କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣା ନେଇ ଗୁରୁବାର ଅପରାହ୍ନରେ ଅପରାଧୀଙ୍କ ସଂପର୍କରେ ଏକ ଖବରଦାତା ସମ୍ମିଳନୀରେ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଦାଦାବଟି ଆଦାୟ ନେଇ ଗୁଳିକାଣ୍ଡ ହୋଇଥିବା ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ ଗତ ୧୪ ତାରିଖ ରାତି ୧୧ଟା ସମୟରେ କାହ୍ନୁ ନିଜ କାର ଯୋଗେ ଘରକୁ ଫେରୁଥିବା ବେଳେ ୩ଜଣ ଦୂର୍ବୁତ୍ତ ବାଇକରେ ଆସି ଗୁଳି ଚଳାଇଥିଲେ। ଏହା ପୂର୍ବରୁ କାହ୍ନୁଙ୍କ କାର ଉପରକୁ ବୋମା ପକାଇବା ସହ ଢେଙ୍କାନାଳଠାରୁ ତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରି ବିଫଳ ହୋଇ କାହ୍ନୁର ଗାଡି ଓ ମୋବାଇଲକୁ ଧରି ଫେରାର ହୋଇଯାଇଥିଲେ।

Advertisment

ଏ ସମସ୍ତ ଘଟଣାକୁ ପୁଲିସ ଗମ୍ଭୀରତାର ସହ ନେଇ ଘଟଣାର ପର୍ଦ୍ଦାଫାଶ କରିବା ସହ ଘଟଣାରେ ସଂପୃକ୍ତ କିଛି ଆସାମୀଙ୍କୁ ଧରିବାରେ ସକ୍ଷମ ହେବା ସହ ଆସାମୀଙ୍କଠାରୁ ଗୋଟିଏ ପିସ୍ତଲ,୪ରାଉଣ୍ଡ ଗୁଳି ଓ ୪ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଛନ୍ତି। ଏସପି ସୂଚନା ଦେଇ କହିଛନ୍ତି ଯେ ଏସମସ୍ତ ଘଟଣା କେବଳ ଦାଦାବଟି ଆଦାୟକୁ ନେଇ ଘଟିଛି।ରାକେଶ ନାଥ ନାମକ ଯୁବକ ଯିଏ କି କିଙ୍ଗ ଅଫ ଫରେଷ୍ଟ ନାମରେ ଏକ ଟିମ ଗଠନ କରି ଢେଙ୍କାନାଳ ଜିଲ୍ଲାର ବିଭିନ୍ଳ ଅଞ୍ଚଳର ୨୦ରୁ ୨୫ ଯୁବକଙ୍କୁ ଏକାଠି କରି ଅଞ୍ଚଳର ବିଭିନ୍ନ ଠିକାଦାର ଓ ବ୍ୟବସାୟୀଙ୍କଠାରୁ ମାସିକ ଦାଦାବଟି ଆଦାୟ କରିଥିଲେ ।

ଖାଲି କାମାକ୍ଷାନଗର ନୁହେଁ ଜିଲ୍ଲାର କିଛି ଅଞ୍ଚଳ ଅନଗୁଳ ଅଞ୍ଚଳରୁ ମଧ୍ୟ ବଟି ଆଦାୟ କରୁଥିଲେ। ଏପରିକି ମାସକୁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଆକାଉଣ୍ଟ ଓ ମଧ୍ୟସ୍ତିଙ୍କ ଜରିଆରେ ଆଦାୟ କରାଯାଉଥିଲା । କେଉଁମାନେ ଚାନ୍ଦା ଦେଉଥିଲେ ସେମାନଙ୍କର ସୂଚନା ପୁଲିସର ହସ୍ତଗତ ହୋଇଛି । ଅପରାଧୀଙ୍କ ଭୟରେ ବଟି ଦେଇଥିବା ବ୍ୟକ୍ତିମାନେ ପୁଲିସ ଆଗରେ କୈାଣସି ଅଭିଯୋଗ କରୁନଥିଲେ। କିନ୍ତୁ ଏବେ ପୁଲିସ ସେମାନଙ୍କୁ ଅଭିଯୋଗ କରିବା ପାଇଁ କହିଥିବାବେଳେ ଅଭିଯୋଗ ନକଲେ ପୁଲିସ ନିଜ ଆଡୁ ସେମାନଙ୍କ ନାମରେ ମାମଲା ରୁଜୁ କରିବ ବୋଲି ଏସପି ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ସୁବାସ ଖୁଣ୍ଟିଆ,ଟିଟନ ଓରଫ ଶୁଭ୍ରାଶୁଂ ନାଏକ, ଗୁଡୁ ଓରଫ ଲିପନ ରାଉତ, ଅନିଲ କୁମାର ନାଏକଙ୍କୁ ଗିରଫ କରାଯାଇଛି |