର ଯାକ ହୋଇଥିବା ନିଲାମ ପ୍ରକ୍ରିୟାରେ ଜଣେ ବ୍ୟକ୍ତି ସର୍ବାଧିକ ରାଶି ୧୧ଲକ୍ଷ ୧ହଜାର ଶହେ ଟଙ୍କା ଡାକିଛନ୍ତି। କିନ୍ତୁ ଧାର୍ଯ୍ୟରାଶିର ଆଖପାଖ ଯାଏ ବି ଆସୁନଥିବାରୁ ମନ୍ଦିର ପ୍ରଶାସନ ପକ୍ଷେ ନିଲାମ ଦେବା ସମ୍ଭବ ହେଇପାରିନାହିଁ। ମନ୍ଦିର ପ୍ରଶାସନ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ଯେ ପୂର୍ତ୍ତ ବିଭାଗ ଆକଳନ କରି ଯେଉଁ ରାଶି ଦେଇଛି, ସେହି ଅନୁଯାୟୀ ‌ନିଲାମ ଡକାଯାଇଛି। ଭାଗ ନେଇଥିବା ବିର୍ଡ ମାନେ ଅମାନତ ୨ଲକ୍ଷ ୬୦ହଜାର ଦାଖଲ ବି କରିଛନ୍ତି। ପ୍ରଥମ ଥର ତିନି ଜଣ ଏବଂ ବାକି ଦୁଇ ଥର ଜଣେ ବ୍ୟକ୍ତି ହିଁ ଅଂଶଗ୍ରହଣ କରିଛନ୍ତି। ଯେହେତୁ ଧାର୍ଯ୍ୟ ରାଶି ମୁତାବକ ନିଲାମ ଡାକ ଆସିପାରୁନାହିଁ, ତେଣୁ ‌ବୋର୍ଡ ବୈଠକରେ ଏ ସଂପର୍କରେ ଆଲୋଚନା ହେବା ପରେ ଯାହା ଚୂଡ଼ାନ୍ତ ନିଷ୍ପତ୍ତି ହେବ। ଖୁବ୍‌ଶୀଘ୍ର ବୈଠକ ବସିବ ବୋଲି ଶ୍ରୀ ପତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତି ଦୁଇ ବର୍ଷ ପାଇଁ ମଣ୍ଡପ ନିଲାମ ନେବ, ସେହି ବ୍ୟକ୍ତି ହାତରେ ବିଜୁଳି, ପାଣି ବିଲ୍‌ଠୁ ନେଇ ରକ୍ଷାଣବେକ୍ଷଣ, ପରିମଳ ଦାୟିତ୍ବ ରହିବ। ମନ୍ଦିର ପ୍ରଶାସନ କେବଳ ମଣ୍ଡପ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।