ତଦନ୍ତ କରିବ ୩ ଜଣିଆ ଡାକ୍ତରୀ ଟିମ: କଲ୍ୟାଣୀ ନର୍ସିଂହୋମ ଓଟି ସିଲ୍‌

ଯାଜପୁରସଦର: ରୋଗୀ ମୃତ୍ୟୁକୁ ନେଇ ବିବାଦରେ ଥିବା ଯାଜପୁର ସହରର କଲ୍ୟାଣୀ ନର୍ସିଂହୋମ ଉପରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ପାଇଁ ସାମୟିକ ଭାବେ ଏହି ନର୍ସିଂହୋମର ଅସ୍ତ୍ରୋପଚାର ଗୃହ (ଓଟି) କୁ ସିଲ୍‌ କରିଛି ସ୍ବାସ୍ଥ୍ୟ ବିଭାଗ। କୌଣସି ରୋଗୀଙ୍କୁ ଅସ୍ତ୍ରୋପଚାର ନକରିବାକୁ ନିର୍ଦେଶ ଦିଆଯାଇଛି। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସାମୂହିକ ଭାବେ ସିଲ୍ କରିବା ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ନିର୍ଦେଶ ଦେଇଛନ୍ତି। ୩ ଜଣିଆ ଡାକ୍ତରୀ ଦଳ ତଦନ୍ତ କରି ୩ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ଡାକ୍ତର ସୁଧାଂଶୁ କୁମାର ବଳ, ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡା. ନଗେନ୍ଦ୍ର ମହାପାତ୍ର, ନିଶ୍ଚେତକ ବିଭାଗର ଡା. ବଳରାମ ପଣ୍ଡା ଏହି ତିନିଜଣିଆ ଦଳରେ ଅଛନ୍ତି। ୩ଦିନ ମଧ୍ୟରେ ସମସ୍ତ ବିଷୟ ଅନୁଧ୍ୟାନ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସେମାନେ ରିପୋର୍ଟ ପ୍ରଦାନ କରିବେ। ଏହି ରି‌ପୋର୍ଟ ଆସିବା ପରେ ଚୂଡ଼ାନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ବିଂଝାରପୁର ଥାନା ଅନ୍ତର୍ଗତ ବାଛୋଳ ଗ୍ରାମର ପପୁନା ପୃଷ୍ଟିଙ୍କ ପତ୍ନୀ କବିତା ସାହୁଙ୍କୁ ପ୍ରସବ ନିମନ୍ତେ ଗୁରୁବାର ୨୮ ସେପ୍ଟେମ୍ବର ସନ୍ଧ୍ୟାରେ ଯାଜପୁର ସହରର ରେଡ୍‌କ୍ରସ ଛକରେ ଥିବା କଲ୍ୟାଣୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ୨୯ ତାରିଖ ଶୁକ୍ରବାର ସକାଳେ କବିତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା ପଠାଇ ଦିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କାରଣରୁ କବିତାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଏନେଇ ଯାଜପୁର ଥାନାରେ ୨୪୩/୨୩ରେ ଏକ ମାମଲା ରୁଜୁ କରାଯାଇଥିଲା। କଲ୍ୟାଣୀ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ପୁଲିସ ପଚରାଉଚରା କରିଥିଲା। ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରି ତଦନ୍ତ କରିବାକୁ ଥାନା ପକ୍ଷରୁ ଲିଖିତ ଭାବେ ଅନୁରୋଧ କରାଯାଇଥିଲା। ଘଟଣା ପରଦିନ ଡାକ୍ତର ପ୍ରଦୀପ କୁମାର ସାହୁ, ଡାକ୍ତର ମାନସ ବଲ୍ଲଭ ନାୟକ କଲ୍ୟାଣୀ ହସ୍ପିଟାଲକୁ ଯାଇ ଅସ୍ତ୍ରୋପଚାରରେ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର