କନ୍ଧମାଳରେ ବସ୍ ସେବା: ଯାତ୍ରୀ ହେଉ ନଥିବାରୁ ପଡି ରହିଛି ଅଧା ବସ

ମାଲିକ ସହୁଛନ୍ତି କ୍ଷତି, କର୍ମଚାରୀଙ୍କ ଦୁଃଖ ବି ଯାଉନି

ଫୁଲବାଣୀ: କରୋନା ପାଇଁ ୬ ମାସ ଧରି ବସ ଚଳାଚଳ ବନ୍ଦ ରହିଲା। ଏଥିରେ ମାଲିକମାନେ ବହୁତ କ୍ଷତି ସହିଲେ। ଆଉ କର୍ମଚାରୀ ବି ଦୁଃଖ କଷ୍ଟରେ ଦିନ କାଟିଲେ। ଏବେ କଟକଣା ଉଠିଛି। ଆଉ ବସ ଚଳାଚଳ କରିବାକୁ ସରକାର ଅନୁମତି ଦେଇଛନ୍ତି। ବସ ଚଳାଚଳ ପାଇଁ ଅନୁମତି ମିଳିବା ପରେ ବେଶ ଖୁସି ହୋଇଥିଲେ ମାଲିକ। ଆଉ ଦୁଃଖ ଦୁର ହେଲା ବୋଲି ଭାବି ନେଇଥିଲେ କର୍ମଚାରୀ। ବସ ଚଳାଚଳ କରୁଥିଲେ ବି ଯାତ୍ରୀ ହେଉ ନାହାନ୍ତି। ଯାତ୍ରୀ ହେଉ ନଥିବାରୁ ଅଧା ବସ ପଡି ରହିଛି।

କନ୍ଧମାଳ ଜିଲ୍ଲାରେ ୧୦୦ରୁ ବସ ରହିଛି। ଯେଉଁ ବସ ଗୁଡିକ କେବଳ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚଳାଚଳ କରିଥାଏ। ଯାତ୍ରୀ ହେଉ ନଥିବାରୁ ଏବେ କେବଳ ମାତ୍ର ୪୦ରୁ ୫୦ ଖଣ୍ଡ ବସ ଚଳାଚଳ କରୁଛି। ଫୁଲବାଣୀରୁ ଭୁବନେଶ୍ବର ୨୦ ଖଣ୍ଡ ବସ ଚଳାଚଳ କରେ। ଦିନରେ ୧୦ ଓ ରାତିରେ ବି ୧୦ ଖଣ୍ଡ ବସ ଚଳାଚଳ କରିଥାଏ। ଯାତ୍ରୀ ହେଉ ନଥିବାରୁ ଏବେ ମାତ୍ର ୧୦-୧୧ ଖଣ୍ଡ ବସ ଚାଲୁଛି। ଦିନରେ ୫ ଓ ରାତିରେ ୬ ଖଣ୍ଡ ବସ ଚାଲୁଛି। ସେହିଭଳି ଫୁଲବାଣୀରୁ ବ୍ରହ୍ମପୁର ୨୦ ଖଣ୍ଡ ବସ ଚଳାଚଳ କରୁଥିଲା। ଏବେ ୧୦ ଖଣ୍ଡ ବସ ଚାଲୁଛି। ବୌଦ୍ଧକୁ ୫ରୁ ୬ ଖଣ୍ଡ ବସ ଚାଲୁଥିବା .ବେଳେ, ଏବେ ମାତ୍ର ୩ରୁ ୪ ଖଣ୍ଡ ଚଳାଚଳ କରୁଛି।

ସରକାରୀ ବସ ୧୦ ଖଣ୍ଡ ଚଳାଚଳ କରୁଥିଲା। ଏବେ ମାତ୍ର ୨ରୁ ୩ ଖଣ୍ଡ ବସ ଚଳାଚଳ କରୁଥିବା ଜଣା ପଡିଛି। କରୋନାର ପ୍ରଭାବ ଏବେ ବି ରହିଛି। ତେଣୁ ରିକ୍ଦ ନେଇ ବସରେ ଯିବାକୁ ବହୁ ଯାତ୍ରୀ ଇଛା ପ୍ରକାଶ କରୁ ନାହାନ୍ତି। ଅଧିକ ଖର୍ଚ୍ଚ ବଂର ପଡୁ ସେମାନେ କାର ଭଡା କରି ଭୁବନେଶ୍ବର ଓ ବ୍ରହ୍ମପୁରକୁ ଯାଉଛନ୍ତି।

ଜିଲ୍ଲାରେ ବି ସେମିତି ଛୋଟମୋଟ ଗାଡିରେ ଯିବାକୁ ବହୁ ଲୋକ ପସନ୍ଦ କରୁଛନ୍ତି। ତେଣୁ ଯାତ୍ରୀ ଅଭାବରୁ ଅଧା ବସ ଠିଆ ହୋଇଛି। ବାକି ଯେଉଁ ଅଧା ବସ ଚାଲିଛି। ତାହା ପୁଣି ଲଗେଜ ଭରସାରେ ଚାଲିଛି। ଯାତ୍ରୀ ଭଡା ବାବଦକୁ ଲଗେଜରେ ମିଳି ଯାଉଥିବାରୁ ତାହା କ୍ଷତି ଭରଣା କରି ଦେଉଛି। ଯଦି ଲଗେଜକୁ ଭରସା ନ କରା ଯିବ ତାହା ହେଲେ କମ୍ ସଂଖ୍ୟକ ଯାତ୍ରୀଙ୍କୁ ବସ ଚାଲିବା ସମ୍ଭବ ନୁହେଁ ବୋଲି କହନ୍ତି ବସ ମାଲିକ ଅକ୍ଷୟ କୁମାର ପଟ୍ଟନାୟକ। ବସକୁ ବିଶୋଧନ କରାଯାଉଛି।

ଯାତ୍ରୀଙ୍କ ସୁରକ୍ଷା ପାଇଁ ବସରେ ସବୁ ବ୍ୟବସ୍ଥା କରାଯାଇଛି। ହେଲେ କରୋନା ଭୟରେ ଏବେ ବି ବସରେ ଆବଶ୍ୟକ ଯାତ୍ରୀ ହେଉ ନାହାନ୍ତି। ସେଥି ପାଇ ବସ ଚଳାଇବା କଷ୍ଟକର ହୋଇ ପଡୁଛି। କିସ୍ତି ପରିଶୋଧ କରି ହେଉ ନାହିଁ। କର୍ମଚାରୀଙ୍କୁ ଦରମା ବି ଦେବା ବିଳମ୍ବ ହେଉଛି। କେବଳ ଲୋକଙ୍କ ସୁବିଧା ପାଇଁ ବସ ଚଳାଇବାକୁ ବାଧ୍ୟ ହେଉଛୁ ବୋଲି କହନ୍ତି ବସ ମାଲିକ ରବୀନ୍ଦ୍ର କୁମାର ସାହୁ,ବିନୋଦଚନ୍ଦ୍ର ସାହୁ। ସ୍କୁଲ ଓ କଲେଜ ପିଲା ବସରେ ଯାଉଥିଲେ। ସେଥିରୁ କିଛି ଭଡା ମିଳୁ ଥିଲା। ହେଲେ ସ୍କୁଲ ବନ୍ଦ ଯୋଗୁ ଏହି ଭଡା ବି ଗଲା।

ତେଣୁ ବଡ କଷ୍ଟରେ ବଳାଇଛୁ। ଲାଭ କିଛି ମିଳୁନି। କ୍ଷତି ସତ୍ତ୍ବେ ଲୋକଙ୍କ ପାଇଁ ବସ ଚଳାଉଛୁ ବୋଲି କହନ୍ତି ବସ ମାଲିକ ଆଶୋକ କୁମାର ପାତ୍ର ଓ ମାନସରଂଜନ ପ୍ରଧାନ। କରୋନା ପ୍ରଭାବ ଲାଗି ଥିବା ଯାଏ ବସ ଚଳାଜଳ ସ୍ବାଭାବିକ ହେବା ଆଶା କ୍ଷୀଣ। ଶୀତ ଦିନରେ କରୋନା ପ୍ରଭାବ ଅଧିକ ରହିବା ଆଶଙ୍କା ଥିବାରୁ ଏବେ ଚାଲୁଥିବା ଅଧା ବସରୁ ଆହୁରି କିଛି ବସ ଠିଆ ହେବା ନିଶ୍ଚିତ। କ୍ଷତିରେ ଚାଲିଛି ବସ। ତେଣୁ ସରକାର କିଛି ବ୍ୟବସ୍ଥା କରିବାକୁ ଦାବି ମାଲିକ ଓ କର୍ମଚାରୀଙ୍କ ମହଲରୁ ଦାବି ହେଉଛି।

 

ସମ୍ବନ୍ଧିତ ଖବର