କନ୍ଧମାଳ ପ୍ରଶାସନର ଶାନ୍ତି କମିଟି ବୈଠକ

ବନ୍ଦ ଆଶଙ୍କା ଟଳିିଲା, ଭାଇଚାରାରେ ବଡ଼ ଦିନ ପାଳନ ନିଷ୍ପତ୍ତି

ଫୁଲବାଣୀ: ଚଳିତ ବର୍ଷ ଡିସେମ୍ବର ୨୫ରେ କନ୍ଧମାଳ ବନ୍ଦ ଡାକରା ଯୋଜନା ନାହିଁ ବୋଲି କୁଇ ସମାଜ ପକ୍ଷରୁ ଆଜି ପ୍ରଶାସନ ପକ୍ଷରୁ ଆହୁତ ଶାନ୍ତି କମିଟି ବୈଠକରେ ଘୋଷଣା ପରେ ଏହାକୁ ନେଇ ଜାରି ରହିଥିବା ଆଶା ଆଶଙ୍କା ଟଳି ଯାଇଛି। ସୌନ୍ଦର୍ଯ୍ୟପୂର୍ଣ୍ଣ ବାତାବରଣ ଓ ଭାଇଚାରରେ ବଡଦିନ ପାଳନ ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଜିଲ୍ଲାପାଳ ଡା.ବୃନ୍ଦା ଡିଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନାଗୃହ ଠାରେ ଆଜି ଅପରାହ୍ନରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକ ଏହି ନିଷ୍ପତି ହୋଇଛି ।
ସୂଚନ ମୁତାବକ ୨୦୦୮ କନ୍ଧମାଳ ହିଂସା ପରେ ଲଗାତାର କିଛି ବର୍ଷ ଧରି କନ୍ଧମାଳର ବିଭିନ୍ନ ସମସ୍ୟାକୁ ନେଇ କୁଇ ସମାଜ ପକ୍ଷରୁ ଡିସେମ୍ବର ୨୫ରେ ବନ୍ଦ ଡାକରା ଦିଆଯାଇଥାଏା। ଏହାକୁ ନେଇ ଖ୍ରୀଷ୍ଟ୍ରଆନ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥାଏ । ପ୍ରଶାସନ ଓ ପୁଲିସକୁ ମଧ୍ୟ ନାକେଦମ ହେବାକୁ ପଡେ। ତେଣୁ ଚଳିତ ବର୍ଷ ଡିସେମ୍ବର ୨୫ରେ କୁଇ ସମାଜ ସମନ୍ଵୟ ସମିତିର କୌଣସି କାର୍ଯ୍ୟକ୍ରମ ଅଛି କି ନାହିଁ ବୋଲି ଉପସ୍ଥିତ କେତେ ଜଣ ଜାଣିବାକୁ ଚାହିଁ ଥିଲେ। ଚଳିତ ବର୍ଷ ସେମିତି ବନ୍ଦ ଡାକରା ପାଇଁ ଯୋଜନା ନାହିଁ ବୋଲି ବୈଠକରେ ଉପସ୍ଥିତ ଥିବା କୁଇ ସମାଜ ସମନ୍ଵୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର କହିଥିଲେ।

ବନ୍ଦ ଡାକରା କୌଣସି ଧର୍ମ ଓ ଗୋଷ୍ଠୀର ଭାବାବେଗକୁ ଆଘାତ ଦେବା ଉଦ୍ଦେଶ୍ୟ ନୁହେଁ। ବ୍ୟକ୍ତଗତ ଫାଇଦା ଉଦ୍ଦେଶ୍ୟ ନୁହେଁ। କନ୍ଧମାଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ କୁଇ ସମାଜ ପକ୍ଷରୁ ବିଗତ ବର୍ଷମାନଙ୍କରେ ବନ୍ଦ ଡାକରା ଦିଆଯାଇଥିଲା ବୋଲି ସେ ସ୍ପଷ୍ଟ କରି ଥିଲେ। ଚଳିତ ବର୍ଷ ବନ୍ଦ ଡାକରା ଯୋଜନା ନଥିବା କଥା ଶ୍ରୀ କହଁର କହିବା ପରେ ଉପସ୍ଥିତ ସବୁ ସମ୍ପ୍ରଦାୟର ଲୋକ ଓ ଅନୁଷ୍ଠାନର କର୍ମକର୍ତ୍ତା କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ। କନ୍ଧମାଳ ଆଉ ଅଶାନ୍ତି ନାହିଁ। ଶାନ୍ତ ବାତାବରଣ ରହିଛି। ତେଣୁ ଏଭଳି ଶାନ୍ତି କମିଟି ବୈଠକ ଡାକି ପୂର୍ବ ହିଂସା କଥା ମନେ ପକାଇବା ଉଚିତ୍‌ ନୁହେଁ ବୋଲି କେତେକ ମତ ପ୍ରକାଶ କରିଥିଲେ।
ଶାନ୍ତି କମିଟି ବୈଠକ ପରିବର୍ତ୍ତେ ସମନ୍ଵୟ କମିଟି ବୈଠକ କିମ୍ବା ଅନ୍ୟ କୌଣସି ବୈଠକ ଭାବେ ନାମ କରଣ କରାଯାଉ ବୋଲି ମତ ପ୍ରକାଶ ପାଇଥିଲା। ଏଭଳି ମତାମତ ସ୍ୱାଗତ ଯୋଗ୍ୟ ବୋଲି ଜିଲ୍ଲାପାଳ କହିବା ସହ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ଶାନ୍ତିପୂର୍ଣ୍ଣ ଭାବେ ବଡଦିନ ପାଳନ ନିମନ୍ତେ ଏସପି ମିତ୍ରଭାନୁ ମହପାତ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହାଣୀ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶରତଚନ୍ଦ୍ର ପଣ୍ଡା,ଫୁଲବାଣୀ ଉପଜିଲ୍ଲାପାଳ ନିମାଁଇଚରଣ ସୂତାର,ବାଲିଗୁଡା ଉପଜିଲ୍ଲାପାଳ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ,ଫୁଲବାଣୀ ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ,ବାଲିଗୁଡା ଏସଡିପିଓ,ବରିଷ୍ଠ ସାମ୍ବାଦିକ ଡ.ଅରୁପ କୁମାର ଜେନା,ବରିଷ୍ଠ ନାଗରିକ କମଳାକାନ୍ତ ପାଣ୍ଡେ,ବିଜୟ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ଜନସାଧାରଣ ଓ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଗଣମାଧ୍ୟମ ପ୍ରତିନିଧି ଯୋଗ ବୈଠକରେ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର