ଫୁଲବାଣୀ: କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାରେ ଯୋଗ ଦେବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଘଟୁଛି। ଗତକାଲି (ଜାନୁଆରି ୬) କନ୍ଧମାଳ ମହୋତ୍ସବର ଦ୍ବିତୀୟ ଦିବସରେ ଛାତ୍ରଛାତ୍ରୀ ଓ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସୁନ୍ଦର ସ୍ବାସ୍ଥ୍ୟ, କୌତୁକ ପ୍ରତିଯୌଗିତା, ଏକକ ନୃତ୍ୟରେ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ତନ୍ଭି ତାନିଶା ପ୍ରଧାନ, ଅଦିଭ୍ ଆଭ୍ୟାନ ସାହୁ, ସ୍ମୃତିଲଗ୍ନା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବେଳେ କୌତୁକ ପୋଷାକ ପ୍ରତିଯୋଗିତାରେ ଦିବ୍ୟାଂଶା ସ୍ବାଇଁ, ଅନ୍ବେଷଅନୁତୋଷ ସାହୁ, ଆରାଧ୍ୟା ଆରଧନା ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ।
ଆଜି ସନ୍ଧ୍ୟାରେ ଏକକ ଗୀତ, ରଙ୍ଗୋଲି, ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟାରେ ମଧ୍ୟପ୍ରଦେଶର ନ୍ୟୁ ଇମେଜ୍ ଆର୍ଟ ଆଣ୍ଡ ସାଗର, ସର୍ଗିଫୁଲ୍, ଝାଗଡ଼ି ନୃତ୍ୟ, ଫୁଲବାଣୀ ଡ୍ୟାନ୍ସ ଏକାଡେମୀର ଆଦିବାସୀ ନୃତ୍ୟ, ବେଲପଦରର ଶର୍ଗିଫୁଲ ଆଦିବାସୀ ନୃତ୍ୟ, ଦାରିଙ୍ଗିବାଡ଼ିର ଓଡ଼ିଶୀ ନୃତ୍ୟ, ରାୟଗଡ଼ାର ସଉରା ନୃତ୍ୟ, ଲୁଇସିଂହା ସଙ୍ଗୀତ ସାଧାନର ଲୋକନୃତ୍ୟ, ଚକାପାଦର ଆଦିବାସୀ ଲୋକନୃତ୍ୟ, କ.ନୂଆଗାଁର ଡାକୁଲୁ କୁଇ ନୃତ୍ୟ, ବାଲିଗୁଡ଼ାର କୁଇ ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା।
ସେହିଭଳି କନ୍ଧମାଳ ମହୋତ୍ସବ ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ତଥା କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏକ ବୈଷୟିକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ସେଥିରେ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ଓ ବିତରଣ ସହିତ କୃଷି ଓ ଆନୁଷଙ୍ଗିକ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସରକାରୀ ସହାୟତାର ଲାଭ ନେଇ ଚାଷୀମାନେ ରିହାତି ଦରରେ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି କିଣି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ। ଉନ୍ନତ ଜ୍ଞାନକୌଶଳ ଦ୍ବାରା ଚାଷୀମାନେ କିପରି ଅଳ୍ପ ଖର୍ଚ୍ଚରେ ଓ କମ୍ ସମୟରେ ଅଧିକ ଅମଳ କରିପାରିବେ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକରୁ ପ୍ରାୟ ୩୦୦ ଜଣ ଚାଷୀ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଚକାପାଦ ଗୋଷ୍ଠୀ କୃଷି ଅଧିକାରୀ ହେମନ୍ତ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଫୁଲବାଣୀ ଗୋଷ୍ଠୀ କୃଷି ଅଧିକାରୀ ସୁନିତା ମିଶ୍ର ସଭା ପରିଚାଳନା କରିଥିଲେ। ଏହି କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳା ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାରକାନ୍ତ ସାମଲ ସୂଚନା ଦେଇଛନ୍ତି।