ବିର୍ସାମୁଣ୍ଡା ଜାତୀୟ ଟାଇକୋଣ୍ଡୋ ଚାମ୍ପିଅନସିପ୍‌: କନ୍ଧମାଳର ୩ ଖେଳାଳୀଙ୍କୁ ମିଳିଲା ବ୍ରୋଞ୍ଜ ପଦକ, ଜଣଙ୍କୁ ସିଲଭର

ଫୁଲବାଣୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିଠାରେ ଗତ ୪ରୁ ଅନୁଷ୍ଠିତ ଜାତୀୟ ଟାଇକୋଣ୍ଡୋ ଚାମ୍ପିଅନସିପରେ କନ୍ଧମାଳର ଖେଳାଳୀଙ୍କୁ ସଫଳତା ମିଳିଛି। ଏହି ଚାମ୍ପିିଅନସିପରେ ଖେଳିବାକୁ ଯାଇଥିବା ୧୧ ଜଣ ଖେଳାଳୀଙ୍କ ମଧ୍ୟରୁ ଉନ୍ନନମାନର ଖେଳ ପ୍ରଦର୍ଶନ କରି ୪ ଜଣ ଖେଳାଳୀ ପଦକ ହାସଲ କରିଛି। ସେଥି ମଧ୍ୟରୁ ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଜଣେ ସିଲଭର ପଦକ ପାଇଛନ୍ତି। ବାଳିକା ବିଭାଗରେ କ୍ୟାଡେଟ ଅପୂର୍ବା ଆରିଆ ୫୯ କେଜିରେ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଶ୍ୱେତାଲିନ୍‌ ପ୍ରିୟଦର୍ଶିନୀ ବାଳିକା ସବ ଜୁନିୟର ୩୫ କେଜି ଓ ଅଂଜନୟ ମହାନ୍ତି ବାଳକ ସବ ଜୁନିୟର ୫୦ କେଜିରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିଭଳି କେ.କମଲେଶ ବାଳକ ସବ ଜୁନିୟର ୪୪ କେଜିରେ ସିଲଭର ପଦକ ହାସଲ କରିଛନ୍ତି।

ପୂର୍ବରୁ କନ୍ଧମାଳର ଟାଇକୋଣ୍ଡୋ ଖେଳାଳୀ ଜାତୀୟ ସ୍ତରରେ ଖେଳିଥିଲେ। ହେଲେ ସଫଳତା ମିଳି ନଥିଲା। ଦୀର୍ଘ ବର୍ଷ ପରେ କନ୍ଧମାଳର ୪ ଖେଳାଳୀ ଜାତୀୟ ସ୍ତରରେ ସଫଳତା ହାସଲ କରି ପଦକ ପାଇ ଜିଲ୍ଲା ଓ ରାଜ୍ୟ ପାଇଁ ଗେରବ ଆଣିଥିବାରୁ କ୍ରୀଡାବିତଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି। କନ୍ଧମାଳ ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ପ୍ରଭାତ କୁମାର ସାହୁଙ୍କ ଉଦ୍ୟମ ଓ ପ୍ରଚେଷ୍ଠା ବଳରେ ଏହା ସମ୍ଭବ ହୋଇଥିବାରୁ ତାଙ୍କୁ ସବୁ ମହଲରୁ କୃତଜ୍ଞତା ଜଣାଯାଇଛି।

ସମ୍ପାଦକ ଶ୍ରୀ ସାହୁ, ମ୍ୟାନେଜର ରମାକାନ୍ତ ବେହେରା ଓ ବାଳିକା କୋଚ ମାଧବୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳାଳୀମାନେ ରାଞ୍ଚି ଯାଇଥିଲେ। ଆଜି ଖେଳ ଶେଷ ହୋଇଥିବା ବେଳେ ଖେଳାଳିମାନେ ଆସନ୍ତା ୯ ତାରିଖରେ ସମସ୍ତେ କନ୍ଧମାଳ ଫେରିବେ ବୋଲି ସମ୍ପାଦକ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର