ପଲ୍ଲୀରୁ ଯାଇ ଦିଲ୍ଲୀରେ ଚମକିଲେ କନ୍ଧମାଳର ଦୁଇ ଝିଅ, ଆଣିଲେ ସ୍ୱର୍ଣ୍ଣ-ରୌପ୍ୟ ପଦକ

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ପଲ୍ଲୀରୁ ଯାଇ ଦିଲ୍ଲୀରେ ଜାତୀୟ କ୍ରୀଡ଼ାରେ ଭାଗ ନେଇ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ କରିବା କଷ୍ଟ ସାଧ୍ୟ କାମ। କିନ୍ତୁ ଯେଉଁମାନେ ଏହାକୁ ଅଙ୍ଗେ ନିଭାଇଛନ୍ତି, ସେମାନେ ହିଁ କହିପାରିବେ ଯାତ୍ରା କେତେ କଷ୍ଟ। ହେଲେ ଏଭଳି କଷ୍ଟ ସାଧ୍ୟ କାର୍ଯ୍ୟ କରି ସଫଳତା ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲାର ଦୁଇ କନ୍ୟାରତ୍ନ। ନିଜ ପ୍ରଚେଷ୍ଠାରେ ଜିଲ୍ଲାରୁ ରାଜ୍ୟ ଏବଂ ରାଜ୍ୟରୁ ଜାତୀୟ ସ୍ତରରେ କ୍ରୀଡ଼ାରେ ଭାଗ ନେଇ ସଫଳତା ଆଣି କନ୍ଧମାଳ ଓ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି ଲେନି ଦିଗାଲ ଓ ବିଳାଶିନୀ ନାୟକ।

ଦୁଇ ଛାତ୍ରୀ ଘୁ.ଉଦୟଗିରିସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ୩ ବର୍ଷ ହେବ ରହି ଆସୁଛନ୍ତି। ବାଲିଗୁଡ଼ା ନିକଟ ବାରଖାମା ଗ୍ରାମର ମେନେଜର ଦିଗାଲ ଏବଂ ଜସ୍ମିନ ଦିଗାଲଙ୍କ ଝିଅ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶେଣୀରେ ପଢୁଛନ୍ତି। ଚାଇଲଡ଼ କେୟାର ଇନଷ୍ଟିଚ୍ୟୁଟରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ହୋସଲା-୨୦୧୯ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଲେନି ଦିଗାଲ ରିଲେ ରେସ, ଲଙ୍ଗଜମ୍ପ ଏବଂ ଫୁଟବଲରେ ଭାଗ ନେଇଥିଲେ। ସେଥିରୁ ରିଲେରେସ ଏବଂ ଲଙ୍ଗଜମ୍ପରେ ପ୍ରଥମ ସ୍ଥାନ ଅଧିକାର କରି ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଗତ ବର୍ଷ ମଧ୍ୟ ଏହି କ୍ରୀଡ଼ାରେ ସେ ଭାଗ ନେଇ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ।

ସେହିଭଳି ହର୍ମାସ ନାୟକ ଓ ଆସନ୍ତି ନାୟକଙ୍କ ଝିଅ ବିଳାଶିନୀ ବନଶ୍ରୀ ବାଳିକା ଉଚ୍ଚବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଛନ୍ତି। ସେ ମଧ୍ୟ ହୋସଲା-୨୦୧୯ଜାତୀୟ କ୍ରୀଡା ପ୍ରତିଯୋଗିତାରେ ରିଲେରେସରେ ଭାଗ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି।

ସୂଚନାଯୋଗ୍ୟ ଚଳିତ ମାସ ୨୦ ଏବଂ ୨୧ ତାରିଖ ଦୁଇଦିନ ଧରି ନୂଆଦିଲ୍ଲୀ ଠାରେ ଜାତୀୟ କ୍ରୀଡ଼ାରେ ଭାଗ ନେଇ ସଫଳତା ପାଇବା ପରେ ଲେନି ଓ ବିଳାଶିନୀ ଆଜି ଘୁ.ଉଦୟଗିରି ଫେରିଥିଲେ। ଉଭୟଙ୍କୁ ସୁଭଦ୍ରା ମହତାବ ସେବା ସଦନରେ ରହୁଥିବା ସମସ୍ତ ଝିଅ ଶ୍ରୀରାମ ପଦା ଛକକୁ ଆସି ଦୁଇ ପଦକ ବିଜୟିନୀଙ୍କୁ ସ୍ୱାଗତ କରି ନିଜ ଅନୁଷ୍ଠାନକୁ ନେଇଯାଇଥିଲେ।

ସମ୍ବନ୍ଧିତ ଖବର