ଚୀନ ଫେରନ୍ତା କନ୍ଧମାଳର ଡାକ୍ତରୀ ଛାତ୍ର ଅସୁସ୍ଥ ହେବା ପରେ ସଜାଗ ହେଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଆରମ୍ଭ ହେବ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ଚୀନ ଫେରନ୍ତା କନ୍ଧମାଳର ଡାକ୍ତରୀ ଛାତ୍ର ଅସୁସ୍ଥ ହେବା ପରେ ଜିଲ୍ଲା ପ୍ରଶାସନ ସତର୍କ ହୋଇଯାଇଛି। ପ୍ରଶାସନ ତରଫରୁ ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜିଲ୍ଲାରେ ଏ ନେଇ ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହେଉଛି।

ସୂଚନାଯୋଗ୍ୟ, କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ଆତଙ୍କ ଖେଳି ଯାଇଥିବା ବେଳେ ଓଡିଶାରେ ଏହି ଭାଇରସ ଆସିଥିବା ସନ୍ଦେହ କରାଯାଉଛି। ଚୀନ ଫେରନ୍ତା କନ୍ଧମାଳର ଜଣେ ଡାକ୍ତରୀ ଛାତ୍ର ୨-୩ ଦିନ ହେଲା ଅସୁସ୍ଥ ହେବାରୁ ସେ ନିଜେ କରୋନା ଭାଇରସ ଆକ୍ରାନ୍ତ ସନ୍ଦେହ କରିଛନ୍ତି। ଏ ନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ଲେଖି ରକ୍ତ ପରୀକ୍ଷା କରିବାକୁ ନିବେଦନ କରିଛନ୍ତି। ଏହି ଆଧାରରେ ଆଜି ସଂପୃକ୍ତ ଛାତ୍ର ଜଣକ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ପହଞ୍ଚିଥିଲେ। ତାଙ୍କୁ ଏଠାରେ କିଛି ସମୟ ଅବଜରଭେସନରେ ରଖାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି।

ଚୀନରେ ଶେଷ ବର୍ଷର ଡାକ୍ତରୀ ପାଠ ପଢୁଥିବା କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ମୃତ୍ୟୁଞ୍ଜୟ ମୁନି(୨୨) ଗତ ୧୧ ତାରିଖରେ ଘରକୁ ଆସିଛନ୍ତି। ହେଲେ ଗତ ୧୫ ତାରିଖ ପରେ ଚୀନରେ କରୋନା ଭାଇରସ ବାହାରିଛି। ୨-୩ ଦିନ ହେଲା ଛାତ୍ର ଜଣକୁ ଥଣ୍ଡା ଓ କାଶ ହୋଇଛି। ଔଷଧ ଖାଇଲେ ବି ସୁସ୍ଥ ନ ହେବାରୁ ସେ ନିଜେ ସନ୍ଦେହ କରି ରକ୍ତ ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ଛାତ୍ର ଜଣକ କରୋନା ଭାଇରସ ଆକ୍ରାନ୍ତ ବୋଲି କୁହାଯାଇ ପାରିବ ନାହିଁ। ଏଠାରେ ପରୀକ୍ଷା ହେବାର ସୁବିଧା ନଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର