ଭବାନୀପାଟଣା : କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ବୁଧବାରଦିନ କଳାହାଣ୍ଡି ପୁଲିସ ଦ୍ୱାରା କରାଯାଇଥିବା ଡିଭିଏଫ ଓ ଓଏସଓଜି ମିଳିତ କମ୍ବିଂ ଅପରେସନରେ ୫ ମାଓବାଦୀ ନିହତ ହେବା ସହ ୨ ଜଣ ଏସଓଜି ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାଁ ସୁଧୀର କୁମାର ଟୁଡୁ (୨୮) ଓ ଦେବାଶିଷ ସେଠୀ(୨୭) ବୋଲି ଜଣାପଡ଼ିଛି । ସୁଧୀର ମୟୁରଭଞ୍ଜ ଜିଲ୍ଲା ସୁଲିଆପଡ଼ା ଥାନା ଅନ୍ତର୍ଗତ ସାନଭଦୁଆ ଗାଁର ହୋଇଥିବାବେଳେ ଦେବାଶିଷ ଅନୁଗୁଳ ଜିଲ୍ଲା ରାଜକିଶୋରନଗରର ଅଧିବାସୀ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କଳାହାଣ୍ଡି ପୁଲିସ ପକ୍ଷରୁ ଆଜି ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ବୁଧବାର ସକାଳ ୧୧ ଟା ବେଳେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କଳାହାଣ୍ଡି ଓ କନ୍ଧମାଳ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା । କମ୍ବିଂ ଅପରେସନରେ ସମୟରେ ଉଭୟ ପୁଲିସ ଓ ମାଓବାଦୀଙ୍କ ଉଭୟ ପଟୁ ଗୁଳିବିନିମୟ ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ ୫ ମାଓବାଦୀଙ୍କ ମୃତ୍ୟୁ ଦେହ ଠାବ ହୋଇଥିଲା । ନିହତ ୫ ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମାଓବାଦୀ ଥିବା କଳାହାଣ୍ଡି ଏସପି ବ।ତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଏହିଗୁଳିବିନିମୟ ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୁଲିସ ପକ୍ଷରୁ ଅଧିକ ଏସଓଜି, ଡିଭିଏଫ କୋବ୍ରା ଓ ସିଆରପିଏଫ ଫୋର୍ସ କୁ କମ୍ବିଂ ଓ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଛି । ଗୁଳିବିନିମୟ ଅଧାଘଣ୍ଟା ପର୍ଯ୍ୟନ୍ତ ହୋଇଥିବା ବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ୨ ଟି ଏସଏଲଆର ବନ୍ଧୁକ ଓ ୪ ଟି ଦେଶୀ ବନ୍ଧୁକ ପୁଲିସ ଜବତ କରିଛି ଏବଂ ବିଭିନ୍ନ ମାଓ ବ୍ୟବହାର ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ଉଦ୍ଧାର ହୋଇଥିବା ଜଣାପଡିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଓ କମ୍ବିଂ କୁ ପୁଲିସ ପକ୍ଷରୁ ଜୋରଦାର କରାଯାଇଛି ।