ଫୁଲବାଣୀ: ଫୁଲବାଣୀ-ବୌଦ୍ଧ ରାସ୍ତା ଭେଟଖୋଲ ରାସ୍ତାରେ ଗତ କିଛି ମାସ ପୂର୍ବେ ଏକ ବସ ଦୁର୍ଘଟଣା ହୋଇଥିବା ବେଳେ ଶୁକ୍ରବାର ମାଲବୋଝେଇ ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଜୋରରେ ଧକ୍କା ଦେଇଛି। ଏଥିରେ ଅଟୋ ଚାଳକ ଓ ୫ ଯାତ୍ରୀ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଯାତ୍ରୀର ଅବସ୍ଥା ଗୁରୁତର ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓଡି-୧୨ଏ-୦୬୪୬ ନମ୍ବର ଏକ ଅଟୋ ବୌଦ୍ଧ ଜିଲ୍ଲା ଚାରିଛକରୁ ୫ ଜଣ ଯାତ୍ରୀକୁ ଧରି ଫିରିଙ୍ଗିଆକୁ ଯାଉଥିଲେ। ଅପରାହ୍ନ ୪ଟା ସମୟ। ସାରଙ୍ଗଗଡରୁ ବରଗଡକୁ ଯାଉଥିବା ଓଆର-୧୫-ଏନ-୩୨୭୮ ନମ୍ବର ଏକ ମାଲବୋଝେଇ ଟ୍ରକ ଭେଟଖୋଲ ଘାଟି ନିକଟକରେ ଅଟୋକୁ ଜୋରରେ ଧକ୍କା ଦେଇଥିଲେ। ଏଥିରେ ଅଟୋର ସମ୍ମୁଖ ଭାଗ ଚୁରମାର ହୋଇଥିବା ବେଳେ ଚାଳକ ପ୍ରଦୀପ ବେହେରା(୩୮) ଏବଂ ବସିଥିବା ଯାତ୍ରୀ ଦୀପା ବେହେରା(୨୨), ସୁଦିପ୍ତା ରାଉତ(୪୮), ବାସନ୍ତୀ ଦାସ(୪୩), ସୁଚିତ୍ରା ରାଉତ(୨୨) ଏବଂ ବାବୁଲା ବେହେରା(୩୨) ଆହତ ହୋଇଥିଲେ।
ସମସ୍ତ ଆହତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଦୀପା ବେହେରାଙ୍କ ଗୁରୁତର ଥିବା ଡାକ୍ତରଖାନା ସୁତ୍ରରୁ ଜଣା ପଡିଛି। ସଦର ପୁଲିସ ପହଞ୍ଚି ଦୁର୍ଘଟଣାଗସ୍ତ ଅଟୋ ଓ ଟ୍ରକକୁ ଜବତ କରିଛି। ଟ୍ରକ ଚାଳକ ଫେରାର ହୋଇ ଯାଇଛି। ବେପରୁଆ ଓ ଦ୍ରୁତଗତିରେ ଗାଡି ଚାଳନା ଯୋଗୁଁ ଭେଟଖୋଲ ଘଟି ବୁଲାଣି ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ଦୁର୍ଘଟଣାକୁ ରୋକିବା ନିମନ୍ତେ ଏ ଦିଗରେ ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି।