ଫୁଲବାଣୀ :ବହୁ ଚର୍ଚ୍ଚିତ ଘଟଣା ବହୁଳ କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡକୁ ୪ ବର୍ଷ ହେଲା। ପୁଲିସର ମିଥ୍ୟା ଏନକାଉଣ୍ଟରରେ ଗୁମୁଡୁମାହାର ଜଣେ ଦେଢ ବର୍ଷର ଶିଶୁ ସହ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସହାନୁଭୁତି ଦେବା ପାଇଁ ବଡ଼ବଡ଼ ନେତା ଓ ପଦସ୍ଥ ଅଧିକାରୀଙ୍କ ସୁଅ ଛୁଟିଥିଲା ଗୁମୁଡୁମାହାକୁ।
ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧୀ ଘେରିଥିଲେ। ରାଜ୍ୟ ସରକାର ଏହାର ତଦନ୍ତ ଭାର ପ୍ରଥମେ ଏସଆଇଟିକୁ ପରେ ବିଚାର ବିଭାଗକୁ ଦେଇଥିଲେ। ମୃତାହତ ପରିବାରକୁ ସରକାରୀ ସହାୟତା ସହ ଜଣକୁ ଅସ୍ଥାୟୀ ଚାକିରି ଏବଂ ପିଲାଙ୍କୁ ମାଗଣାରେ ଶିକ୍ଷାଦାନର ବ୍ୟବସ୍ଥା କରାଇଥିଲେ। ସବୁ ପରିବାରକୁ ପକା ଘର ବି ଯୋଗାଇ ଦେଇଥିଲେ। ଏଥି ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଥିଲା। ଗୁମୁଡୁମାହାକୁ ବିକାଶ ସ୍ରୋତରେ ସାମିଲ କରାଯାଇଥିଲା। ଗମନାଗମନଠାରୁ ଆରମ୍ଭ କରି ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ କାର୍ଯ୍ୟ ତ୍ବରିତ ଆରମ୍ଭ ହୋଇଥିଲା। ଅବଶ୍ୟ ରାସ୍ତା ନିର୍ମାଣ ସହ ପାନୀୟ ଓ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହୋଇଛି। ହେଲେ ଗ୍ରାମବାସୀ ମୋବାଇଲ ଟାୱାର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ରଟିଏ ଖୋଲିବା ପାଇଁ ଦାକି କରି ଆସୁଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନାହିଁ। ଏହାକୁ ନେଇ ଗ୍ରାମବାସୀ ପ୍ରଶାସନ ଉପରେ ଅସନ୍ତୋଷ ଝାଡିଛନ୍ତି। ବିଚାର ବିଭାଗ ତଦନ୍ତ କରି ଗତ ୨୦୧୮ ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟ ପ୍ରଦାନକୁ ୨ ବର୍ଷ ହେବାକୁ ବସିଥିବା ବେଳେ ଏହାର ସାର୍ବଜନୀନ ହୋଇ ପାରି ନାହିଁ।
ଗତ ୨୦୧୬ ମସିହା ଜୁଲାଇ ୮ ତାରିଖ ରାତି ୮ଟାରେ ଏହି ଅଭାବନୀୟ ଘଟଣା ବହୁଳ ଘଟଣା ଘଟିଥିଲା। ବାଲିଗୁଡା ବ୍ଳକ ଗୁମୁଡୁମାହାର ୧୦ରୁ ୧୨ ଜଣ କରିଥିବା ମନରେଗା କାମ ବାବଦ ଅର୍ଥ ଉଠାଇବାକୁ ବ୍ୟାଙ୍କକୁ ଏକ ଅଟୋରେ ଆସିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ଗାଁକୁ ଅଟୋରେ ଫେରୁଥିଲେ। ସେମାନଙ୍କ ସାଙ୍ଗରେ ବାଲିଗୁଡାରୁ ଆଉ ୪-୫ ଜଣ ଗାଁ ଲୋକ ଅଟୋରେ ବି ବସିଥିଲେ। ଝିପିଝିପି ବର୍ଷାରେ ଅଟୋ ଗୁମୁଡୁମାହା ଅଭିମୁଖେ ଯାଉଥିଲା। ଗାଁରେ ପହଞ୍ଚିବାକୁ ଆଉ ଅଳ୍ପ ଦୁର ଥିଲା। ହେଲେ ଅଟୋ ଉପରେ ହଠାତ୍ ଗୁଳିବର୍ଷଣ ହୋଇଥିଲା। ଗୁଳିମାଡରେ ଦେଢବର୍ଷର ଶିଶୁ ଗେହେଜ ଦିଗାଲ,ବିଡିମ୍ବା ମଲିକ,କିମୁରି ମଲିକ,କୁକୁରା ମଲିକ ଓ ମିଡିଆଲି ନାଏକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଥିରେ ୮ରୁ ୧୦ ଜଣ ଆହତ ହୋଇଥିଲେ। ସେଥି ମଧ୍ୟରୁ ୩ରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଅବଶ୍ୟ ସବୁ ଆହତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ପ୍ରତିଶ୍ରୁତି ଅନୁଯାୟୀ ଗାଁରେ ବିକାଶ ପହଞ୍ଚିଛି। ହେଲେ ଆଜି ସୁଦ୍ଧା ମୋବାଇଲ ଟାୱାର ଓ ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୋଲା ଯାଇ ପାରି ନାହିଁ ବୋଲି କ୍ଷୋଭର ସହ କହନ୍ତି ଗାଁର ତାପସ ମଲିକ ଓ କାରମା ଦିଗାଲ । ମୃତାହତ ପରିବାରକୁ ଅଧିକ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ବି ଆଜି ସୁଦ୍ଧା ମିଳି ନାହିଁ ବୋଲି କହନ୍ତି ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଦେଢ ବର୍ଷର ଶିଶୁ ଗେହେଜର ମା ସୁନିତା ଦିଗାଲ। ୪ ବର୍ଷ ବିତି ଯାଇଥିଲେ ବି ଏବେ ବି ସେ ରାତିର ଛାତିଥରା ଓ ଲୋକହର୍ଷଣ ଘଟଣାକୁ ବହୁଳକୁ ମନରୁ ଲିଭାଇ ପାରି ନାହାନ୍ତି ଅଳ୍ପକେ ବର୍ତ୍ତି ଯାଇଥିବା ଆହତମାନେ। ପୁଲିସର ମିଥ୍ୟା ଏନକାଉଣ୍ଟରରେ ନିରୀହ ଶିଶୁ ସହ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜଣେ ବି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଘଟଣା ବହୁଳ ପରେ ଗୁମୁଡୁମାହା ଗାଁକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖି ସରକାର ବହୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି। ବାକି ଥିବା କାମ ତୁରନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ରାନୁଷ୍ଠାନ ଏବଂ ବିଚାର ବିଭାଗ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/plbjly7-gumudumaha2.jpg)