ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀର ପୋସ୍କୋ କୋର୍ଟ। ୨୦୨୨ ମସିହା ଖଜୁରୀପଡ଼ା ଥାନା ଅଞ୍ଚଳରେ ଏହି ଦୁଷ୍କର୍ମ ମାମଲା ହୋଇଥିଲା, ଯେଉଁଥିରେ ଅଭିଯୁକ୍ତ ହେମନ୍ତ ମଲ୍ଲିକକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୬୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୭ ମାସ କାରାଦଣ୍ଡାଦେଶ ଏବଂ ପୀଡ଼ିତା ନାବାଳିକାକୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥା କୁ ନିର୍ଦେଶ ଦେଇଛନ୍ତି କୋର୍ଟ।

Advertisment

ସୂଚନା ଅନୁସାରେ, ଗ୍ରାମର ଗୋଟିଏ ଭୋଜି ଜଙ୍ଗଲରେ ହେଉଥିଲା ଏବଂ ଭୋଜି ସରିବା ପରେ ପୀଡ଼ିତା ନାବାଳିକା ତାକୁ ଘରେ ଛାଡ଼ିଦେବା ପାଇଁ ଅଭିଯୁକ୍ତକୁ କହିଥିଲା। ଅଭିଯୁକ୍ତ ଜଣକ ତାକୁ ଘରେ ଛାଡ଼ିବା ପାଇଁ ନେଉଥିବା ବେଳେ ବାଟରେ ବିଲମାଳକୁ ନେଇ ଦୁଷ୍କର୍ମ କରିଥିଲା ଏବଂ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା।ତେବେ ଘଟଣାର ୩ ଦିନ ପରେ ପୀଡ଼ିତା ନାବାଳିକାକୁ ତାଙ୍କ ମା ଗାଧେଇ ଦେଉଥିବା ବେଳେ ପୀଡ଼ିତାକୁ ଦୁଷ୍କର୍ମ ହୋଇଥିବା ଜାଣିବାକୁ ପାଇଥିଲେ। ତାପରେ ଏ ନେଇ ପରିବାର ଲୋକ ଖଜୁରୀପଡା ଥାନାରେ ଏତଲା ଦେଇଥିଲେ।  ଖଜୁରୀପଡା ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ସମସ୍ତ ସାକ୍ଷ ପ୍ରମାଣ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ପୋକ୍ସୋ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ବୋଲି ସରକାରୀ ଓକିଲ ଅସୀମ ପ୍ରହରାଜ କହିଛନ୍ତି।