ଦାରିଙ୍ଗବାଡ଼ି: ଅତ୍ୟନ୍ତ ବୀଭତ୍ସ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା କଟାବାଡ଼ି ଗ୍ରାମରେ। ବାପା ଉପରେ ରାଗ ଶୁଝାଇବାକୁ ବଳି ପଡ଼ିଛି ୮ ବର୍ଷର ନିଷ୍ପାପ ଶିଶୁପୁତ୍ର। ଶିଶୁଟିକୁ ଅତି ବର୍ବର ଭାବେ ହତ୍ୟା କରି ପ୍ରମାଣ ହଜାଇବାକୁ ପଥର କୋରଡ଼ରେ ଲୁଚାଇ ଦେଇଥିଲେ ଦୁଇ ଅଭିଯୁକ୍ତ। ଗତ ରବିବାର ଅପରାହ୍ନରେ ୮ ବର୍ଷ ଶିଶୁ ରିତେଶ ପ୍ରଧାନକୁ ନିର୍ମମ ଭାବେ ହତ୍ୟା କରି ପଥର କୋରଡ଼ରେ ଦୁଇ ଅଭିଯୁକ୍ତ ପୋତି ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ପୁଲିସ ଦୁଇ ଅଭିଯୁକ୍ତ ମୀନକେତନ ଓ ସାମସନ ପ୍ରଧାନ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଏ ନେଇ ୪୯/୧୯ରେ ମାମଲା ରୁଜୁ କରି ଆଇପିସି ଧାରା ୩୦୨/୨୦୧/୧୨୦(ଖ)ରେ ତଦନ୍ତ ଚଳାଇଛି। ରିତେଶର ବାପା ଦେବାନନ୍ଦ ପ୍ରଧାନ ସେମାନଙ୍କୁ ଅଟୋ ନ ଶିଖାଇବା ଓ ଜମିଜମା ବିବାଦ କାରଣରୁ ପ୍ରତିଶୋଧ ପରାୟଣ ହୋଇ ରିତେଶକୁ ହତ୍ୟା କରିଥିବା ଦୁଇ ଅଭିଯୁକ୍ତ ପୁଲିସ ଆଗରେ ସ୍ବୀକାର କରିଛନ୍ତି।
ସୂଚନା ମୁତାବକ ଦେବାନନ୍ଦଙ୍କ ପୁଅ ରିତେଶ ରବିବାର ଅପରାହ୍ନରୁ ଘରୁ ଯାଇ ଯାଇ ଫେରି ନଥିଲା। ପରିବାର ଲୋକେ ଏଣେ ତେଣେ , ସଂପର୍କୀୟଙ୍କ ଘର ଖୋଜାଖୋଜି କରି ତାକୁ ପାଇ ନଥିଲେ। ଶେଷରେ କିଏ କେଉଁ ଆଡ଼େ ଅପହରଣ କରି ନେଇ ଯାଇଥିବା ସନ୍ଦେହରେ ସୋମବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପ୍ରଥମେ ଦଫା ୩୬୩, ୩୬୫ ଓ ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଥାନାଧିକାରୀ ଅଲେଖ ଗାରଡ଼ିଆ ସନ୍ଦେହରେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଗ୍ରାମର ଦୁଇଜଣ ମୀନକେତନ ପ୍ରଧାନ(୪୩) ଓ ସାମସନ ପ୍ରଧାନଙ୍କୁ ଗତକାଲି ଥାନାକୁ ଆଣି ଜେରା କରିଥିଲେ। ଜେରା ପରେ ମୀନକେତନ ରିତେଶକୁ ହତ୍ୟା କରି ଗ୍ରାମ ନିକଟ ପାହାଡ଼ର ଏକ ପଥର କୋରଡ଼ରେ ପୋତି ଦେଇଥିବା ମାନିଥିଲା। ଆଜି ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ନୀତିଶ ତ୍ରିପାଠୀଙ୍କ ଉପସ୍ଥିତିରେ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ନେଇ କଟାବାଡ଼ି ଗ୍ରାମ ନିକଟ ପାହାଡ଼ ପାଖକେୁ ଯାଇଥିଲେ। ମୀନକେତନ ପାହାଡ଼ ଉପରେ ଶବ ପୋତିଥିବା ସ୍ଥାନ ଦେଖାଇଥିଲା। ପାହାଡ଼ ଶିଖରରେ ଏକ ପଥର କୋରଡ଼ରୁ ପୁଲିସ ରିତେଶର ଗଳିତ ଶବ ଉଦ୍ଧାର କରିଥିଲା। ଦୁଇ ଅଭିଯୁକ୍ତଙ୍କ ବୟାନ ପ୍ରକାରେ ରିତେଶର ବାପା ଜଣେ ଅଟୋ ଚାଳକ। ଅଭିଯୁକ୍ତ ସାମସନ ତାଙ୍କୁ କୁଆଡେ ଅଟୋ ଚାଳନା ଶିଖାଇ ଦେବାକୁ ଅନୁରୋଧ କରୁଥିଲା। ହେଲେ ତାକୁ ଅଟୋ ଚଳାଇବା ନଶିଖାଇବାରୁ ସେ ରାଗରେ ଥିଲା। ଅନ୍ୟ ଅଭିଯୁକ୍ତ ମୀନକେତନ ସହ ରିତେଶର ବାପାଙ୍କ ଜମିଜମା ବିବାଦ ରହିଥିଲା। ଏହି ଉଭୟ କାରଣରୁ ଦୁହେଁ ମିଶି ଦେବାନନ୍ଦଙ୍କ ଏକମାତ୍ର ଶିଶୁପୁତ୍ରକୁ ମାରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ରବିବାର ରିତେଶକୁ ଏକାକୀ ପାଇ ପାଟି ବନ୍ଦ କରି ପାହାଡ଼କୁ ନେଇ ଯାଇଥିଲେ। ସେଠାରେ ଗଳା ଚିପି ହତ୍ୟା କରିବା ପରେ ପଥର କୋରଡ଼ରେ ପୋତି ଦେଇଥିଲେ ବୋଲି ମାନିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ବୀଭତ୍ସ: ୮ ବର୍ଷର ଶିଶୁକୁ ମାରି ପୋତିଦେଲେ:ବାପା ଉପରେ ରାଗ ଶୁଝାଇଲେ
ପଥର କୋରଡ଼ରୁ ଶବ ଉଦ୍ଧାର
/sambad/media/post_attachments/wp-content/uploads/2019/05/deadbody.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)