ଫୁଲବାଣୀ ଦଣ୍ଡନାଟରେ ଅଶ୍ଳୀଳତାକୁ କନ୍ଧମାଳ ଜାଗରଣ ମଞ୍ଚ ତୀବ୍ର ବିରୋଧ କରିଛି। ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୨୧ ଓ ୨୨ ତାରିଖରେ ଫୁଲବାଣୀଠାରେ କନ୍ଧମାଳ ଜାଗରଣ ମଞ୍ଚ ପକ୍ଷରୁ ଏକ ଚିନ୍ତନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ବୌଦ୍ଧ, ଦଶପଲ୍ଲା ଓ କନ୍ଧମାଳର ଦଣ୍ଡୁଆମାନେ ଏକତ୍ରିତ ହୋଇ ଅଶ୍ଳୀଳ ନୃତ୍ୟ ତଥା ଦ୍ବିଅର୍ଥବୋଧକ ଗୀତ ବଜାଇ ନାଚ ନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର, ଅନେକ ସ୍ଥାନରେ ଦଣ୍ଡ ସୁଆଙ୍ଗରେ ଅଶ୍ଳୀଳତା ପ୍ରଦର୍ଶନ କରାଯାଉଥିବାର ଦେଖିବାକୁ ମିଳିଛି। ଏଣୁ କନ୍ଧମାଳ ଜାଗରଣ ମଞ୍ଚ ସଭାପତି ଶେଷଦେବ ଜାନିଙ୍କ ନେତୃତ୍ବରେ ପୁଣି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଦଣ୍ଡଯାତ୍ରାର ଅଧିକାରୀ ଓ ଦଣ୍ଡୁଆମାନଙ୍କୁ ପତ୍ର ମାଧ୍ୟମରେ ସଚେତନତା କରାଯାଇଛି।
ଏହି ବୈଠକରେ କନ୍ଧମାଳ ଜାଗରଣ ମଞ୍ଚର ଦଶପଲ୍ଲା-ବୌଦ୍ଧ-କନ୍ଧମାଳର ଆବାହକ ପରେଶ ମହାପାତ୍ର, ନାରାୟଣ ସାହୁ, ନିରଞ୍ଜନ ସାହୁ, ବଂଶୀଧର ପଣ୍ଡା, ବିକାଶ ଚନ୍ଦ୍ର ମହାନ୍ତି, ଭି. ସୁବ୍ରମଣ୍ୟମ ଦାସ, ରମେଶ ଚନ୍ଦ୍ର ମହାନ୍ତି, ନବୀନ କିଶୋର ପଣ୍ଡା, ସନ୍ତୋଷ ପଣ୍ଡା, ବ୍ରଜକିଶୋର ପଟ୍ଟନାୟକ, ନିରଞ୍ଜନ ପଣ୍ଡା, କାହ୍ନୁ ସେଠୀ, ସରୋଜ ବେହେରା, ନବକିଶୋର ରଥ, ସତ୍ୟପ୍ରିୟ ମହାନ୍ତି, ମୋହନ ପ୍ରଧାନ, ଅଶୋକ ପାଳ, ରାଜକିଶୋର ପାଢୀ, ରବି ଚନ୍ଦ୍ର ଲହରିଆ ପ୍ରମୁଖ ଉପସ୍ଥିତ ରହି ଦଣ୍ଡନାଟରେ ଅଶ୍ଳୀଳତା ପ୍ରଦର୍ଶନକୁ ଘୋର ବିରୋଧ କରିଛନ୍ତି। ଏ ନେଇ ଦଣ୍ଡୁଆମାନଙ୍କ ସହ ଆଲୋଚନା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶା ସରକାର ଅଶ୍ଳୀଳ ଗୀତ, ଅଶ୍ଳୀଳ ସଂଳାପ, ଅଶ୍ଳୀଳ ଅଙ୍ଗଭଙ୍ଗୀ କରି ନୃତ୍ୟ ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ଅବମାନନା କରା ନଯାଉ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜାଗରଣ ମଞ୍ଚ ଦାବି କରିଛି।