‘ପଦ୍ମଶ୍ରୀ’ ଲାଗି ମନୋନୀତ କମଳା ପୂଜାରୀଙ୍କୁ ହସ୍‌ପିଟାଲ୍‌ରେ ଭେଟିଲା ପ୍ରଶାସନ

ଜୟପୁର: ବିରଳ ଧାନ ବିହନର ସଂଗ୍ରାହକ ତଥ୍ୟ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶନିବାର ତାଙ୍କୁ ଚିକିତ୍ସାଳୟରେ ଏଡିଏମ୍‌ ଦେବେନ୍‌ କୁମାର ପ୍ରଧାନ, ସିଡିଏମ୍‌ଓ ଲଲିତ ରଥ, ମେଡିକାଲର ଅଧ୍ୟକ୍ଷ କାଳି ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଲୋକନାଥ ଦେଳବେହେରା ଭେଟିଛନ୍ତି।

ସୂଚନାଯୋଗ୍ୟ, ଗତ ୫ଦିନ ହେଲା କମଳା ପୂଜାରୀ ଜ୍ୱରରେ ଆକ୍ରାନ୍ତ ଥିଲେ। ତେବେ ଗତକାଲି ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତେଣୁ ପରିବାର ଲୋକ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ତାଙ୍କୁ ମେଡିକାଲକୁ ଆଣିଥିଲେ। ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା ଚାଲିଛି। ଡାକ୍ତର ଭୁପତି ଭୂଷଣ ଜେନା ଚିକିତ୍ସା ଜାରି ରଖିଛନ୍ତି। ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ବେଳେ ରକ୍ତଚାପ ବଢ଼ି ଯାଇଥିବା ସୂଚନା ମିଳିଛି। ୨୪ଘଣ୍ଟା ଧରି ତାଙ୍କୁ ନିରୀକ୍ଷଣରେ ରଖିବା ପରେ ପରବର୍ତ୍ତୀ ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିରଳ କିସମର ଧାନ ଚାଷ ସାଙ୍ଗକୁ ବିଲୁପ୍ତ ଅବସ୍ଥାକୁ ଚାଲି ଆସିଥିବା ଧାନ ବିହନ ସଂଗ୍ରହ ପାଇଁ ଚର୍ଚ୍ଚାକୁ ଆସିଥିଲେ କମଳା। ଅନେକ ଥର ରାଜ୍ୟ ସରକାରଙ୍କ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବି ତାଙ୍କୁ ସମ୍ମାନିତ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କମଳା ପୂଜାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର